ମୁମ୍ବାଇରେ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ ଆୟୋଜିତ

ସମ୍ବଲପୁର, ୨୭/୯ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ମୁମ୍ବାଇ ଦାଦରସ୍ଥିତ ସ୍ୱାତନ୍ତ୍ର ବୀର ସାବରକର ଅଡ଼ିଟୋରିୟମରେ ଗତକାଲି ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ୧୧ତମ ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଛି। ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ସଚିବ ଅରବିନ୍ଦ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସୁପରିଚିତ ଅଭିନେତା ସତୀଶ ଶାହା ଏବଂ ଆଶିଷ ବିଦ୍ୟାର୍ଥୀ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ। ଟେଲିଭିଜନ ଅଭିନେତ୍ରୀ ସୋନାଲିକା ଯୋଷୀ ଏବଂ ଦୀଶା ବକାନୀ ମଧ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ଏ ଅବସରରେ ମହାନ ଗାୟକ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲଙ୍କୁ ସମ୍ମାନିତ କରାଯାଇଥିଲା। ସମସ୍ତ ଅତିଥିମାନଙ୍କୁ ସମ୍ବଲପୁରୀ ବସ୍ତ୍ର ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। ପଦ୍ମଶ୍ରୀ ହରିପାଲ ତାଙ୍କର ଯୁଗାନ୍ତକାରୀ ଗୀତ ରଙ୍ଗବତୀ ପରିବେଷଣ କରିଥିବା ବେଳେ ସମ୍ବଲପୁରର ରଙ୍ଗ ଫରୁଆ ଦଳ ସମ୍ବଲପୁରୀ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ସମ୍ବଲପୁରର ‘ଟ୍ରାଡ଼ିସନାଲ ଭଗ୍ ’ ପକ୍ଷରୁ ସମ୍ବଲପୁରୀ କନାରେ ପ୍ରସ୍ତୁତ ଅତ୍ୟାଧୁନିକ ବସ୍ତ୍ର ପରିଧାନ କରି ମୁମ୍ବାଇର ମୋଡ଼େଲମାନେ ର୍ୟାମ୍ପ ଉପରେ ଚାଲି ସୁନ୍ଦର ଛଟା ପରିବେଷଣ କରିଥିଲେ। ଏ ଅବସରରେ ସମ୍ବଲପୁରୀ ବସ୍ତ୍ର ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ବିଭିନ୍ନ ପରୀକ୍ଷାରେ ତଥା କ୍ରୀଡ଼ା କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିôବା ପଶ୍ଚିମ ଓଡ଼ିଶା ପରିବାରର ସଦସ୍ୟଙ୍କ ସନ୍ତାନମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ବଲପୁରୀ ନୃତ୍ୟର ମାଧୁର୍ଯ୍ୟରେ ଆକର୍ଷିତ ହୋଇ ପଦଚାଳନା ଶିଖି ଅତିଥି ସତିଶ ଶାହା ଏବଂ ଆଶିଷ ବିଦ୍ୟାର୍ଥୀ ମଧ୍ୟ ସମ୍ବଲପୁରୀ ନୃତ୍ୟରେ ପଶ୍ଚିମ ଓଡ଼ିଶା ପରିବାରର ସଦସ୍ୟମାନଙ୍କ ସହିତ ଭାଗ ନେଇଥିଲେ। ‘ଜୁହାର’ ସ୍ମରଣିକାର ସପ୍ତମ ସଂସ୍କରଣକୁ ମୁଖ୍ୟ ଅତିଥି ଶ୍ରୀ ସିଂହ ଉନ୍ମୋଚନ କରିଥିଲେ। ବରିଷ୍ଠ ସଦସ୍ୟ ପ୍ରଦୀପ ପଣ୍ଡା ସମସ୍ତଙ୍କୁ ମୋମେଣ୍ଟୋ ପ୍ରଦାନ କରିଥିଲେ। କ୍ଷୀରି ଓ ମଣ୍ଡାପିଠା ସହିତ କେଟ୍ କର କେଟରର୍ସ ଦ୍ୱାରା ପରିବେଷିତ ଖାଦ୍ୟ ସମୂହ ଭୋଜନରେ ସାମିଲ କରାଯାଇଥିଲା। ଓଡ଼ିଶା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏବଂ ମୁମ୍ବାଇର ବିଭିନ୍ନ ସଂସ୍ଥା ଏହି ଉତ୍ସବ ଆୟୋଜନରେ ସହଯୋଗର ହାତ ବଢ଼ାଇଥିଲେ।

Leave a Reply

Your email address will not be published. Required fields are marked *