ମୋଦି ସରକାରଙ୍କ ଯୋଜନାର ସଠିକ ପ୍ରଚାର ପ୍ରସାର ହେବା ଉଚିତ ଜିଲ୍ଲାର ସ୍ୱେରେଜ ଓ ବର୍ଜ୍ୟବସ୍ତୁ ପରିଚାଳନାର ଘୋର ଅଭାବ

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାର ସ୍ୱେରେଜ ବ୍ୟବସ୍ଥା ସହିତ ବର୍ଜବସ୍ତୁ ପରିଚାଳନା ଅତ୍ୟନ୍ତ ଶୋଚନୀୟ । ଭଦ୍ରକ ପୌରପାଳିକା ପକ୍ଷରୁ ସହର ମଧ୍ୟର ଜଳ ନିଷ୍କାସନ ବ୍ୟବସ୍ଥା ଆଦୌ ଲୋକଙ୍କ ହିତସାଧନ କରୁନାହିଁ । ଏବେ ବର୍ଷା ଦିନ ଆସିଲାଣି, ଅଥଚ ପୌରପାଳିକା ଜଳ ନିଷ୍କାସନପାଇଁ କୌଣସି ପଦକ୍ଷେପ ନେଇ ନାହିଁ । ସହର ସାରା ଅଳିଆ ଆବର୍ଜନା କୁଢ କୁଢ ପଡି ରହିଛି । ଏ ନେଇ ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରାଯାଇଛି । ବିଜେପି ଜିଲ୍ଳା କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଏହି ଆରୋପ କରିବା ସହିତ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରର ୪ ବର୍ଷ ପୂର୍ତ୍ତିର ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ । ଗତ ୪ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଧାମରାରେ ଏଲଏନଜି ଟର୍ମିନାଲ ସ୍ଥାପନ ଜିଲ୍ଲାବାସୀଙ୍କ ପାଇଁ ଏକ ଯୁଗାନ୍ତକାରୀ ଉପହାର । ଏହାଛଡା ୨୦୧୧ ମସିହା ଜନ ଗଣନା ଅନୁଯାୟୀ ଉଜ୍ୱଳା ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ସୌଭାଗ୍ୟ ଯୋଜନାରେ ଘରକୁ ବିଦୁ୍ୟତିକରଣ, ଆୟୁଷ୍ମାନ ଯୋଜନାରେ ଆସନ୍ତା ଅଗଷ୍ଟ ମାସରେ ଆରମ୍ଭ ହେବ ୫ ଲକ୍ଷ ଟଙ୍କାର ବୀମା ଯୋଜନା, ୧୨ଟଙ୍କାରେ ଜୀବନ ବୀମା, ଯୁବକମାନଙ୍କୁ କୌଶଳ ତାଲିମ ଭଳି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଯେପରି ଲୋକମାନଙ୍କ ପାଖରେ ପହଞ୍ଚା ଯାଇ ପାରିବ ସେ ନେଇ ଦଳ ପ୍ରୟାସ କରିବ ବୋଲି କହିଥିଲେ । ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦିପ ନାୟକ ଭଦ୍ରକ ପୌରପାଳିକାରେ ସ୍ୱଚ୍ଛ ଭାରତ ଯଙ୍କାର ବାଟମାରଣା, ଅମୃତ ଯୋଜନା ଫେଲ ମାରିବା, ସହରରେ ନାଳ ଭର୍ତ୍ତି ହୋଇ ରାସ୍ତାରେ ପାଣି ଚାଲିବା, ମା’ ଭଦ୍ରକାଳୀ ରୋଡର ନବୀକରଣ କରା ନଯିବା ନେଇ ଉଦ୍ବେଗ ପ୍ରକଟ କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲା କର୍ମକର୍ତ୍ତା ଅମ୍ବିକା ଦାସ, ବିଦ୍ରାଧର ସାହୁ, ରଞ୍ଜନ କୁମାର ସ୍ୱାଇଁ, ପ୍ରଭାତ ମହାନ୍ତି, ଆଦିକନ୍ଦ ନାୟକ, ଉତ୍ତମ ପାତ୍ର, ନାରାୟଣ ସେନାପତି, ମମତା ବେହେରା, ଶରତ ପଢିଆରୀ, ପ୍ରଭାକର ସାମଲ, ଚନ୍ଦ୍ର ମୋହନ ମହାନ୍ତି, ଭାଷ୍କର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *