ମୃତ୍ୟୁଯନ୍ତା ପାଲଟିଛି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଡାଇରିଆ ରୋଗୀ ଏବେ ହାତ ହରାଇବା ଆଶଙ୍କା ଗ୍ରାମବାସୀଙ୍କ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରିଣୀଙ୍କୁ ଘେରାଉ, ଥାନାରେ ଏତଲା

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ପ୍ରମୋଦ ରାୟ) ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ କିଭଳି ଜିଲାବାସୀଙ୍କ ପାଇଁ ମୃତ୍ୟୁଯନ୍ତା ପାଲଟିଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଡାଇରିଆ ଚିକିତ୍ସା ପାଇଁ ଆସି ଏବେ କଟକର ଏକ ଘରୋଇ ନର୍ସିଂହୋମ୍ରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମେଧାବୀ ଛାତ୍ର ତାପସ କୁମାର ନାୟକଙ୍କ କ୍ଷେତ୍ରରେ। ଏହି ଘଟଣାକୁ ନେଇ ଆଜି ପୂର୍ବତନ ସରପଞ୍ଚ ଗୋବିନ୍ଦ ଥାଟୋଇ, ମଦନ ଥାଟୋଇଙ୍କ ନେତୃତ୍ୱରେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରିଣୀ ଗୀତାଞ୍ଜଳି ପଟ୍ଟନାୟକଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରାଉ କରାଯିବା ସହ ଏଭଳି ଅଭାବନୀୟ ଘଟଣାରେ ସଂପୃକ୍ତ ଥିବା ଡାକ୍ତର, ନର୍ସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନର ଦାବି କରାଯାଇ ଏ ସଂପର୍କରେ ଏକ ଅଭିଯୋଗ ପତ୍ର ସହରାଞ୍ଚଳ ଥାନାରେ ଦିଆଯାଇଛି। ତେବେ ଏହି ଘେରାଉ ଚାଲୁଥିବା ସମୟରେ ଅନ୍ୟ ଏକ କାର୍ଯ୍ୟରେ ଆସିଥିବା ସ୍ଥାନୀୟ ସାଂସଦ ଅର୍ଜୁନ ଚରଣ ସେଠୀ ସମସ୍ତ ବିଷୟ ଅବଗତ ହେବା ପରେ ଗଭୀର କ୍ଷୋଭ ପ୍ରକାଶ କରି ତୁରନ୍ତ ସଂପୃକ୍ତ ଛାତ୍ରର ସମସ୍ତ ଚିକିତ୍ସା ଖର୍ଚ୍ଚ ସଂପୃକ୍ତ ଡାକ୍ତର ଓ ନର୍ସ ବହନ କରିବାକୁ ମୁଖ୍ୟ ଚିକିତ୍ସାଧିକାରିଣୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ସଂପର୍କରେ ସଂପୃକ୍ତ ଛାତ୍ରର ମାମୁଁ ବାଦଲ କୁମାର ସାହୁ ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ଯାହା ଜଣାଯାଏ ପଡୋଶୀ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନସ୍ଥ କଳସପୁର ଗ୍ରାମର ନଟବର ନାୟକଙ୍କ ପୁତ୍ର ତାପସ ଏବେ ନିଜ ପିତାଙ୍କ ଅନୁପସ୍ଥିତି ଯୋଗୁଁ ପିଲାଦିନରୁ ନିଜ ମାମୁଁ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାଣିତିଆରେ ରହି ପାଠ ପଢିଆସୁଅଛି। ତାପସଙ୍କ ପିତା ନଟବର ଦୀର୍ଘ ୧୯ ବର୍ଷ ପୂର୍ବେ ବାଙ୍ଗାଲୋର ଯାଇ ଆଉ ଘରକୁ ଫେରିନଥିଲେ। ଯେଉଁଥିପାଇଁ ମା’ ମଂଜୁଲତା ୫ ବର୍ଷରୁ ତାପସକୁ ନେଇ ନିଜ ପିତ୍ରାଳୟରେ ମୁଣ୍ଡ ଗୁଂଜିଛନ୍ତି। ଅର୍ଥାଭାବରୁ ମଂଜୁଲତା ଆଶାକର୍ମୀ ଭାବେ ଯେଉଁ କିଛି ଅର୍ଥ ରୋଜଗାର କରନ୍ତି, ସେଥିରେ ତାପସ ଯୁକ୍ତ ତିନି ପର୍ଯ୍ୟନ୍ତ ପାଠ ପଢିଆସୁଅଛି। ମେଧାବୀ ଛାତ୍ର ଭାବେ ତାପସ ବାଣିତିଆର ସମସ୍ତ ଗ୍ରାମବାସୀଙ୍କ ପ୍ରିୟ ପାତ୍ର ହୋଇଥିବାବେଳେ ଗତ ୨୨ ତାରିଖରେ ଲାଳଝାଡ ହେବାରୁ ପରିବାର ଲୋକେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାର ଚିକିତ୍ସା କରାଯିବା ସମୟରେ ମେଡିସିନ୍ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର ଶୈଳେଶ କୁମାର ଧଳ ଓ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଭ୍ୟାନ୍ରେ ଦିଆଯିବାକୁ ଥିବା ଏକ ଇଂଜେକ୍ସନ୍ ମାଂସପେଶୀରେ ଫୋଡାଯାଇଥିଲା। ଫଳରେ ଅଳ୍ପ ସମୟ ମଧ୍ୟରେ ତାପସର ବାମହାତଟି ଅସମ୍ଭବ ଭାବେ ଫୁଲିଯିବା ସହ ନୀଳ ପଡିଯାଇଥିଲା। ଏହାଦେଖି ଚିକିତ୍ସାରତ ସଂପୃକ୍ତ ଡାକ୍ତର ତାକୁ ତୁରନ୍ତ କଟକ ନେଇଯିବାକୁ କହି ଡିସ୍ଚାର୍ଜ କରିଦେଇଥିଲେ। ମାତ୍ର ଡାକ୍ତର ଓ ନର୍ସଙ୍କ ଏପରି ଅପରିଣାମଦର୍ଶିତା କାର୍ଯ୍ୟ ଯୋଗୁଁ ଗୁରୁତର ହୋଇପଡିଥିବା ଦରିଦ୍ର ଓ ଅସହାୟ ତାପସ ପରିବାର ପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷ ସାମାନ୍ୟତମ ଦୟା ଦେଖାଇନଥିଲେ। ଏପରିକି କଟକ ଯିବା ପର୍ଯ୍ୟନ୍ତ ସରକାରୀ ଆମ୍ବୁଲାନ୍ସଟିଏ ମଧ୍ୟ ଯୋଗାଇ ଦେଇନଥିଲେ। ତେବେ ଗ୍ରାମବାସୀଙ୍କ ସହଯୋଗରେ ତାପସକୁ ସେହିଦିନ ରାତିରେ କଟକ ବଡଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ଡାକ୍ତରମାନେ ତାର ତୁରନ୍ତ ଅସ୍ତ୍ରୋପଚାର ନହେଲେ ହାତଟିକୁ କାଟିଦିଆଯିବ ବୋଲି ସୂଚାଇଥିଲେ। ଏବଂ ଏହି ଅସ୍ତ୍ରୋପଚାର ସେଠାରେ ସଂଗେ ସଂଗେ ହୋଇପାରିବ ନାହିଁ ବୋଲି କହି ଆସନ୍ତାକାଲି ସୁଦ୍ଧା ନକଲେ ମୃତ୍ୟୁ ହୋଇଯାଇପାରେ ବୋଲି ଚେତାବନୀ ଦେଇଛନ୍ତି। ଫଳରେ ପରିବାର ଲୋକେ ତାକୁ ଏକ ଘରୋଇ ନର୍ସିଂହୋମ୍କୁ ନେଇ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ତାପସ କେତୋଟି ଆଂଗୁଳି ହରାଇବ ବୋଲି ଜଣାପଡିଛି। ଏବେ ତାପସ ଅର୍ଥାଭାବରୁ ମୃତ୍ୟୁ ସହ ସେଠାରେ ସଂଗ୍ରାମ କରୁଥିବାବେଳେ ଏହି ଘଟଣାରେ ଉତ୍ତେଜିତ ହୋଇ ଗ୍ରାମବାସୀମାନେ ଆଜି ଜିଲା ମୁଖ୍ୟ ଚିକିତ୍ସାଧିକାରିଣୀଙ୍କୁ ଘେରାଉ କରିଥିଲେ। ତେବେ ସାଂସଦ ଶ୍ରୀ ସେଠୀ ସେଠାରେ ପହଂଚି ତାପସର ସମସ୍ତ ଚିକିତ୍ସା ଖର୍ଚ୍ଚ ଡାକ୍ତରଖାନା କର୍ତ୍ତୃପକ୍ଷ ବହନ କରିବା ସହ ଏ ଦିଗରେ ମୁଖ୍ୟ ଚିକିତ୍ସାଧିକାରିଣୀ ଶ୍ରୀମତୀ ପଟ୍ଟନାୟକ ଓ ଡାକ୍ତର ସୁବାଷ ଚନ୍ଦ୍ର ବିଶ୍ୱାଳ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *