ମେଧାବୀଙ୍କୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ବର୍ଦ୍ଧନା

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଗାନ୍ଧି ପଡ଼ିଆସ୍ଥିତ ମଞ୍ଜୁଳ ମଞ୍ଜରୀ ଶିଶୁ ବିଦ୍ୟା ମନ୍ଦିରର୨୦୧୭-୧୮ ଶିକ୍ଷାବର୍ଷରେ ହାଇସ୍କୁଲ ସାର୍ଟିଫିକେଟେ ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ତଥା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥଲା। ଉକ୍ତ ସଭାରେ ଜିଲ୍ଲାା ଶିକ୍ଷାଧିକାରୀ ସଂଗ୍ରାମ କୁମାର ସାହୁ ମୁଖ୍ୟ ଅତିଥି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। ବିଦ୍ୟାଳୟର ସଭାପତି ଡ଼ାକ୍ତର ସୁଧିର ରଂଜନ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ପ୍ରଧାନ ଆଚାର୍ଯ୍ୟ ପୁରୁଜିତ ମୁନୀ ସ୍ୱାଗତ ଭାଷଣ, ଉପସଭାପତି ଇଂ ଅଭୟ ସୂତାର ଅତିଥି ପରିଚୟ ପ୍ରଦାନ କରିଥିଲେ। ଆରମ୍ଭରେ ସାମୁହିକ କଣ୍ଠ ସଂଗୀତ ପରେ ଅନୁଷ୍ଠାନର ସଂପାଦକ କୃପାସିନ୍ଧୁ ନାୟକ ବିଦ୍ୟାର୍ଥୀଙ୍କ ଚରିତ୍ର ଗଠନ ସମ୍ପର୍କର୍ରେ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁଷ୍ପଗୁଛ ମାଧ୍ୟମରେ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ଶିଶୁ ମନ୍ଦିରର ଗୁଣାତ୍ମକ ଶିକ୍ଷାପଦ୍ଧତିର ଭୂୟଶୀ ପ୍ରଶାଂସା କରିବା ସହିତ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ମୁଖ୍ୟବକ୍ତା ଭାବରେ ଶ୍ରୀ ଆଚାର୍ଯ୍ୟ ଶିଶୁ ମନ୍ଦିରରେ ପ୍ରଚଳିତ ଗୁରୁ-ଶିଶ୍ୟ ପରମ୍ପରାକୁ ସାଧୁବାଦ ଜଣାଇ ସାମାଜିକ ସ୍ତରରେ ଏହାର ମୂଲ୍ୟବୋଧକୁ ସର୍ବସମ୍ମୁଖରେ ବଖାଣିଥିଲେ। ସମଗ୍ର ଜିଲ୍ଲାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା କଲ୍ୟାଣୀ ପାଣିଗ୍ରାହୀ, ସୋମ ସୌରଭ ମହାନ୍ତି, ସୌମ୍ୟରଂଜନ ଜେନା, ଶୁଭ୍ରଜ୍ୟୋତି ମହାନ୍ତି, ଶୁଭସ୍ମିତା ଖଟୁଆ ଓ ସେମାନଙ୍କ ପିତା-ମାତାଙ୍କ ସମେତ ବିଗତ ଶିକ୍ଷାବର୍ଷ ଓ ଚଳିତ ଶିକ୍ଷା ବର୍ଷର ସମସ୍ତ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ, ଅନୁଷ୍ଠାନର ସମସ୍ତ ଗୁରୁଜୀ ଓ ଗୁରୁମା ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଶେଷରେ ସଂପାଦକ ଶ୍ରୀ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *