ମୂକ ବଧିର ବାଳିକାର ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକର ସ୍ପେଶାଲ ଟ୍ରାକ୍ ଜଜ୍ ଲଳିତା ମଂଜରୀ ପଟ୍ଟନାୟକ ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ୨୦୧୫ ମେ ୯ ତାରିଖ ଦିବା ୬ ଘଟିକା ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଅଳଉତି ଗ୍ରାମର ଅଶୋକ ଜେନା ପଡୋଶୀ ଗ୍ରାମର ଏକ ମୂକବଧିର ଝିଅ ଘରେ ପ୍ରବେଶ କରି ଏକୁଟିଆ ଥିବା ଅବସ୍ଥାରେ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଯାହାଦ୍ୱାରା ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ପୀଡିତା ଅଚେତ ହୋଇପଡିଥିଲେ। ତାଙ୍କର ପିତା, ମାତା ଚାଷଜମିରୁ ଘରକୁ ଫେରି ଝିଅର ଅବସ୍ଥା ଦେଖି ପଚାରିବାରୁ ସେ ସମସ୍ତ ଘଟଣାକୁ ସୂଚାଇଥିଲା। ଫଳରେ ତାଙ୍କ ପିତା ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏତଲା ଦେବା ସହ ପୀଡିତାକୁ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ଏହି ଘଟଣାରେ ଗ୍ରାମାଞ୍ଚଳ ଥାନାରେ ପିଏସ୍ କେଶ୍ ନଂ ୨୭୬/୧୫ ମୂଳେ ଏକ ମାମଲା ରୁଜୁ କରି ୩୭୬ ଆଇପିସି ଦଫାରେ ଥାନାଧିକାରୀ ଚାର୍ଜସିଟ୍ ଦାଖଲ କରିଥିଲେ। ଆଜି ଭଦ୍ରକର ସ୍ପେଶାଲ ଟ୍ରାକ୍ ଜଜ୍ ଲଲିତା ମଂଜରୀ ପଟ୍ଟନାୟକ ଏସ୍ଟି ନଂ ୭୦/୨୭୨/୧୫ ମୂଳେ ମୋକଦ୍ଦମାର ବିଚାର କରି ୧୫ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ ସହ ଡାକ୍ତରଙ୍କ ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ଅଶୋକ ଜେନାକୁ ୩୭୬ ଆଇପିସି ଦଫାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇବା ସହ ପୀଡିତାକୁ କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତା ଜଣେ ମୂକ ବଧିର ହୋଇଥିବାରୁ କୋର୍ଟରେ ଜମାନବନ୍ଦୀ ଓ ୧୬୪ ଷ୍ଟେଟ୍ମେଣ୍ଟ ସମୟରେ ଚରମ୍ପାସ୍ଥିତ ମହାବୀର ମୂକ ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ବାରିକଙ୍କର ସହାୟତା ନିଆଯାଇଥିଲା। ଏହି ମକଦ୍ଦମାକୁ ସରକାରଙ୍କ ପକ୍ଷରୁ ଆଇନ୍ଜୀବୀ ବସନ୍ତ କୁମାର ସ୍ୱାଇଁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *