ମୋ ଗାଁ, ମୋ ବିକାଶ କାର୍ଯ୍ୟକ୍ରମ କରି ତୃଣମୂଳ ନିର୍ବାଚିତ ପ୍ରତିନିଧିମାନଙ୍କର ସାମ୍ବିଧାନିକ ଅଧିକାରକୁ ଛଡାଇ ନେଉଛନ୍ତି ମୁଖ୍ୟମନ୍ତ୍ରୀ : ଧର୍ମେନ୍ଦ୍ର ପ୍ରଧାନ

ପୂର୍ବତନ ଜଳେଶ୍ୱର ବିଧାୟକ ଓ କଂଗ୍ରେସ ନେତା ଜୟନାରାୟଣ ମହାନ୍ତି ବିଜେପିରେ ସାମିଲ ହେଲେ
– ପଂଚାୟତର ଅଧିକାଂଶ ନିର୍ବାଚିତ ପ୍ରତିନିଧି ବିଜେଡିର, ଏହା ପରେ ବି ମୁଖ୍ୟମନ୍ତ୍ରୀଙ୍କ ଡର କାହିଁକି ?
– ଯେଉଁ କାମ ଘୋଷଣା କରୁଛନ୍ତି ସେ କାମ କରୁଛି କିଏ ? ଏହା ପାଇଁ ଟେଣ୍ଡର ହେଉଛି ନା ନାହିଁ ?
– ମୁଖ୍ୟମନ୍ତ୍ରୀ ଏମଏଲଏ ମାନଙ୍କ ହାତକୁ ଟଙ୍କା ଯୋଗାଇ ଦେବା ପାଇଁ ପଂଚାୟତ, ବ୍ଲକ ଓ ଜିଲ୍ଲା ପରିଷଦର ସାମ୍ବିଧାନିକ ଅଧିକାରକୁ ହତ୍ୟା କରୁଛନ୍ତି ମୁଖ୍ୟମନ୍ତ୍ରୀ
– କେନ୍ଦ୍ରାପଡା ଜିଲ୍ଲାର ଯୁବନେତା ରଂଶ୍ମୀରଂଜନ ବେଉରା ନିଜ ଶତାଧିତ ସମର୍ଥକଙ୍କ ସହ ବିଜେପିରେ ହେଲେ ସାମିଲ
ଭୁବନେଶ୍ୱର, ୨୯/୦୬ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ମହାନ୍ତି ଏବଂ କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନମଣ୍ଡଳୀର ଯୁବନେତା ତଥା ସମାଜସେବୀ ରଂଶ୍ମୀରଂଜନ ବେଉରାଙ୍କ ସହ ସେମାନଙ୍କର ଶତାଧିକ ସମର୍ଥକ ଆଜି ବିଜେପିରେ ବିଦ୍ଧିବଦ୍ଧଭାବେ ସାମିଲ ହୋଇଛନ୍ତି।

ରାଜ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ ମହାନ୍ତି ଏବଂ ଶ୍ରୀ ବେଉରାଙ୍କୁୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା ବିଜେପି ଉତରୀୟ ଏବଂ ଟୋପି ପିନ୍ଧାଇ ବିଧିବଦ୍ଧ ଭାବେ ଦଳରେ ସାମିଲ କରିଛନ୍ତି।

ବାଲେଶ୍ୱର ଜିଲ୍ଲାର ଶ୍ରୀ ଜୟନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବ ଚନ୍ଦ୍ର ପାଲ, ଜଳେଶ୍ୱର ମହିଳା କଂଗ୍ରେସ ସଭାପତି ସୁମିତ୍ରା ମହାପାତ୍ର, ଜଳେଶ୍ୱର ଏନଏସିର ପୂର୍ବତନ ଚେୟାରମ୍ୟାନ ସିପ୍ରାରାଣୀ ପରିଡା, ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି ବିବେକାନନ୍ଦ ମହାନ୍ତି, ଟାଉନ କଂଗ୍ରେସ ସଭାପତି ସତ୍ୟ କର, ପୂର୍ବତନ ସରପଂଚ ମାନସ ଦାସ ମହାପାତ୍ର ଏବଂ ମନୋଜ ସାସମଲଙ୍କ ସହ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି।

ସେହିପରି କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସମାଜସେବୀ ରଶ୍ମିରଂଜନ ବେଉରାଙ୍କ ନେତୃତ୍ୱରେ ବାଟିପଡା ପଂଚାୟତ କଂଗ୍ରେସ ସଭାପତି ହୃଷିକେଶ ବେହୁରା, ପୂର୍ବତନ ସରପଂଚ ବଂଶୀଧର ନାୟକ, ପୂବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପାତ୍ର, ପୂର୍ବତନ ସମିତି ସଭ୍ୟ କାଙ୍ଗାଳି ଚରଣ ମଲ୍ଲିକ, ପ୍ରଦୀପ କୁମାର ପାଣ୍ଡବ, କୈଳାସ ଜେନା, ବିଜୟ ଜେନା, ବସନ୍ତ ଜେନାଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ଆଜି ଶତାଧିକ ସଂଖ୍ୟାରେ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ଯୋଗଦାନ କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ସମସ୍ତ ନୂତନ ସହସ୍ୟଙ୍କୁ ସ୍ୱାଗତ ଜଣାଇବା ସହ ସାଧୁବାଦ ଜଣାଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ମଜବୁତ୍ ହେବ ଏବଂ ଆଗାମୀ ଦିନରେ ଜଳେଶ୍ୱର ଏବଂ ଆଳି ନିର୍ବାଚନ ମଣ୍ଡଳୀରେ ବିଜେପି ଶକ୍ତିଶାଳୀ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ବର୍ତମାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହେଉଛନ୍ତି। କଂଗ୍ରେସ ମୁକ୍ତ ଭାରତ ପରି ଆଗାମୀ ଦିନରେ ଓଡିଶା ମୁକ୍ତ କଂଗ୍ରେସ ହେବାକୁ ଯାଉଛି। ଜୟନାରାୟଣଙ୍କ ପରି ଜଣେ ପ୍ରବୀଣ ରାଜ ନେତା ବିଜେପିରେ ଯୋଗ ଦେବା ପରେ ରାଜ୍ୟ ବିଜେପି ଏବଂ ଜଳେଶ୍ୱର ନିର୍ବାଚନମଣ୍ଡଳୀରେ ବିଜେପିର ଶକ୍ତି ବୃଦ୍ଧି ହେବ ବୋଲି ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ ଏହି ମିଶ୍ରଣ ପର୍ବ ଅବସରରେ କହିଛନ୍ତି।

ଶ୍ରୀ ମହାନ୍ତି ୪୦ ବର୍ଷପରେ କଂଗ୍ରେସ ଛାଡି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ତଥା ଭାରତବର୍ଷର ନେତା ମୋଦୀଙ୍କର ବିକାଶ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଶ୍ରୀ ମହାନ୍ତି ବିଜେପିରେ ଯୋଗ ଦେଇଛନ୍ତି। ଅଧୁରା ଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ ଭାଜପାର ଶରଣ ନେଇଛି ବୋଲି ଶ୍ରୀ ମହାନ୍ତି ବିଜେପିରେ ସାମିଲ ହେବା ପରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋ ଗାଁ, ମୋ ବିକାଶ କାର୍ଯ୍ୟକ୍ରମ କରି ପଂଚାୟତ ଓ ବ୍ଲକର ନିର୍ବାଚିତ ପ୍ରତିନିଧି, ପଲ୍ଲୀସଭା ଓ ଗ୍ରାମସଭାର ସାମ୍ବିଧାନିକ ଅଧିକାରକୁ ଛଡାଇ ନେଉଛନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କୁ ଦଳରେ ସାମିଲ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦଳୀୟ ଚିହ୍ନରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ସଫଳତା ମିଳିଥିବା ବେଳେ ପଂଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ମାନେ ବିପୁଳ ସଂଖ୍ୟାରେ ଜିତିଥିବା ବିଜେଡି ଦାବି କରିଥିଲା। ସମ୍ବିଧାନ ପଂଚାୟତକୁ ନିଜର ଯୋଜନାରେ ଖର୍ଚ କରିବା ପାଇଁ ସାମ୍ବିଧାନିକ ଅଧିକାର ଦେଇଛି। ବିଜେଡି ଦାବି କରୁଛି ଅଧିକାଂଶ ସରପଂଚ ଓ ପଂଚାୟତ ପ୍ରତିନିଧି ଦଳର। ମାତ୍ର ସେମାନଙ୍କ ଠାରୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଛଡାଇ ନେଇ ମୁଖ୍ୟମନ୍ତ୍ରୀ ନିଜେ ଯୋଜନାର ଘୋଷଣା କାହିଁକି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ କାମ ଘୋଷଣା କରୁଛନ୍ତି ସେ କାମ କରୁଛି କିଏ। ଏହା ପାଇଁ ଟେଣ୍ଡର ହେଉଛି ନା ନାହିଁ। ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏମଏଲଏ ମାନଙ୍କ ହାତକୁ ଟଙ୍କା ଯୋଗାଇ ଦେବା ପାଇଁ ପଂଚାୟତ, ବ୍ଲକ ଓ ଜିଲ୍ଲା ପରିଷଦର ସାମ୍ବିଧାନିକ ଅଧିକାରକୁ ହତ୍ୟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱେଚ୍ଛାଚାରୀ ଓ ବ୍ୟଭିଚାରୀ ହୋଇ ଓଡିଆ ଲୋକଙ୍କର କଷ୍ଟଲବ୍ଧ ଅର୍ଥକୁ ଦଳୀୟ ଆଧାରରେ ବାଂଟି ଦେବାର ଅପଚେଷ୍ଟା କରୁଛନ୍ତି। ପଂଚାୟତରେ କଣ କାମ ହେବ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ବିଜେଡି ବିଧାୟକଙ୍କର ଲୋକ ମାନେ ହିଁ ସ୍ଥିର କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ କହିଲେ ବିଜେଡି ପ୍ରବକ୍ତା ମାନେ ଦୃଢ ପ୍ରତିବାଦ କରୁଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ନବ କଳେବର ପୂର୍ବରୁ ଆଜି ପର୍ଯ୍ୟନ୍ତ ଯେପରି ଅବ୍ୟବସ୍ଥା ମଧ୍ୟରେ ରଖିଛନ୍ତି ଏହାକୁ ଅପାରଗତା ଛଡା ଆଉ କଣ ଶବ୍ଦ ବ୍ୟବହାର କରା ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଚାରିଥର ନିର୍ବାଚନ ଜିତିବାର ଦମ୍ଭ ରଖୁଥିବା ମୁଖ୍ୟମନ୍ତ୍ରୀ ଗରୀବ ଓଡିଆ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଗଲା ବେଳେ ଆୟୁଷ୍ମାନ ଭାରତ ଯୋଜନାର କାର୍ଡ ଟିଏ ଥିଲେ ପାଂଚ ଲକ୍ଷ ଟଙ୍କାର ସୁବିଧା ପାଇବାରୁ କାହିଁକି ମୁଖ୍ୟମନ୍ତ୍ରୀ ବଂଚିତ କରୁଛନ୍ତି ବୋଲି ଶ୍ରୀପ୍ରଧାନ ପ୍ରଶ୍ନ କରିଛନ୍ତି।

ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକଙ୍କୁ ଯଦି ପସନ୍ଦ ନାହିଁ ଏହାର ଯନ୍ତ୍ରଣା ଓଡିଆ ଶ୍ରମିକମାନଙ୍କୁ କାହିଁକି ସହିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସ୍ତାବକ ଓ ଚାଟୁକାର ମାନଙ୍କ ଦ୍ୱାରା ଏକ ନମ୍ବର ମାନ୍ୟତା ମୁଖ୍ୟମନ୍ତ୍ରୀଙ୍କୁ ଦିଆ ଯାଇ ପାରେ। ମାତ୍ର ଓଡିଶାରେ ବଢି ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଓଡିଆ ଲୋକ ମାନଙ୍କୁ ଏକାଠି କରିବା ପାଇଁ ସେ ଦଳୀୟ କର୍ମୀମାନଙ୍କୁ ଏହି ମିଶ୍ରଣ ପର୍ବ ଅବସରରେ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ବିଧାୟକ ଗୋବିନ୍ଦ ଦାସ, ସଂପାଦକ ଦିଲୀପ ମଲ୍ଲିକ ଏବଂ ଶୋଭନା ମହାନ୍ତି, ଯୁବମୋର୍ଚ୍ଚା ରଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ ଦାସଙ୍କ ସମେତ ବାଲେଶ୍ୱର ଜିଲ୍ଲା ସଭାପତି ମଦନ ମୋହନ ଦତ, କେନ୍ଦ୍ରାପଡା ଜିଲ୍ଲା ସଭାପତି ଦୁର୍ଯୋଧନ ସାହୁ, ଅରୁଣ ବେଜ, ଶ୍ୟାମ ବେହେରା, ନନି ଗୋପାଲ ଦାସ, ଶାରଦା ପ୍ରଧାନ, ଜ୍ଞାନ ବେହେରା, ବିଷ୍ନୁ ଦାଶଙ୍କ ସମେତ ବହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *