ମୋଟେଲ ଛକ ରାସ୍ତା ମରଣଯନ୍ତ୍ରା

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କର ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଭଦ୍ରକ ସହର ଏବଂ ଏହାର ଆଖପାଖ ୧୨ଟି ପଞ୍ଚାୟତର ଲକ୍ଷାଧିକ ଜନସାଧାରଣ ମରଣ ମୁହଁରେ ଦିନ କାଟୁଛନ୍ତି। ଭଦ୍ରକ ସହର ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ତୃଟିପୂର୍ଣ୍ଣ ନିର୍ମାଣ ଶୈଳୀ ଯୋଗୁଁ ଜାତୀୟ ରାଜପଥର ମୋଟେଲ ଛକ ମରଣାଯନ୍ତା ପାଲଟିଛି। ରାଜପଥ ସଂପ୍ରସାରଣ ପରେ ଏହି ଛକରେ ଅନ୍ୟୁନ ପକ୍ଷେ ୫୦ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ଶତାଧିକ ଲୋକ ଆହତ ହୋଇ ଅକର୍ମଣ୍ୟ ହୋଇଛନ୍ତି। କେବଳ ସେତିକି ନୁହେଁ ରାଜପଥ ଦୁର୍ଘଟଣାରେ କୋଟି କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ଏଥିନେଇ ଲୋକଙ୍କ ଧାରଣା ଧର୍ମଘଟ ସବୁ କିଛି କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣଙ୍କ ପାଖରେ ମୂଲ୍ୟହୀନ ସାବ୍ୟସ୍ତ ହୋଇଛି। ଜାତୀୟ ରାଜପଥରେ ଏହି ଧରଣର ଦୁର୍ଘଟଣା ଏବଂ କ୍ଷୟ କ୍ଷତିକୁ ଦୃଷ୍ଟିରେ ରଖି ଭଦ୍ରକ ସାଂସଦ ଅଜୁର୍ନ ସେଠୀଙ୍କ ପକ୍ଷରୁ ବାରମ୍ବାର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗ କରି ସମସ୍ୟାର ସମାଧାନ ସକାଶେ ମୋଟେଲ ଛକ ଠାରେ ଏକ ଭେଇକୁଲାର ଅଣ୍ଡରପାସ୍ ନିର୍ମାଣ କରିବାକୁ ଦାବି କରିଆସୁଥିବାବେଳେ ପ୍ରାଧିକରଣ କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତିରେ କାଳକ୍ଷେପଣ ନୀତି ଆପଣେଇ ଚାଲିଛନ୍ତି। ବିଭାଗୀୟ ମନ୍ତ୍ରୀ ଏହି ରାଜପଥର ଛଅଟିକିଆ ରାସ୍ତା ନିର୍ମାଣ ବେଳେ ଏଥିପ୍ରତି ଧ୍ୟାନ ଦିଆଯିବ କହି ପ୍ରସଙ୍ଗ ଏଡେଇ ଚାଲିଥିବାବେଳେ ଦୁର୍ଘଟଣା ପ୍ରବଣ ଏହି ଛକରେ ପ୍ରତିବର୍ଷ ଲୋକ ପୋକମାଛି ପରି ମରିଚାଲିଛନ୍ତି। ସେହିଭଳି ଏହି ରାସ୍ତାର ଗବସାହି ଲେବଲ କ୍ରସିଂ ଠାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାଂସଦ ଶ୍ରୀ ସେଠୀ ଏଠାରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ କରିବାକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଠାରେ ବାରମ୍ବାର ଦାବି ରଖି ଆସୁଥିବାବେଳେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏହି ପ୍ରସଙ୍ଗକୁ ମଧ୍ୟ ଟାଳି ଚାଲିଛନ୍ତି। ଏଠାରେ ଏକ ପାସେଞ୍ଜର ହଲ୍ଟ ସ୍ଥାପିତ ହେଲେ କେବଳ ଭଦ୍ରକ ଜିଲା ନୁହେଁ ପରନ୍ତୁ ବାଲେଶ୍ୱର, ମୟୁରଭଂଜ ଏବଂ କେନ୍ଦୁଝର ଜିଲାର ଉପାନ୍ତ ଅଂଚଳବାସୀ ଏହି ଷ୍ଟେସନ ଜରିଆରେ ଉପକୃତ ହୋଇପାରନ୍ତେ।

Leave a Reply

Your email address will not be published. Required fields are marked *