ad
ଓଡ଼ିଶା

ମୁମ୍ବାଇରେ ନୂଆଁଖାଇ ଭେଟଘାଟ

ସମ୍ବଲପୁର, ୮/୧୦ (ଓଡ଼ିଆ ପୁଅ) : ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ଦାଦର ସ୍ଥିତ ମୁମ୍ବାଇ ସ୍ୱାତନ୍ତ୍ର ବୀର ସାବରକର ପ୍ରେକ୍ଷାଗୃହରେ ଗତକାଲି ୧୨ତମ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଗ୍ରେଟର ମୁମ୍ବାଇ କ୍ଷେତ୍ରରେ ବାସ କରୁଥିବା ପଶ୍ଚିମ ଓଡ଼ିଶାର ମୂଳବାସିନ୍ଦା ଏଥିରେ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ବରିଷ୍ଠତମ ମହିଳାଙ୍କ ଦ୍ୱାରା ମା’ ସମଲେଶ୍ୱରୀଙ୍କ ପ୍ରତିକୃତୀ ସମ୍ମୁଖରେ ପୂଜା ଓ ପଣ୍ଡିତ ଚମ୍ପକ ତ୍ରିପାଠୀଙ୍କ ଦ୍ୱାରା ମନ୍ତ୍ରୋଚ୍ଚାରଣ, କ୍ଷୀରି, ମଣ୍ଡା ଓ କାକରାର ଭୋଗ ଅର୍ପଣ ଜରିଆରେ ଭେଟଘାଟ ଉଦ୍ଘାଟିତ ହୋଇଥିଲା। ପରସ୍ପରକୁ ଶୁଭେଚ୍ଛା ଜଣାଇବା ପରେ ଏନ୍ପିସିଆଇର ପୂର୍ବତନ ସିଇଓ ମାଟିପୁତ୍ର ଅଭୟ ହୋତାଙ୍କ ମୁଖ୍ୟ ଆତିଥ୍ୟ କ୍ରମେ ଭେଟଘାଟ ଉତ୍ସବ ଆରମ୍ଭ ହୋଇଥିବା ବେଳେ ସୁପରିଚିତ ଚଳଚ୍ଚିତ୍ର ଏବଂ ଟେଲିଭିଜନ କଳାକାର ସୁଦେଶ ବେରୀ, ପୋଖତ ଡବିଂ କଳାକାର ଅମିତ ଘନଶ୍ୟାମ ଏବଂ ଟେଲି କଳାକାର ହିତେନ୍ ତେଜୱାନୀ ଏଥିରେ ଅତିଥି ଭାବରେ ଯୋଗଦେଇ ଉତ୍ସବକୁ ମୁଖରିତ କରିଥିଲେ। ସୁଦେଶ ବେରୀ ମା’ ସମଲେଶ୍ୱରୀଙ୍କ ଜୟଧ୍ୱନି କରି ସମସ୍ତଙ୍କ ନୂଆଁଖାଇ ଜୁହାର ଜଣାଇବା ସହିତ ମୁମ୍ବାଇରେ ସମ୍ବଲପୁରୀ ସଂସ୍କୃତିର ପ୍ରସାର ପ୍ରଚାର ସକାଶେ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ତାଙ୍କ ଦ୍ୱାରା ଅଭିନିତ ‘ବଂଶ’ ଚଳଚ୍ଚିତ୍ରର ସଂଳାପ କହିଥିଲେ। ଅନ୍ୟତମ ଅଭିନେତା ତଥା ଡବିଂ କଳାକାର ଅମିତ ଘନଶ୍ୟାମ ହିନ୍ଦୀ ଚଳଚ୍ଚିତ୍ର ଜଗତର ବିଭିନ୍ନ ଲୋକପ୍ରିୟ କଳାକାରଙ୍କ ସ୍ୱରରେ ସଂଳାପ କହି ପରିବେଶକୁ ଆନନ୍ଦମୟ କରିଥିଲେ। ସେହିଭଳି ହିତେନ ତେଜୱାନୀ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇ ‘କୁ୍ୟଁ କି ଶାଶ୍ ଭି କଭି ବହୂ ଥି’ ଏବଂ ଅନ୍ୟାନ୍ୟ ଧାରାବାହିକରୁ ତାଙ୍କର ସଂଳାପ ମାନ କହିଥିଲେ। ଅତିଥିମାନେ ‘ଜୁହାର’ର ଅଷ୍ଟମ ସଂଖ୍ୟାର ଉନ୍ମୋଚନ କରିଥିଲେ। ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର ସ୍ଥାନିତ ଗୋଟିଏ ଲେଖାଏଁ ସ୍ମାରକୀ ସବୁ କଳାକାର ଏବଂ ଅତିଥିମାନଙ୍କୁ ଦିଆଯାଇଥିଲା। ସମ୍ବଲପୁରର ‘ବଜନିଆଁ’ ଦଳ ସମ୍ବଲପୁରୀ ଗୀତ ନୃତ୍ୟର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସୁଦେଶ ବେରୀ, ହିତେନ ତେଜୱାନୀ ଏବଂ ଅମିତ ଘନଶ୍ୟାମଙ୍କୁ ମଧ୍ୟ କଳାକାରମାନେ ସମ୍ବଲପୁରୀ ନାଚ କରାଇଥିଲେ। ଅନ୍ତିମ ସମୟରେ ସମସ୍ତ ଦର୍ଶକ ମଧ୍ୟ ଏକସଙ୍ଗରେ ସମ୍ବଲପୁରୀ ନୃତ୍ୟ କରି ଏ ଆୟୋଜନର ଭରପୁର ମଜା ନେଇଥିଲେ। ଆୟୋଜନକାରୀ ସଂସ୍ଥାର ପ୍ରମୁଖ ବରିଷ୍ଠ ସଦସ୍ୟ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ କଳାକାର ଦଳଙ୍କୁ ସ୍ମାରକୀ ପ୍ରଦାନ କରିଥିଲେ। ବିଭିନ୍ନ ପରୀକ୍ଷା, କ୍ରୀଡ଼ା ଏବଂ କଳା ଗତିବିଧିରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ସମ୍ବଲପୁରୀ ବସ୍ତ୍ର ପ୍ରତିଯୋଗିତା ଏବଂ ଫେସନ ସୋ’ର କୃତୀ ପ୍ରତିଯୋଗୀଙ୍କୁ ଏ ଅବସରରେ ପୁରସ୍କୃତ କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top