ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିବା ନେଇ ବିଜେପି ହୀନ ରାଜନୀତି କରୁଛି: ବିଜୁ ଜନତା ଦଳ

ଭୁବନେଶ୍ୱର, ୧୭/୭/୨୦୧୮(ଓଡ଼ିଆ ପୁଅ): କୋଣାର୍କ ମନ୍ଦିର ହେଉଛି ଓଡ଼ିଶାର ଗର୍ବ, ଗୌରବ ଓ ସ୍ୱାଭିମାନର ଏକ ପ୍ରତୀକ। ଏହା ମାଧ୍ୟମରେ ଓଡ଼ିଶା ନିଜର ପରିଚୟକୁ ପ୍ରସାରିତ କରିପାରିଛି। ଏହି ମନ୍ଦିରର ସୁରକ୍ଷା ପ୍ରତ୍ୟେକ ଓଡ଼ିଆଙ୍କର ପରମ କର୍ତ୍ତବ୍ୟ। ସଂପ୍ରତି କୋଣାର୍କ ମନ୍ଦିରର ରକ୍ଷଣାବେକ୍ଷଣା ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ରହିଛି। ବର୍ଷାରେ କୋଣାର୍କ ମନ୍ଦିରରେ ପାଣି ଜମିବା କେବଳ ପର୍ଯ୍ୟଟକ ତଥା କୋଣାର୍କକୁ ଦର୍ଶନ କରିବାକୁ ଆସୁଥିବା ଲୋକମାନଙ୍କୁ ଅସୁବିଧାରେ ପକାଉନାହିଁ, ବରଂ ଏହାଦ୍ୱାରା ଏକ ଐତିହାସିକ କୀର୍ତ୍ତିର ଅବକ୍ଷୟର କାରଣ ହେଉଛି। ଏହି ଅସୁବିଧାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ସଂପୃକ୍ତ ବିଭାଗ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିବାକୁ ବିଜେପି ବିରୋଧ କରିବା ହେଉଛି ଏକ ହୀନ ରାଜନୀତି। ସବୁକଥାରେ ବିଜେପି ତଳସ୍ତରକୁ ଆସି ରାଜନୀତି କରୁଛି। ଏହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମିବା ଏବଂ କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା, ଏକା କଥା ନୁହେଁ। ଏହାକୁ ବିଜେପିର କର୍ମକର୍ତ୍ତାମାନେ ନବୁଝିପାରିବା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି।

Leave a Reply

Your email address will not be published. Required fields are marked *