ମୋଦି ହଟାଅ- କ୍ଷେତ ମଜଦୁର ବଞ୍ଚାଅ- ଭାରତ ବଞ୍ଚାଅ ଆହ୍ୱାନରେ ବିକେଏମ୍ ୟୁ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଆହ୍ୱାନ

ଭୁବନେଶ୍ୱର, ୨୭/୮ (ଓଡ଼ିଆ ପୁଅ) ଭାରତୀୟ କ୍ଷେତ ମଜଦୁର ୟୁନିୟନ (ବିକେଏମୟୁ)ର ରାଜ୍ୟ ପରିଷଦ ବୈଠକ ଭଗବତୀ ଭବନଠାରେ ରାଜ୍ୟ ଉପସଭାପତି ତ୍ରୈଲୋକ୍ୟ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ରାଜ୍ୟ ସମ୍ପାଦକ ସୁର ଜେନା ବିବରଣୀ ଉପସ୍ଥାପନ କରିଥିଲେ। ଗତ ୪ବର୍ଷ ଶାସନରେ ମୋଦି ସରକାର କୃଷି କ୍ଷେତ୍ର ଓ କ୍ଷେତ ମଜଦୁରଙ୍କର ସର୍ବନାଶ କରିଥିବାରୁ “ମୋଦି ହଟାଅ- କ୍ଷେତ ମଜଦୁର ବଞ୍ଚାଅ- ଭାରତ ବଞ୍ଚାଅ” ଆହ୍ୱାନରେ ସେପ୍ଟେମ୍ବର ମାସ ବ୍ୟାପୀ ସମଗ୍ର ଓଡ଼ିଶାରେ ବ୍ଲକ ଓ ଜିଲ୍ଲା ସ୍ତରରେ ବିକେଏମୟୁର ଶକ୍ତିଶାଳୀ ଆନ୍ଦୋଳନ ସହ ବ୍ଲକ ଓ ଜିଲ୍ଲା ସ୍ତରୀୟ ସମ୍ମିଳନୀ ସଙ୍ଗଠିତ କରିବାକୁ ନିଷ୍ପତ୍ତି ନିଆଯାଇଛି। କେରଳ ବନ୍ୟା ପ୍ରପୀଡ଼ିତଙ୍କ ପ୍ରତି ମୋଦି ସରକାରଙ୍କର ପାତରଅନ୍ତର ନୀତିକୁ ଏହି ବୈଠକରେ ଦୃଢ଼ ନିନ୍ଦା କରିବା ସହ ରାଜ୍ୟର ସମସ୍ତ ଜିଲ୍ଲାରୁ କେରଳ ବନ୍ୟା ଦୁର୍ଗତଙ୍କ ଜୀବନ ରକ୍ଷା ପାଇଁ ରିଲିଫ ସଂଗ୍ରହ କରି ପଠାଇବାକୁ ସ୍ଥିର କରାଯାଇଛି। ସମଗ୍ର ଭାରତରେ ୪୦ଦିନ ବ୍ୟାପୀ ଶ୍ରମିକ ବଞ୍ଚାଅ- ମୋଦି ହଟାଅ ଅଭିଯାନ ଯାଥାକୁ ବିକେଏମ୍ ୟୁ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେବା ସହ ୧୮ ସେପ୍ଟେମ୍ବର ଭୁବନେଶ୍ୱରଠାରେ ଶ୍ରମିକ ମହାସମାବେଶର ସଫଳତା ପାଇଁ ଆହ୍ୱାନ ଦିଆଯାଇଛି। ନଭେମ୍ବର ପ୍ରଥମ ସପ୍ତାହରେ ଢେଙ୍କାନାଳଠାରେ ବିକେଏମ୍ ୟୁର ରାଜ୍ୟ ସମ୍ମିଳନୀ ସଂଗଠିତ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ହୋଇଛି। ଡିସେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ତିରୁପତିଠାରେ ବିକେଏମୟୁର ସର୍ବ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଓଡ଼ିଶାର ପ୍ରତିନିଧିମାନେ ଯୋଗ ଦେବା ସହ ଏହାର ଖୋଲା ଅଧିବେଶନରେ ଅଧିକ ସଂଖ୍ୟକ ଖେତ ମଜଦୁର ଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଅଛି।

ଏହି ବୈଠକରେ ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ ବିକେଏମୟୁ ରାଜ୍ୟ କମିଟି ସଦସ୍ୟ ବନମାଳୀ ବାଇ, ତପନ କୁମାର ସିଟ୍, ରବି ରଥ, ତୈ୍ରଲୋକ୍ୟ ନାଥ, ପୂର୍ଣ୍ଣ ରଥ, ଜମ୍ବେଶ୍ୱର ଭୋଇ, ଛେତମ୍ବର ଭୋଇ, ଲକ୍ଷ୍ମୀଧର ବେହେରା, ଶରତ ସ୍ୱାଇଁ, ପଠାଣି ମଲ୍ଲିକ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *