ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ପ୍ରତ୍ୟୁତର ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
– ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମରମ ଭେଦି ଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କ ଉପରେ ରାଗ ସୁଝାଉଛନ୍ତି ବୋଲି ପ୍ରଶ୍ନ
– ସ୍କିଲ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଉତର : ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ କରିଥିବା ପୁନେର ମହାରାଷ୍ଟ୍ର ଏକାଡେମୀ ଅଫ ଇଂଜିନିୟରିଂ ଏଣ୍ଡ ଏଜୁକେସନ ରିସର୍ଚ ଅଭିଯୁକ୍ତ ଓ ଉପଯୁକ୍ତ ତଦନ୍ତ ସହ ନିଆ ଯିବ ଦୃଢ କାର୍ଯ୍ୟାନୁଷ୍ଠାନ
– ଓଡିଶାର କୌଣସି ବି ଉଜ୍ୱଳା ହିତାଧିକାରୀ ଘର ମୁଖ୍ୟମନ୍ତ୍ରୀ ନିଜେ ବାଛନ୍ତୁ ଓ ସେ ତାଙ୍କ ସହ ହିତାଧିକାରୀ ମହିଳାଙ୍କ ଠାରୁ ଚା ପିଇ ଉଜ୍ୱଳାରେ ଦୁର୍ନୀତି ହୋଇଛି ବା ଉପକୃତ ହୋଇଛନ୍ତି ତାର ଉତର ଦେବାକୁ ଦେଲେ ଚ୍ୟାଲେଂଜ
– ପିସି ମଷ୍ଟ ଷ୍ଟପ ଖୋଦ ମୁଖ୍ୟମନ୍ତ୍ରୀ କହିଥିିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପିସିରେ ପେଷି ହେବା ବକ୍ତବ୍ୟ କାହିଁକି ମରମ ଭେଦୁଛି ?
– ବିଜ୍ଞାପନରେ ୭୦ ଲକ୍ଷ ବଦଳରେ ମୁଖ୍ୟମନ୍ତ୍ରୀ ଆଜି ୫୦ ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ପହଂଚିବା କହିବା ତାଙ୍କର ସ୍ଥିତିକୁ ସ୍ପଷ୍ଟ କରୁଛି
– ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଆଦୌ ସ୍ୱଚ୍ଛତା ନାହିଁ, ଯୋଜନାରେ ସାମିଲ ହେବା ପାଇଁ ଦରଖାସ୍ତକାରୀ ଓ ଜାଂଚର ରିପୋର୍ଟ ଦୈନିକ ବେବସାଇଟ ମାଧ୍ୟମରେ ସାର୍ବଜନୀନ କରନ୍ତୁ
ଭୁବନେଶ୍ୱର, ତା.୨୨/୦୯ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ସଭାରେ କିଛି ବକ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତକ୍ଷିପ୍ତ ହେବା ତାଙ୍କ ଚରିତ୍ରର ବ୍ୟତିକ୍ରମ ଓ ଏହା ନୂଆ କଥା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମରମ ଭେଦି ଥିବା ବେଳେ ସେ କାହିଁକି ତାଙ୍କ ଉପରେ ରାଗ ସୁଝାଉଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।
ଉଜ୍ୱଳା ଓ ସ୍କିଲରେ ସ୍କାମ ପ୍ରସଙ୍ଗ ଉଠାଇଥିବା ମୁଖ୍ୟମନ୍ତ୍ରୀଙ୍କୁ କଡା ଜବାବ ଦେଇଛନ୍ତି ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍କିଲ କାର୍ଯ୍ୟକ୍ରମରେ ଉତର ପ୍ରଦେଶର ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପରେ ଏହି ଦୁର୍ନୀତିରେ ସଂପୃକ୍ତ ସଂସ୍ଥା ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି କହିଛନ୍ତି ଶ୍ରୀ ପ୍ରଧାନ।
ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ସମ୍ମାନିତ କରିଥିବା ସଂସ୍ଖା ମହାରାଷ୍ଟ୍ର ଏକାଡେମୀ ଅଫ ଇଂଜିନିୟରିଂ ଏଣ୍ଡ ଏଜୁକେସନ ରିସର୍ଚ ଏହି ସ୍କିଲ ଦୁର୍ନୀତିରେ ଅଭିଯୁକ୍ତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ସଂସ୍ଥା ବିରୁଦ୍ଧରେ ଉପଯୁକ୍ତ ତଦନ୍ତ ହୋଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଉଜ୍ୱଳା ସ୍କାମ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ପାଂଚ କୋଟି ଓ ରାଜ୍ୟର ୩୪ ଲକ୍ଷ ଗରୀବ ମହିଳାଙ୍କ ଘରେ ଉଜ୍ୱଳା ଯୋଜନାରେ ଗ୍ୟାସ ପହଂଚିଛି। ମୁଖ୍ୟମନ୍ତ୍ରୀ ତାଙ୍କ ପସନ୍ଦରେ ରାଜ୍ୟର କେଉଁ ବି ଜିଲ୍ଲା, ଗାଁ ଓ ହିତାଧିକାରୀ ବାଛନ୍ତୁ। ମୁଖ୍ୟମନ୍ତ୍ରୀ ଡାକିଲେ ସେ ତାଙ୍କ ସାଥିରେ ଯିବେ ଓ ସଂପୃକ୍ତ ମହିଳାଙ୍କ ଘରେ ଚା ପିଇ କଥାବାର୍ତ୍ତା କଲେ ଉଜ୍ୱଳା ଯୋଜନାରେ ସ୍କାମ ହୋଇଛି ବା ମହିଳା ଉପକୃତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ପ୍ରଧାନମନ୍ତ୍ରୀ ପିସିରେ ଓଡିଆ ଲୋକ ପେଷି ହୋଇ ଯାଉଛନ୍ତି କହିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ମାତ୍ର ପିସି ମଷ୍ଟ ଷ୍ଟପ ଓଡିଶାରେ ଦୁର୍ନୀତିର ସ୍ୱୀକୃତି ସଦୃଶ। ରାଜ୍ୟ ସରକାରଙ୍କର ପ୍ରଚାର ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ ହ୍ବାଟ୍ସଆପ ମାଧ୍ୟମରେ ଗଣମାଧ୍ୟମକୁ ପ୍ରସାରିତ କରା ଯାଇଥିଲା କି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ସ୍ୱଚ୍ଛ ଭାରତ ଅଭିଯାନର ଗତି ଧୀମା ହେବା ନେଇ ପ୍ରଧାନମନ୍ତ୍ରୀ ମୂଳରୁ ଚିନ୍ତିତ। ପ୍ରଧାନମନ୍ତ୍ରୀ ଗରୀବ ଘରୁ ଆସିଥିବା କାରଣରୁ ଶୌଚ ହେବା ପାଇଁ ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା କଷ୍ଟ ବୁଝିଛନ୍ତି, ଯାହା ମୁଖ୍ୟମନ୍ତ୍ରୀ ବୁଝି ପାରିବେ ନାହିଁ। ମାସିକ ପ୍ରଗତି ରିଭ୍ୟୁ ସମୟରେ ଓଡିଶାର ମୁଖ୍ୟ ଶାସନ ସଚିବ ଓ କଳାହାଣ୍ଡି କଲେକ୍ଟରଙ୍କୁ ମଧ୍ୟ ଏ ବିଷୟରେ ଗୁରୁତ୍ୱର ସହ କାମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆଜି ବିମାନ ବନ୍ଦରରେ ଓହ୍ଲଉ ଓହ୍ଲଉ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସ୍ୱଚ୍ଛତା ନେଇ ସେ ଦେଇଥିବା ଦାୟିତ୍ୱ ସମ୍ପର୍କରେ ମନେ ପକାଇଥିବା ଶ୍ରୀ ପ୍ରଧାନ କହିଛନ୍ତି।
କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଠାରୁ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ନେଇ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ନେଇ ଶ୍ରୀ ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ଯେ ବିଭିନ୍ନ ବିଜ୍ଞାପନରେ ୭୦ ଲକ୍ଷ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବେ ବୋଲି କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ୫୦ ଲକ୍ଷ ପରିବାର ସାମିଲ ହେବା ବକ୍ତବ୍ୟ କେଉଁ ଆଧାରରେ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
ରାଜ୍ୟର ଲୋକଙ୍କୁ କ୍ୟାନସର ଓ ହାର୍ଟ ସମସ୍ୟା ହେଲେ ବାହାର ରାଜ୍ୟକୁ ଗଲେ ସେମାନଙ୍କୁ କିଏ ଚିକିତ୍ସା ସୁବିଧା ଦେବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଗୋଟିଏ ପରିବାର ପାଇଁ ପାଂଚ ଲକ୍ଷ ବ୍ୟବସ୍ଥା କଲେ ୭୦ ଲକ୍ଷ ପରିବାର ପାଇଁ ସାଢେ ତିନି ହଜାର କୋଟି ଟଙ୍କା ଆବଶ୍ୟକ ଥିଲା ବେଳେ ରାଜ୍ୟ ସରକାର ମାତ୍ର ୨୯୦ କୋଟି ଟଙ୍କା ବ୍ୟୟବରାଦ କାହିଁକି କରିଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ଦିନ ଆବେଦନ କରିଥିବା ବ୍ୟକ୍ତି ମାନଙ୍କର ଭେରିଫିକେସନର ରିପୋର୍ଟକୁ ବେବସାଇଟ ମାଧ୍ୟମରେ କାହିଁକି ସାର୍ବଜନୀନ କରା ଯାଉ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିବା ସହ ଆଜି ବି କଟକ ମେୟରଙ୍କ ପରି ବିଜେଡିର କର୍ମୀ ମାନଙ୍କୁ ଏହି ଯୋଜନାରେ ସାମିଲ କରି ଅଣ ବିଜେଡି ଲୋକ ମାନଙ୍କୁ ଏଥିରୁ ବାଦ ଦେବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ପେଟ୍ରୋଲ ଦରର ମୂଲ୍ୟବୃଦ୍ଧି ମାମଲାରେ କେନ୍ଦ୍ର ସରକାର ଦୁଇ ଟଙ୍କା ଏକ୍ସାଇଜ ଡ୍ୟୁଟି କମାଇବା ପରେ ରାଜ୍ୟର ଆର୍ଥିକ କ୍ଷତି ହେଉଥିବା ଖୋଦ ରାଜ୍ୟର ଅର୍ଥ ମନ୍ତ୍ରୀ କହିଥିଲେ। ପଶ୍ଚିମ ବଙ୍ଗ, କର୍ଣାଟକ ସମେତ ଅଣ ବିଜେପି ଶାସିତ ରାଜ୍ୟରେ ଭ୍ୟାଟ କମାଇଥିବା ବେଳେ ଓଡିଶା କାହିଁକି ଟିକସ କମାଉ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ୨୦୧୪ ମସିହାରେ ପେଟ୍ରୋଲରୁ ରାଜ୍ୟର ନିଜସ୍ୱ ଟିକସ ୩ ହଜାର କୋଟି ଥିବା ବେଳେ ଆଜି ଦିନରେ ଏହା ୭ ହଜାର କୋଟି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଓ ଗୋଲକ ପ୍ରସାଦ ମହାପାତ୍ର, ବିଜେପି ନେତା ଅଶୋକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
