ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ: କାମ ନସରୁଣୁ କାଙ୍କେରିମାଲ ରାସ୍ତା ଭୁଷୁଡିଲା

କଳାହାଣ୍ଡି- (ଓଡିଆପୁଅ) ଅଗମ୍ୟ ଓ ଅନୁନ୍ନତ ଅଂଚଳକୁ ସଡକ ପଥରେ ସଂଯୋଗ କରି ଗମନାଗମନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି କରିବା ପାଇଁ କେନ୍ଦ୍ରୀୟ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଢାଂଚାରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ମୁଖ୍ୟମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ କାର୍ଯ୍ୟକାରୀ କରାଯାଉଛି। ହେଲେ ବିଭାଗୀୟ ଯନ୍ତ୍ରୀ ଅଧିକାରୀ ମାନଙ୍କ ଲାଭଖୋର ମନୋଭାବ ତଥା ଠିକାଦାର ମାନଙ୍କ ସହିତ ମଧୂଚନ୍ଦ୍ରିକା ଯୋଗୁଁ ଏହି ସଡକ ଗୁଡିକ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି। ଏଭଲି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜୁନାଗଡ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ଗ୍ରାମପଂଚାୟତ ର ଜିଲିଂଦର ଠାରୁ କାଙ୍କେରିମାଲ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟରେ। ୨୦୧୭-୧୮ ଆର୍ଥôକ ବର୍ଷରେ ପାକେଜ ନଂ-ଓଡି ୧୫ ଏମଏମଏସୱାଇ-୧୬ ରେ ୨କୋଟି ୫୬ ଲକ୍ଷ ୫୮ ହଜାର ବ୍ୟୟ ଅଟକଳରେ ପିଚୁ ରାସ୍ତା ୪.୨ କି.ମି ଓ କଂକ୍ରିଟ ରାସ୍ତା ୮୦୦ ମି. ମୋଟ ଏହି ୫ କି.ମି. ରାସ୍ତା କାର୍ଯ୍ୟଟି ଗତ ୨୦୧୭ ଅପ୍ରେଲରେ କାର୍ଯ୍ୟାରମ୍ଭ ହୋଇ ୨୦୧୮ ଜାନୁଆରୀ ମଧ୍ୟରେ ଶେଷ ହେବାର ଥିଲା। ତେବେ ବିଭାଗୀୟ ଯନ୍ତ୍ରୀ-ଠିକାଦାରଙ୍କ ଲାଭଖୋର ମନୋଭାବ ଏବଂ ଅବହେଲା ଯୋଗୁଁ ଏହି ରାସ୍ତାଟି ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଗ୍ରାମବାସୀ ଓ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ଅନେକ ବାର ଅଭିଯୋଗ କରିଆସୁଥିଲେ। ହେଲେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ସେସବୁକୁ ଅଣଦେଖା କରିଆସୁଥିଲେ। ଯେତେ ପରିମାଣରେ ମାଟି, ବାଲି, ଗେଟି, ପିଚୁ ଇତ୍ୟାଦି ପକାଇବାର କଥା ସେହି ଅନୁପାତରେ ପକାଯାଇନଥିବା ଏବଂ କଂକ୍ରିଟ କାମରେ ମଧ୍ୟ ସେହି ଅନୁପାତରେ ବାଲି, ସିମେଂଟ ଇତ୍ୟାଦି ଦିଆଯାଇନଥିବା ଅଭିଯୋଗ ହୋଇଆସୁଥିଲା। ଅନ୍ୟପକ୍ଷରେ ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଚାଲିଥିଲା। ଏସଂପର୍କରେ ସ୍ଥାନୀୟ ଲୋକେ ବିଭିନ୍ନ ଗଣମାଧ୍ୟମରେ ଏବଂ ସୋସିଆଲ ମିଡିଆରେ ମଧ୍ୟ ଅଫଲୋଡ କରିଥିବା ଦେଖାଯାଇଥିଲା। ହେଲେ ସେସବୁକୁ ଉଚ୍ଚ କର୍ତ୍ତୃପକ୍ଷ ଅଣଦେଖା କରିଆସୁଥିଲେ ଏପରିକି ଖୋଦ ଜୁନାଗଡ ବିଧାୟକ ମଧ୍ୟ କେବଳ ସେହି ରାସ୍ତା କାର୍ଯ୍ୟ ଠିକ ଅଛି ବୋଲି ଜନସାଧାରଣଙ୍କୁ ଜଣାଇବା ପାଇଁ କାଙ୍କେରୀମାଲ ଗସ୍ତ କରି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଉଚ୍ଚ ପଦାଧିକାରୀ ହେଉ କି ଉଚ୍ଚ ରାଜନେତା ହେଉ ରାସ୍ତା କାର୍ଯ୍ୟ ଠିକ ହୋଇଥିବା ସାର୍ଟିଫିକେଟ ଦେଇଦେଲେ ହେଁ ବାସ୍ତବ କ୍ଷେତ୍ରରେ ଯେଉଁଭଲି ଭାବେରାସ୍ତା ନିର୍ମାଣ ହୋଇଛି ସେହି ଅନୁସାରେ ରାସ୍ତା ଏବେ ଫାଟିବାକୁ ବସିଲାଣି। ନାମକୁ ମାତ୍ର ଗେଟି ଓ ପିଚୁ ପକାଯାଇଥିବା ସ୍ପଷ୍ଟ ଭାବେ ଦେଖାଯାଉଛି। ଗତ ୧୪ ତାରିଖ ଠାରୁ ବର୍ଷା ହେବା ପରେ ଏହାର ଅବସ୍ଥା ଆହୁରି ଖରାପ ହୋଇଯାଇଛି। ବିଭାଗୀୟ ଯନ୍ତୀ ଠିକାଦାର ମିଶି ବର୍ଷା ଯୋଗୁଁ ରାସ୍ତା ଖରାପ ହୋଇଥିବା କାଗଜ ପତ୍ରରେ ଦର୍ଶାଇ ଦେଇ ପାରନ୍ତି କିନ୍ତୁ ଗତ ଜାନୁଆରୀ ମାସରେ ଶେଷ ହେବାକୁଥିବା ଏହି ରାସ୍ତା କାର୍ଯ୍ୟ କାହିଁକି ଠିକଣା ସମୟରେ ଶେଷ ହୋଇପାରିଲା ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଛଡା ସ୍ଥାନୀୟ ଲୋକେ ଆଗରୁ ନିମ୍ନମାନର ରାସ୍ତା କାର୍ଯ୍ୟ ହେଉଥିବା ଯେଉଁ ଅଭିଯୋଗ କରିଆସୁଥିଲେ ସେହି ଅଭିଯୋଗ କଣ ଚଳିତ ବର୍ଷାରେ ଧୋଇ ହୋଇଯିବ କି ବୋଲି ସାଧାରଣରେ ଆଲୋଚନା ହେଉଛି। କାଗଜ ପତ୍ରରେ ବିଭାଗୀୟ ଯନ୍ତ୍ରୀ କିପଡରି ସୁରକ୍ଷିତ ହେବେ ତାହା ସାଧାରଣ ଲୋକେ ହୁଏତ ଜାଣିପାରିବେ ନାହିଁ କିନ୍ତୁ ଏହି ରାସ୍ତା କାର୍ଯ୍ୟ ଟି ଯେ ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କରାଯାଇଛି ତାହା ଏବେ ମଧ୍ୟ ଠିକ କରି ଅନୁସନ୍ଧାନ କରାଗଲେ ସ୍ପଷ୍ଟ ଭାବେ ଜଣାପଡିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ସଂପର୍କରେ ଏକ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ଏବଂ ସରକାରଙ୍କ ଅର୍ଥ ଠିକ ଭାବେ ବିନିଯୋଗ ହୋଇପାରିବ ବୋଲି ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *