ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଜଣାଇଲା ବିଜେପି

– ନିର୍ବାଚନ ଦାୟିତ୍ୱରେ ଥିବା ପୋଲିସମାନେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଜେଡିକୁ ସୁହାଇଲା ଭଳି କାମ କରିବା ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଜଣାଇଲା ବିଜେପି
– ବିଜେପୁରର ତେଲ ମହୁଲ ଛକ ଠାରେ ପୋଲିସ ଦ୍ୱାରା ନିରପକ୍ଷ ଯାଂଚ ଦାବି
– ବିଜେପୁରରେ ୨୪ ଘଂଟିଆ ପୋଲିସ ମୁତୟନ ସହ ପ୍ରତି ଗାଡିକୁ ନିୟମିତ ଭାବେ ଯାଂଚ କରାଯାଉ
– ତେଲ ମହୁଲ ଛକରେ ସିସିଟିଭି ଲଗାଇବା ପାଇଁ ଦାବି

ଭୁବନେଶ୍ୱର, ତା ୧୪/୦୨ (ଓଡ଼ିଆ ପୁଅ): ବିଜେପୁର ଉପନିର୍ବାଚନରେ ଶାସକ ବିଜେଡି ବ୍ୟାପକ ଭାବରେ ସରକାରୀ କଳକୁ ଅପବ୍ୟବହାର କରୁଛି। ବିଜେପୁର ନିର୍ବାଚନ ମଣ୍ଡଳୀରେ ପୋଲିସର ନିରପେକ୍ଷତାକୁ ନେଇ ମଧ୍ୟ ପ୍ରଶ୍ୁ ଉଠିଛି। ବିଜେପୁରର ତେଲ ମହୁଲ ଛକ ଠାରେ ପୋଲିସ ଦ୍ୱାରା ନିରପକ୍ଷ ଯାଂଚ ହେଉନାହିଁ। ଶାସକ ବିଜେଡିର ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତବାରେସି ସାଜି ପୋଲିସ ବିଜେଡିକୁ ସୁହାଇଲା ଭଳି କାର୍ଯ୍ୟ କରୁଛି। ଏହା ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପିର ଏକ ପ୍ରତିନିଧୀଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ବରଗଡ ଜିଲ୍ଲାର ତେଲ ମହୁଲ ଛକ ହେଉଛି ପଦ୍ମପୁର ଆଡୁ ଉଭୟ ବିଜେପୁର ଏବଂ ଗାଏସିଲଟ ବ୍ଲକକୁ ଯିବା ପାଇଁ ମୁଖ୍ୟ ପ୍ରବେଶ ପଥ। ଏହି ଛକରେ ପୋଲିସ ବିଭାଗ ତରଫରୁ ଏକ ଯାଂଚ ଫାଟକ ଥିଲେ ମଧ୍ୟ ସେଠି ପୋଲିସ ମୃତୟନ ନାହାଁନ୍ତି। ପୋଲିସ ଅନ୍ୟ ସ୍ଥାନମାନଙ୍କରେ ଯାଂଚ କରିବା ଆଳରେ ବିଜେଡି ଗାଡିକୁ ଯିବାକୁ ଦେଉଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ସମର୍ଥକ ମାନଙ୍କ ଗାଡିକୁ ଅଟକାଉଛି ବୋଲି ବିଜେପି ଅଭିଯୋଗ କରିଛି।

ତୁରନ୍ତ ତେଲ ମହୁଲ ଛକରେ ସିସିଟିଭି କ୍ୟାମେରା ଲଗାଯାଉ। ଏଥି ସହ ସେହି ସ୍ଥାନରେ ୨୪ ଘଂଟିଆ ପୋଲିସ ମୁତୟନ ସହ ନିୟମିତ ଯାଂଚର ବ୍ୟବସ୍ଥା କରାଯାଉ। ନିର୍ବାଚନ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଫିସରଙ୍କ ନାଁକୁ ନିର୍ବାଚନ ଲଢୁଥିବା ସମସ୍ତ ପାର୍ଥୀଙ୍କୁ ସୁଚିତ କରାଯାଉ ବୋଲି ବିଜେପି ଦାବି କରୁଛି।

ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ଏହି ପ୍ରତିିନିଧୀଦଳରେ ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସ, ପୂର୍ବତନ ଡେପୁଟି ମେୟର ଶ୍ରୀମତି ଉର୍ମିଳା ମହାପାତ୍ର, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଏନ. ରାଜେନ୍ଦ୍ର କୁମାର ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *