ମୋବାଇଲ ଆପକୁ ବିରୋଧ, ଜିଲା ସାରା ସ୍କୁଲ ବନ୍ଦ ରାଜ ରାସ୍ତାରେ ପ୍ରତିବାଦ ଜଣାଇଲେ ହଜାର ହଜାର ଶିକ୍ଷକ

ଫୁଲବାଣୀ ୧୮-୧୦ (ଓଡ଼ିଆ ପୁଅ/ଅଶୋକ ମହାନ୍ତି) :ଜିଲା ପ୍ରଶାସନ ପକ୍ଷରୁ ପସ୍ତାବିତ ମୋବାଇଲ ଆପକୁ ବିରୋଧ ଆଜି ଚରମ ସୀମାରେ ପହଞ୍ଚିଥିବା ବେଳେ କନ୍ଧମାଳ ଜିଲା ମିଳିୟତ ଶିକ୍ଷକ ସାମମ୍ମୁଖ୍ୟର ଆହ୍ୱାନରେ ଆଜି ଫୁଲବାଣୀଠାରେ ଆୟୋଜିତ ହୋଇଛି ବିରାଟ ଶିକ୍ଷକ ସଭା ଓ ଶୋଭଯାତ୍ରା। ପୂର୍ବ ନିଷ୍ପତ୍ତି ପ୍ରକାରେ ଆଜି ଜିଲାର ସବୁ ବିଦ୍ୟାଳୟରେ ତାଲା ଝୁଲିଥିଲା। ହଜାର ହଜାର ଶିକ୍ଷକ ଫୁଲବାଣୀଠାରେ ଏକତ୍ରିତ ହୋଇ ମୋବାଇଲ ଆପ ବିରୋଧରେ ରାଲି କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବ ନିଷ୍ପତ୍ତି ପ୍ରକାରେ ଶିକ୍ଷକ ଶିକ୍ଷୟତ୍ରି ମାନେ ବିଦ୍ୟାଳୟରେ ତାଲା ପକାଇ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଶିକ୍ଷକ ମାନଙ୍କ ଆନ୍ଦୋଳନ କାରଣରୁ ଜିଲାର ସବୁ ବିଦ୍ୟାଳୟ ଆଜି ବନ୍ଦ ରହିଥିଲା। ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଚେଷ୍ଟା କରିଥିଲେ ବି ଏହା ଅଧିକାଂଶ ସ୍ଥାନରେ ସମ୍ଭବ ହୋଇ ପାରିନାହିଁ। ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଏକ ଶୋଭାଯାତ୍ରାରେ ସ୍ଥାନୀୟ ମାଦିକୁନ୍ଦା ଛକରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶିକ୍ଷକ ମାନେ ରାସ୍ତା ଅବରୋଧ କରିବାରୁ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ସମ୍ଭବ ହୋଇ ପାରି ନଥିଲା। ମୋବାଇଲ ଆପ ପ୍ରତ୍ୟାହାର ଦାବିରେ ଆନ୍ଦୋଲନକାରୀ ମାନେ ଜିଲାପାଳଙ୍କୁୁ ଦାବିପତ୍ର ଦେବାପାଇଁ ଅଡି ବସିଥିଲେ। ତେବେ ଜିଲାପାଳ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଏହା ସମ୍ବବ ହୋଇ ପାରି ନଥିଲା। ଫୁଲବାଣୀ ଉପଜିଲାପାଳଙ୍କ ଅନୁରୋଧ କ୍ରମେ ଶିକ୍ଷକ ନେତା ମାନେ ଶେଷରେ ଅତିରିକ୍ତ ଜିଲପାଳଙ୍କ ସହ ଏ ନେଇ ଆଲୋଚନା କରିବା ପାଇଁ ରାଜି ହୋଇଥିଲେ। ଜିଲାର ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ପାଇଁ ମୋବାଇାଲ ଆପର ପ୍ରଚଳନ ବଦଳରେ ପ୍ରଚଳିତ ବିଭାଗୀୟ ତଦାରଖ ବ୍ୟବସ୍ତାକୁ କଡାକଡି କରିବା ପାଇଁ ଶିକ୍ଷକ ନେତା ମାନେ ପ୍ରଶାସନକୁ ଅନୁରୋଧ କରିବା ସହ ରାଜ୍ୟ ସରକାରଙ୍କ ଅନୁମତି ବିନା ଏଭଳି ବ୍ୟବସ୍ଥା କେବଲ କନ୍ଧମାଳ ଜିଲାରେ କାହିଁକି ଲାଗୁ କରାଯାଉଚି ବୋଲି ପ୍ରଶ୍ନ କରିଥିଲେ। ଜିଲାର ଦୁର୍ଗମ ଅଂଚଳରେ ଶିକ୍ଷକ ମାନେ ଅନେକ ପ୍ରତିକୂଲ ପରିସ୍ଥିତି ମଧ୍ୟରେ ସେମାନଙ୍କ କାର୍ଯ୍ୟ ନିର୍ବାାହ କରୁଥିବା ବେଳେ ଜିଲା ପ୍ରଶାସନ ସେ ଦିଗରେ ଧ୍ୟାନ ନ ଦେଇ ମୋବାଇଲ ଆପ ଭଳି ଏକ ବ୍ୟବସ୍ଥାକୁ ଲାଗୁ କରିବାକୁ ଯାଉଥିବାରୁ ଏହାକୁ ଶିକ୍ଷକ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ତେବେ ଯଦି ସମଗ୍ର ରାଜ୍ୟରେ ଏବଂ ସବୁ ବିଭାଗରେ ଏହି ବ୍ୟବସ୍ତା ଲାଗୁ କରାଯାଏ ତେବେ ଯାଇ କନ୍ଧମାଲର ଶିକ୍ଷକ ସମାଜ ଏହାକୁ ଗ୍ରହଣ କରିବ ବୋଲି ସେମାନେ କହିଥିଲେ। ଅତରିକ୍ତ ଜିଲାପାଳ ମୋବାଇଲ ଆପ ପ୍ରଚଳନ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମଗାଯାଇଛି ଏବଂ ଅନୁମତି ନ ମିଳିବା ପର୍ଯ୍ୟନ୍ତ ଏହାକୁ ଲାଗୁ କରାଯିବ ନାହିଁ ବୋଲି କହିଥିଲେ ବି ଶିକ୍ଷକ ନେତା ମାନେ ଏ ନେଇ ଜିଲା ପ୍ରଶାସନଠାରୁ ଲିଖିତ ପ୍ରତିଶୃତି ଚାହିଁ ଥିଲେ। ଶେଷରେ ଅତିରିକ୍ତ ଜିଲାପାଳ ପ୍ରଦୀପ୍ତ କୁମାର ସାହାଣୀ ରାଜ୍ୟ ସରକାରଙ୍କ ଅନୁମତି ନ ମିଳିବା ଯାଏଁ ଜିଲାରେ କୌଣସି ପ୍ରଧାନ ଶିକ୍ଷକ ବା ଶିକ୍ଷକଙ୍କ ଉପରେ ମୋବାଇଲ ଆପକୁ ଲଦି ଦିଆଯିବ ନାହିଁ ବୋଲି ଲିଖିତ ଭାବେ ପ୍ରତିଶୃତି ଦେବା ପରେ ଶିକ୍ଷକ ମାନେ ଆନ୍ଦୋଲନରୁ ଓହରିଥିଲେ। ଶିକ୍ଷକ ସମନ୍ନ୍ ୟ ସମିତିର ସଭାପତି କିଶୋର ଚନ୍ଦ୍ର କହଁର, ସଂପାଦକ ସମରେନ୍ଦ୍ର ଦାସ, ରାଜ୍ୟ ଆଂଚଲିକ ସଂପାଦକ ବିଦେଶି ନାୟକ, ପୁଲବାଣୀ ବ୍ଲକ ଆବହାକ ସରୋଜ କୁମାର ସେଠୀ, ଆବାହକ ସୁକାନ୍ତ ବେହେରା, କୋଷାଧ୍ୟକ୍ଷ ଅରୁଣ କୁମାର ପାତ୍ର, ବିଏଡ ସଂଘର ଆବାହକ ଅଂଜନ କୁମାର ନାୟକ, ବଂଶୀଧର ପଣ୍ଡା, କାମରାଜ ଦିଗାଲ, ମନୋଜ କୁମାର ବେହେରା, ଶାନ୍ତନୁ ପ୍ରଧାନ, ସମୀର ନାୟକ, କାହ୍ନୁ ଦିଗାଲ, ପ୍ରତାପ ପାତ୍ର, ଯାମୀନୀକାନ୍ତ ପଡ୍ରା, କୁମାର ପରାସେଠ, କଳ୍ପନା ମହାନ୍ତି, ଅନୁପମା ଷଡଙ୍ଗୀ, ସୁନୀତୀ ଆଚାରୀ ପ୍ରମୂଖଙ୍କ ନେତୃତ୍ୱରେ ପା୍ରୟ ପାଂଚ ହଜାର ଶିକ୍ଷକ ଶିକ୍ଷୟତ୍ରୀ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ପ୍ରଶାସନ ପ୍ରତିଶୃତି ନ ରଖିଲେ ଆଗାମୀ ଦିନରେ ଆନଦୋଳନ ଆହୁରି ତୀବ୍ରତର ହେବ ବୋଲି ଶିକ୍ଷକ ନେତା ମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *