ଭୁବନେଶ୍ୱର, ତା୧୧ା୦୫ : ଯେଉଁପରି ଭାବରେ ଶାସକ ବିଜୁ ଜନତା ଦଳ ତାଙ୍କ ଦଳର ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ଇମ୍ଫା ଶିଳ୍ପଗୋଷ୍ଠୀ ବିରୁଦ୍ଧରେ ଯୋଜନାବଦ୍ଧ ଭାବରେ ଗଣ୍ଡଗୋଳ ଚଳାଇଛନ୍ତି, ତାହାକୁ ଅତି ଦୃଢ ଭାବରେ ନିନ୍ଦା କରିଛନ୍ତି ଉତ୍କଳ ଭାରତର ସଭାପତି ମହାମେଘବାହନ ଐରଖାରବେଳ ସ୍ୱାଇଁ। ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଜଣେ ପ୍ରମୁଖ ବ୍ୟକ୍ତି, ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ଶିଳ୍ପଗୋଷ୍ଠୀ ଅତୀତରେ ବିଜେଡ଼ିକୁ ମୁଣ୍ଡ ଟେକି ଉଠିବାରେ ଉଲ୍ଲେଖନୀୟ ଆର୍ଥିକ ସାହାଯ୍ୟ ଦେଇଆସିଛନ୍ତି। ତାଙ୍କ ଟିଭି ଚାନେଲ୍ ଓ ଟିଭି ମଧ୍ୟ ଅତୀତରେ ବିଜେଡ଼ି ଦଳର ବୋଲି ଏକ ଧାରଣା ପ୍ରଚଳିତ ଥିଲା। ଏବେ କୌଣସି କାରଣ ଯୋଗୁଁ ବୈଜୟନ୍ତ ପଣ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ମତପାର୍ଥକ୍ୟ ହେବାରୁ ଯୋଜନାବଦ୍ଧ ଭାବରେ ଲୋକ ଯୋଗାଡ କରି ଥେରୁବାଲିର ଇମ୍ଫା ଶିଳ୍ପକୁ କିଛିଦିନ ହେଲା ବନ୍ଦ କରି ରଖିବା ଓଡ଼ିଶାର ଶିଳ୍ପ ବାତାବରଣ ଓ ଶ୍ରମିକମାନଙ୍କର ଅଶେଷ କ୍ଷତି ସାଧନ କରୁଛି। ଗୋଟିଏ ଶିଳ୍ପ ବିରୁଦ୍ଧରେ ରାଜ୍ୟ ସରକାର ଯୋଜନାବଦ୍ଧ ଭାବରେ ଆନ୍ଦୋଳନ କରାଉଥିବା ଦେଖି ଅନ୍ୟ ଶିଳ୍ପମାନେ ଆଉ ଓଡ଼ିଶାକୁ ଆସିବେ ନାହିଁ।
ସତ୍ୟପାଠ ବେଳେ ବୈଜୟନ୍ତ ବାବୁ ନିଜକୁ “ସମାଜସେବୀ” ବୋଲି ବର୍ଣ୍ଣନା କରି କୌଣସି ମିଥ୍ୟା କହିନାହାନ୍ତି। ସବୁ ରାଜନେତା ମାନେ ହେଉଛନ୍ତି ସମାଜସେବୀ। ବୈଜୟନ୍ତ ବାବୁ ଇମ୍ଫାର ଉପସଭାପତି ଥାଇ ଦରମା ନେବା କଥାକୁ ସତ୍ୟପାଠରେ ଉଲ୍ଲେଖ ନକରିବା ହୁଏତ ଅର୍ଦ୍ଧସତ୍ୟ ହୋଇପାରେ, କିନ୍ତୁ ମିଥ୍ୟା ନୁହେଁ। ରାଜନୀତିରେ କେହି ଚିରଶତ୍ରୁ ବା ମିତ୍ର ନୁହେଁ। ଜାଣିଶୁଣି ପ୍ରତିହିଂସାର ବାତାବରଣ ସୃଷ୍ଟି କରିବା ନବୀନ ବାବୁଙ୍କର ଭାବମୂର୍ତ୍ତୀକୁ ମଳିନ କରୁଛି, ଉଜ୍ଜ୍ୱଳ କରୁନାହିଁ। ଏହି ପ୍ରତିହିଂସା ସାରା ରାଜ୍ୟର କ୍ଷତି କରୁଛି। ଏଣୁ ଏହା ଅତ୍ୟନ୍ତ ନିନ୍ଦନୀୟ ଓ ନବୀନ ବାବୁ ତାଙ୍କର ଆଚରଣ ବଦଳାନ୍ତୁ ବୋଲି ଶ୍ରୀ ସ୍ୱାଇଁ ତାଙ୍କ ମନ୍ତବ୍ୟରେ କହିଛନ୍ତି।
