ମୋଦି ସରକାରଙ୍କ ଅନୁଦାନରେ ଆଜି ଓଡିଶାରେ ୪ ଟି ମେଡିକାଲ କଲେଜ ପ୍ରତିଷ୍ଠା ସମ୍ଭବ ହୋଇଛି : ଅଶ୍ୱିନୀ ଚୌବେ

– ମେଡିକାଲ କଲେଜ ନିର୍ମାଣ ଅନୁଦାନକୁ ନେଇ ବିଜେଡିର ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ
– ମେଡିକାଲ କଲେଜ ନିର୍ମାଣ ପାଇଁ ୫୫୭ କୋଟି ଅର୍ଥ ଅନୁଦାନ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି
– ରାଜ୍ୟରେ ୪ ଟି ମେଡିକାଲ କଲେଜକୁ ୧୧୩ କୋଟି ହିସାବରେ କେନ୍ଦ୍ର ସରକାର ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି
– ଜଗ୍ନାଥଧାମ ପୁରୀରେ ହେବାକୁ ଥିବା ୫ମ ମେଡିକାଲ କଲେଜ ପାଇଁ ୧୦୫ କୋଟି ଟଙ୍କା ଅନୁଦାନ ମିଳିସାରିଛି
– ପୁରୀରେ ମେଡିକାଲ କଲେଜ ନିର୍ମାଣ କୌଣସି କାର୍ଯ୍ୟ ନହେବା ପ୍ରସଙ୍ଗରେ ଖୁବଶୀଘ୍ର ମନ୍ତ୍ରାଳୟକୁ ରିପୋର୍ଟ ଦେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୪ /୦୯ (ଓଡ଼ିଆ ପୁଅ) : ମୋଦି ସରକାରଙ୍କ ଅନୁଦାନରେ ଆଜି ଓଡିଶାରେ ୪ ଟି ମେଡିକାଲ କଲେଜ ସମ୍ଭବ ହୋଇପାରିଛି। ବିଜେଡି ଦଳର ସାଂସଦ ତଥା ପ୍ରବକ୍ତା ରାଜ୍ୟରେ ନୂତନ ମେଡିକାଲ କଲେଜ ନିର୍ମାଣ ପାଇଁ କୌଣସି ଅନୁଦାନ କେନ୍ଦ୍ର ସରକାର ଦେଇନଥିବା ବକ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି।

ରାଜ୍ୟରେ ମେଡିକାଲ କଲେଜ ନିର୍ମାଣ ପାଇଁ ୫୫୭ କୋଟି ଟଙ୍କା ଅନୁଦାନ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଆନୁମାନିକ ୧୭୯ କୋଟି ପ୍ରତ୍ୟେକ ମେଡିକାଲ କଲେଜର ପ୍ରୋଜେକ୍ଟ ପାଇଁ ଖର୍ଚ୍ଚର୍ ହୁଏ। ରାଜ୍ୟରେ ୪ ଟି ମେଡିକାଲ କଲେଜକୁ ୧୧୩ କୋଟି ହିସାବରେ କେନ୍ଦ୍ର ସରକାର ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି। ଦେଶ ସାରା ୫୮ଟି ମେଡିକାଲ କଲେଜକୁ କେନ୍ଦ୍ର ସରକାର ଏପରି ଅର୍ଥ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଚୌବେ କହିଛନ୍ତି।

ସେହିପରି ଜଗ୍ନାଥଧାମ ପୁରୀରେ ହେବାକୁ ଥିବା ୫ମ ମେଡିକାଲ କଲେଜ ପାଇଁ ୧୦୫ କୋଟି ଟଙ୍କା ଅନୁଦାନ ମିଳିସାରିଛି। ୮ କୋଟି ଟଙ୍କାର ୟୁଟିଲାଇଜେସନ ସାର୍ଟିଫିକେଟ ନମିଳିବାରୁ ବାକି ଅର୍ଥ ପ୍ରଦାନ କରାଯାଇପାରିନାହିଁ। ଅନ୍ୟପଟେ ପୁରୀରେ ମେଡିକାଲ କଲେଜ ନିର୍ମାଣ ପାଇଁ ବର୍ତମାନ ସୁଦ୍ଧା କୌଣସି କାମ ଆରମ୍ଭ ହୋଇନାହିଁ। ଜଗନ୍ନାଥ ଧାମକୁ ସବୁ ରାଜ୍ୟରୁ ତୀର୍ଥଯାତ୍ରୀ ଆସୁଥିବାରୁ ସେଠାରେ ଏକ ଉନ୍ନତ ମାନର ମେଡିକାଲ କଲେଜ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଆଜି ପର୍ଯ୍ୟନ୍ତ ସେଠି କାମ ଆରମ୍ଭ ହୋଇନାହିଁ। ଖୁବଶୀଘ୍ର ବିଭାଗୀୟ ମନ୍ତ୍ରାଳୟକୁ ଏହି ସମ୍ବନ୍ଧରେ ରିପୋର୍ଟ ଦେବେ ବୋଲି ଶ୍ରୀ ଚୌବେ କହିଛନ୍ତି।

ଦେଶ ସ୍ୱାଧୀନ ହେବାର ୭୦ ବର୍ଷରେ ଯେତିକି ମେଡିକାଲ କଲେଜ ଖୋଲିନଥିଲା ତାହାଠୁ ଅଧିକ ମେଡିକାଲ କଲେଜ ବିଗତ ୪ ବର୍ଷରେ ଖୋଲିଛି। ୪ ବର୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦଙ୍କ ମାର୍ଗ ଦର୍ଶନରେ ସମୁଦାୟ ୧୧୮ଟି ସରକାରୀ ଏବଂ ବେସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ସେଥିମଧ୍ୟରୁ ୫ଟି ମେଡିକାଲ କଲେଜ ପ୍ରଥମଥର ପାଇଁ ଓଡିଶାରେ ଖୋଲିବାକୁ ନେଇ ନିଷ୍ପତି ହୋଇଥିଲା। ଭୁବନେଶ୍ୱରରେ ଏମସ୍ ପ୍ରତିଷ୍ଠା ହେବା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ। ସେହିପରି ବାଲେଶ୍ୱରଠାରେ ୩୦୦ ବେଡ ବିଶିଷ୍ଟ ଏମ୍ସର ଏକ ସାଟେଲାଇଟ ସେଟଂର ଶିଳାନ୍ୟାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା କରିଛନ୍ତି। ଏହି ମେଡିକାଲ ପାଇଁ ୪୦.୩୧ କୋଟି ଅନୁଦାନ ଦିଆଯାଇଛି ଏବଂ ଖୁବଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ଶ୍ରୀ ଚୌବେ କହିଛନ୍ତି।

ଏହା ଛଡା ରାଜ୍ୟରେ ୩ଟି ମେଡିକାଲ କଲେଜରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ହେବା ପାଇଁ ୧୩୦ କୋଟି ଟଙ୍କାର ସହାୟତା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଏଥି ସହ ପ୍ରତ୍ୟେକ ମେଡିକାଲ କଲେଜ ପାଇଁ ୧୨୦ କୋଟି ଟଙ୍କା ଲେଖାଏଁ କେନ୍ଦ୍ର ସରକାର ପ୍ରଦାନ କରିବେ। ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇଁ ବ୍ରହ୍ମପୁରର ଏମ.କେ.ସି.ଜି ମେଡିକାଲ କଲେଜ ୯୨ପ୍ରତିଶତ, ବୁର୍ଲାର ଭି.ଏସ.ଏସ ମେଡିକାଲ କଲେଜ ୩୨ପ୍ରତିଶତ କାର୍ଯ୍ୟ ସରିଛି। କେବଳ କଟକ ଏସସିବି ମେଡିକାଲ କଲେଜର ଟେଣ୍ଡର କାର୍ଯ୍ୟ ଏବେ ଚାଲୁ ରହିଛି ବୋଲି ଶ୍ରୀ ଚୌବେ କହିଛନ୍ତି।

ଓଡିଶାରେ ମୋଦି ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ଶ୍ରୀ ଚୌବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହା ଲାଗୁ କଲେ ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଲୋକମାନେ ଏହି ସୁବିଧା ଉଠାଇ ପାରିବେ। ରାଜ୍ୟ ସରକାରଙ୍କ ଯୋଜନା କେବଳ ରାଜ୍ୟ ଭିତରେ ସୀମିତ ଅଟେ। ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ ଓଡିଶା ବାହାରେ ଥିବା ଲକ୍ଷ ଲକ୍ଷ ଓଡିଆ ଏହାର ସୁବିଧା ଉଠାଇ ପାରିବେ। ଏହା ସହ ରାଜ୍ୟ ବାହରକୁ ଚିକିତ୍ସା ପାଇଁ ଯାଉଥିବା ଗରିବ ଲୋକ ମଧ୍ୟ ଏହାର ଲାଭ ନେଇପାରିବ ବୋଲି ଶ୍ରୀ ଚୌବେ କହିଛନ୍ତି।

ଆଗାମୀ ଦିନରେ କେନ୍ଦ୍ର ସରକାର ଦେଶରେ ୧.୫ କୋଟି ୱେଲନେସ ସେଟଂର ଖୋଲିବାକୁ ନିଷ୍ପତି ନିଆଯାଇଛି। ଚଳିତ ବର୍ଷ ୧୫ ହଜାର ୱେଲନେସ ସେଟଂର ଖୋଲିବାକୁ ଯାଉଛି। ଏଥିରେ ୧୨ଟି ରୋଗ ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ସେହିପରି ଆୟୁଷ୍ମାନ ଭାରତରେ ୧୩୫୦ଟି ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା ରହିଛି। ଆଗାମୀ ୨୫ ସେପ୍ଟେମ୍ବର ଦିନ ୱେଲନେସ ସେଟଂରର ଶୁଭାରମ୍ଭ ହେବ ବୋଲି ଶ୍ରୀ ଚୌବେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *