ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ହିଂସାର ମହାନାୟକ – ଧର୍ମେନ୍ଦ୍ର ପ୍ରଧାନ

– ଚିଟ ଫଣ୍ଡ କେଳେଙ୍କାରୀର ଅପରାଧୀ ମାନେ ବିଜେପୁର ଉପ ନିର୍ବାଚନରେ ବିଜେଡିର ପ୍ରଚାରର ମଙ୍ଗ ଧରିଛନ୍ତି
– ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଶ୍ନ କରି କହିଛନ୍ତି ଚିଟ ଫଣ୍ଡ କମ୍ପାନୀ ସି ସୋରରୁ ଡାକ୍ତରଖାନା କିଏ ଟେକି ଦେଇଥିଲା ?
– ଦେବୀ ମିଶ୍ର ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପକୁ ସିସୋର ହାତରେ ଟେକି ଦେଇଥିଲେ କି ନାହିଁ ?
– ସଂଜୟ ଦାସବର୍ମା ଚିଟ ଫଣ୍ଡ କମ୍ପାନୀ ଠାରୁ ଗାଡି ନେବା ନେଇ ଜଣେ ସାକ୍ଷୀ ଏବେ ସିବିଆଇ ପାଖରେ ବୟାନ ଦେଇଛନ୍ତି
– ସଂସଦରେ ବେନାମୀ ସମ୍ପତି ନେଇ ଆଇନ ଆସୁଥିବାରୁ ପ୍ରସନ୍ନ ବାବୁଙ୍କର ଖାଲି ପେଟ୍ରୋଲ ଟାଙ୍କି ନୁହେଁ ବେନାମୀ ସମ୍ପତି କେଉଁଠି କଣ ଅଛି ତାହା ସ୍ପଷ୍ଟ ହୋଇ ଯିବ
– ସେ ଲୁଚାଇ ଛପାଇ ନୁହେଁ ସାର୍ବଜନୀନ ଭାବେ ସୁଶାନ୍ତ ସିଂହ ଓ ତାଙ୍କ ଭାଇଙ୍କ ଅପରାଧିକ ପୃଷ୍ଠଭୂମି କଥା କହି ସେମାନେ ହିଂସା କରିବାର ଆଶଙ୍କା ବ୍ୟକ୍ତ କରିଥିଲେ
– ଦିନ ୧୧ଟାରେ ବେଳେ ସୋହେଲା ଅଂଚଳରୁ ହିଂସାକାଣ୍ଡ ଘଟାଇବା ପାଇଁ ଉଦ୍ୟମର ସୂଚନା ପ୍ରଶାସନକୁ ଦେବା ସତ୍ୱେ ନବୀନ ବାବୁଙ୍କ ପ୍ରଶାସନ କଣ କଲା ତାର ଉତର ଦେବାକୁ ପଡିବ ?
– ଫୁଲବାଣୀର ଗୁମୁଡୁମାହାରେ ନୀରିହ ଲୋକଙ୍କୁ ହତ୍ୟା, କୁନ୍ଦୁଲୀ ଝିଅର ଆତ୍ମହତ୍ୟା, ଅଇଁଠାପାଲୀରେ ଆଦିବାସୀ ଯୁବକକୁ ପିଟି ପିଟି ହତ୍ୟା, କଳିଙ୍ଗନଗରରେ ଗୁଳିକାଣ୍ଡ କରି ଆଦିବାସୀଙ୍କୁ ହତ୍ୟା ପାଇଁ ଦାୟୀ କିଏ ?
– ଗତ ପଂଚାୟତ ନିର୍ବାଚନରେ ଢେଙ୍କାନାଳର ବିଜେପି କର୍ମୀ ସଲମନ ରାଉତଙ୍କୁ କିଏ ହତ୍ୟା କରିଛି ? ପଂଚାୟତ ନିର୍ବାଚନରେ ୮ ଜଣ ବିଜେପିକର୍ମୀଙ୍କୁ ନିର୍ମମ ହତ୍ୟାକାଣ୍ଡ ପଛରେ ନବୀନଙ୍କ ପୋଲିସର ହାତ ଅଛି ନା ନାହିଁ ?
– ସୁଶାନ୍ତ ସିଂହଙ୍କ ଭାଇ ଓ ଅନ୍ୟ ମାନେ ଗୁଳିକାଣ୍ଡ ଘଟିଥିବା ଆଶ୍ରମକୁ ବିଳମ୍ବିତ ରାତ୍ରୀରେ ଭଜନ କୀର୍ତନ କରିବାକୁ ଯାଇଥିଲେ କି?
– ଓଡିଶାର ଲୋକ ମାନେ ବହୁତ ସହିଲେଣି, ବିଜେପୁର ଉପ ନିର୍ବାଚନରେ ଏହାର ଜବାବ ଲୋକ ମାନେ ଦେବେ
ନୂଆଦିଲ୍ଲୀ /ଭୁବନେଶ୍ୱର, ୨୩ ଫେବୃଆରୀ (ଓଡ଼ିଆ ପୁଅ) – ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରେ ଆକ୍ରମଣ ମାମଲାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବକ୍ତବ୍ୟକୁ ବିଜେଡିର ଦୋଷାରୋପ ପରେ ବିଜେଡିକୁ ପାଲଟା ଆକ୍ରମଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଚିଟ ଫଣ୍ଡ କେଳେଙ୍କାରୀର ଅପରାଧୀ ମାନେ ବିଜେପୁର ଉପ ନିର୍ବାଚନରେ ବିଜେଡିର ପ୍ରଚାରର ମଙ୍ଗ ଧରିଛନ୍ତି ବୋଲି ବିଜେଡିକୁ ପାଲଟା ଆକ୍ରମଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କହିଛନ୍ତି ଯେ ଚିଟ ଫଣ୍ଡ କମ୍ପାନୀ ସି ସୋରୁ ଡାକ୍ତରଖାନା କିଏ ଟେକି ଦେଇଥିଲା ? ଦେବୀ ମିଶ୍ର ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପକୁ ସିସୋର ହାତରେ ଟେକି ଦେଇଥିଲେ କି ନାହିଁ ସେ ପ୍ରଶ୍ନ କରିଛନ୍ତି। ସଂଜୟ ଦାସବର୍ମା ଚିଟ ଫଣ୍ଡ କମ୍ପାନୀ ଠାରୁ ଗାଡି ନେବା ନେଇ ଜଣେ ସାକ୍ଷୀ ଏବେ ସିବିଆଇ ପାଖରେ ବୟାନ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରସନ୍ନ ଆଚାର୍ଯ୍ୟ ଅହଙ୍କାରର ସହିତ କହିଛନ୍ତି ଯେ ତାଙ୍କର ପେଟ୍ରୋଲ ପମ୍ପ ନାହିଁ। ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂସଦରେ ବେନାମୀ ସମ୍ପତି ନେଇ ଆଇନ ଆସୁଛି। ପ୍ରସନ୍ନ ବାବୁଙ୍କର ଖାଲି ପେଟ୍ରୋଲ ଟାଙ୍କି ନୁହେଁ ବେନାମୀ ସମ୍ପତି କେଉଁଠି କଣ ଅଛି ତାହା ସ୍ପଷ୍ଟ ହୋଇ ଯିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସେ ଲୁଚାଇ ଛପାଇ ନୁହେଁ ସାର୍ବଜନୀନ ଭାବେ ସୁଶାନ୍ତ ସିଂହ ଓ ତାଙ୍କ ଭାଇଙ୍କ ଅପରାଧିକ ପୃଷ୍ଠଭୂମି କଥା କହି ସେମାନେ ହିଂସା କରିବାର ଆଶଙ୍କା ବ୍ୟକ୍ତ କରିଥିଲେ। ଦିନ ୧୧ଟାରେ ବେଳେ ସୋହେଲା ଅଂଚଳରୁ ହିଂସାକାଣ୍ଡ ଘଟାଇବା ପାଇଁ ଉଦ୍ୟମର ସୂଚନା ପ୍ରଶାସନକୁ ଦେଇଥିଲେ। ମାତ୍ର ନବୀନ ବାବୁଙ୍କ ପ୍ରଶାସନ କଣ କଲା ତାର ଉତ୍ତର ଦେବାକୁ ପଡିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ହିଂସାର ମହାନାୟକ। ଫୁଲବାଣୀର ଗୁମୁଡୁମାହାରେ ନୀରିହ ଲୋକ ମାନଙ୍କୁ କିଏ ହତ୍ୟା କରିଛି। କୁନ୍ଦୁଲୀ ଝିଅର ଆତ୍ମହତ୍ୟା କାହା ଯୋଗୁ ହୋଇଛି ? ଅଇଁଠାପାଲୀରେ ଆଦିବାସୀ ଯୁବକକୁ କିଏ ପିଟି ପିଟି ମାରିଛି ? କଳିଙ୍ଗନଗରରେ ଗୁଳିକାଣ୍ଡ କରି ଆଦିବାସୀଙ୍କୁ କିଏ ହତ୍ୟା କରିଛି ? ଗତ ପଂଚାୟତ ନିର୍ବାଚନରେ ତାଙ୍କ ଗୃହ ଜିଲ୍ଲାରେ ବିଜେପି କର୍ମୀ ସଲମନ ରାଉତଙ୍କୁ କିଏ ହତ୍ୟା କରିଛି ? ପଂଚାୟତ ନିର୍ବାଚନରେ ୮ ଜଣ ବିଜେପିକର୍ମୀଙ୍କୁ ନିର୍ମମ ହତ୍ୟାକାଣ୍ଡ ନବୀନ ପଟ୍ଟନାୟକଙ୍କ ଗୃହ ବିଭାଗର ଉପସ୍ଥିତିରେ ହୋଇଛି ନା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଘଟଣା ଘଟୁ ଘଟୁ ବିଜେଡି ନେତା ମାନେ ବିଜେପି ଏହି ହିଂସାକାଣ୍ଡ କରିଥିବା ଓ ସୁଶାନ୍ତ ସିଂ ଓ ତାଙ୍କର ସାଥୀ ମାନେ ଗୁଳିକାଣ୍ଡର ଶୀକାର ହୋଇଥିବା ସକାଳୁ ସକାଳୁ ଅଭିଯୋଗ କରିଥିଲେ। ମାତ୍ର ବୁର୍ଲା ଭିମସାରର କର୍ତ୍ତୃପକ୍ଷ କୌଣସି ଆହତଙ୍କୁ ଗୁଳି ଲାଗି ନ ଥିବା ସ୍ପଷ୍ଟ କରିଛନ୍ତି। ସୁଶାନ୍ତ ସିଂହଙ୍କ ଭାଇ ଓ ଅନ୍ୟ ମାନେ ଗୁଳିକାଣ୍ଡ ଘଟିଥିବା ଆଶ୍ରମକୁ ବିଳମ୍ବିତ ରାତ୍ରୀରେ ଭଜନ କୀର୍ତନ କରିବାକୁ ଯାଇଥିଲେ କି ବୋଲି ଶ୍ରୀ ପ୍ରଧାନ ପାଲଟା ପ୍ରଶ୍ନ କରିଛନ୍ତି। ତାଙ୍କର ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟରେ କହିବା କାରଣରୁ ଏହି ଘଟଣା ଘଟିବା ନେଇ ବିଜେଡିର ଅଭିଯୋଗ ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କଣ ନବୀନ ପଟ୍ଟନାୟକଙ୍କ ରାଜରେ କେହି ସାମ୍ବାଦିକ ସମ୍ମିଳନୀ କରି ପାରିବେ ନାହିଁ। ଓଡିଶାରେ କଣ ନବୀନ ପଟ୍ଟନାୟକଙ୍କ ଏକଛତ୍ର ଶାସନ ଚାଲିଛି କି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଲୋକ ମାନେ ବହୁତ ସହିଲେଣି। ବିଜେପୁର ଉପ ନିର୍ବାଚନରେ ଏହାର ଜବାବ ଲୋକ ମାନେ ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *