ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସମୀକ୍ଷା ପ୍ରସଙ୍ଗରେ: ରାଜ୍ୟ ସରକାର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛନ୍ତି: ବିଜେପି

ଭୁବନେଶ୍ୱର ୧୬ ମଇ (ଓଡ଼ିଆ ପୁଅ) ପର୍ଯ୍ୟଟନର ବିକାଶ ହେଲେ ରାଜ୍ୟ ଅର୍ଥନୀତିରେ ବିକାଶ ହୋଇପାରିବ। କିନ୍ତୁ ରାଜ୍ୟସରକାରଙ୍କ ଅପାରଗତା କାରଣରୁ ରାଜ୍ୟ ପର୍ଯ୍ୟଟନର ବିକାଶ ହେଇପାରୁନାହିଁ। ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ନହେବା ଏବଂ ପର୍ଯଟକମାନଙ୍କୁ ସୁରକ୍ଷା ନଯୋଗାଇ ପାରିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି। ରାଜ୍ୟରେ ଆକାଶପଥ, ରେଳପଥ ଏବଂ ସଡକପଥର ବ୍ୟାପକ ସୁବିଧା ଥାଇ ମଧ୍ୟ ରାଜ୍ୟ ସରକାର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଭାରତକୁ ଆସୁଥିବା ସମୁଦାୟ ବିଦେଶୀ ପର୍ଯ୍ୟଟକ ମଧ୍ୟରୁ ମାତ୍ର ୦.୮୩% ବିଦେଶୀ ପର୍ଯ୍ୟଟକ ଓଡିଶା ଆସିଥାନ୍ତି। ଓଡିଶାରେ ପର୍ଯ୍ୟଟନ ବିକାଶ ପାଇଁ ଯଥେଷ୍ଟ ଭିତିଭୂମି ଥିଲାବେଳେ ସରକାରଙ୍କ ଅପାରଗତା ଯୋଗୁ ଏହା ସଫଳ ହୋଇପାରୁନି ଯାହା ଫଳରେ ବିଦେଶୀ ପର୍ଯ୍ୟଟକ ଆସୁନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟରେ ୮ ଟି ସ୍ଥାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପର୍ଯ୍ୟଟକମାନେ ରହିବା ପାଇଁ “ଯାଯାବର” ନିର୍ମାଣ କରାଯାଇଛି। ଦୀର୍ଘଦିନ ବନ୍ଦ ହୋଇ ପଡିବା ପରେ ଏବେ କିଛି ଦିନ ହେବ ପିପିପି ମୋଡ୍ରେ ଗୋଟିଏ ଯାଯାବର ଚାଲିଛି ଏବଂ ୭ଟି ବନ୍ଦ ହୋଇ ପଡିଛି। ସରକାରଙ୍କ ସ୍ଥାଣୁତା ଯୋଗୁ ବର୍ତମାନ ଯାଯାବର ଭୂତକୋଠିରେ ପରିଣତ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟ ସରକାର ପୁରୀରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଆକ୍ୱାରମ ଠାରୁ କାର୍ପ ବଜାର, ଯାଯାବର ଠାରୁ ମ୍ୟୁଜିକାଲ ଫାଉଣ୍ଡେନ ପୁଣି ସାମୁକା ଶିଳ୍ପର ରଙ୍ଗିନ ଚିତ୍ର ଏପରି ଅନେକ ଘୋଷଣା କରିଥିଲେ। ଏବେ କିଛି ପ୍ରକଳ୍ପ ନିର୍ମାଣ ସରି ଭୂତ କୋଠିରେ ପରିଣତ ହୋଇଛି ଏବଂ ଆଉ କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ପୁରୀ ପରି ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟନ ବିଭାଗ ଏପରି କାର୍ଯ୍ୟ କରୁଥିବା ବେଳେ ରାଜ୍ୟରେ ଅନ୍ୟ ସ୍ଥାନରେ ପର୍ଯ୍ୟଟନ ର ପରିସ୍ଥିତି କିପରିଥିବ ତାହା ସାଧାରଣରେ ଅନୁମେୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଓଡିଶାରେ ଥିବା ସରକାରୀ ବିଶ୍ୱ ବିଦ୍ୟାଳୟରେ ଓଡିଆ ଭାଷା ଚେୟାର ପ୍ରାୟ ଦୁଇ ଦଶନ୍ଧୀ ଧରି ବନ୍ଦ ହୋଇଯାଇଛି। ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକ ପୁରୀରେ ହେବା ସହ ଭାଷା ଓ ସଂସ୍କୃତିକୁ ସ୍ୱତନ୍ତ୍ର କ୍ୟାବିନେଟ କରିବା ପରେ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

୨୦୦୧ ମସିହାରେ ସାଧାରଣ ପାଠାଗାର ବିଧେୟକ ବିଧାନସଭାରେ ଗୃହିତ ହୋଇ ଗେଜଟ୍ ରେ ପ୍ରକାଶ ପାଇଥିଲା। ଏହି ବିଧେୟକରେ ଥିବା ବିଧି ବ୍ୟବସ୍ତା ଅନୁଯାୟୀ ଏହାର ଚିଠା ଆଇନ ମଧ୍ୟ ଆବଶ୍ୟକୀୟ ଅନୁମୋଦନ ଲାଭ କରିସାରିଛି। ଦୀର୍ଘ ୧୫ ବର୍ଷ ହେଲାଣି କାହିଁକି ଏହି ଚିଠା କାର୍ଯ୍ୟକରୀ ହେଉନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ମୁଖପାତ ଶ୍ରୀ ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *