ମୁଖ୍ୟମନ୍ତ୍ରୀ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ର ପ୍ରମାଣପତ୍ରକୁ ଯୋଗାଡ କରିବାର ରହସ୍ୟ ଉନ୍ମୋଚିତ ହୋଇଛି : ବିଜେପି

– ମୁଖ୍ୟମନ୍ତ୍ରୀ ଓ ପୁନେର ଏମ୍ଆଇଟି ବିଶ୍ୱ ଶାନ୍ତି ବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ରାହୁଲ ବିଶ୍ୱନାଥ କରଡ ମଧ୍ୟରେ ପୂର୍ବରୁ ଡିଲ୍ ହୋଇଛି
– କେବଳ ବ୍ୟବସାୟ ପାଇଁ ଡ. ରାହୁଲ ନିଜ ଶିକ୍ଷାନୁଷ୍ଠାନକୁ ଏସିଆର ପ୍ରଥମ ବୋଲି କହି ଜନତାଙ୍କୁ ବିଭ୍ରାନ୍ତି କରାଇବା ଅତ୍ୟନ୍ତ ନିନ୍ଦନୀୟ
– ରାଜନୈତିକ ପ୍ରଶିକ୍ଷଣ ଦେବାରେ ଭାରତ ବର୍ଷର ପ୍ରଥମ ଅନୁଷ୍ଠାନ ହେଉଛି ‘ରାମଭାଉ ମହ୍ଲାଗୀ ପ୍ରବୋଧିନୀ’

ଭୁବନେଶ୍ୱର, ତା ୨୮/୦୩ (ଓଡ଼ିଆ ପୁଅ): ନବୀନ ପଟ୍ଟନାୟକ ନିଜ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ର ପ୍ରମାଣପତ୍ରକୁ କୋଟି କୋଟି ଟଙ୍କା ବ୍ୟୟରେ ଯୋଗାଡ କରିବାର ରହସ୍ୟ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ପ୍ରମାଣପତ୍ର ଦେଇଥିବା ପୁନେର ଏମ୍ଆଇଟି ବିଶ୍ୱ ଶାନ୍ତି ବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ରାହୁଲ ବିଶ୍ୱନାଥ କରଡ ଗତକାଲି ନିଜର ରାଜନୈତିକ ନେତୃତ୍ୱ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ପ୍ରସ୍ତାବ ରଖିବା ଘଟଣାରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। ମୁଖ୍ୟମନ୍ତ୍ରୀ କେବଳ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିବା ଉଦ୍ଦେଶ୍ୟରେ ମିଥ୍ୟାର ସାହାରା ନେଇ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରିଛନ୍ତି। ଆଦର୍ଶ ମୁଖ୍ୟମନ୍ତ୍ରୀର ପ୍ରମାଣପତ୍ର ଗୋଟାଇ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।

ଡ. ରାହୁଲ ରାଜ୍ୟର ଯୁବପିଢୀମାନଙ୍କୁ ରାଜନୀତିର ପାଠ ପଢାଇବା ପାଇଁ ଏକ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଏଥିସହ ୧୦୦ ଏକର ଜାଗା ସହ ସରକାରଙ୍କ ସହାୟତା ଲୋଡିଛନ୍ତି। ଆଦର୍ଶ ମୁଖ୍ୟମନ୍ତ୍ରୀର ପ୍ରମାଣପତ୍ର ଦେଇଥିବା ପୁନେର ଏମ୍ଆଇଟି ବିଶ୍ୱ ଶାନ୍ତି ବିଦ୍ୟାଳୟର ଅଧ୍ୟକ୍ଷ ଡ.ରାଉଲ ଏବେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଡିଲ୍କୁ ମନେପକାଇଛନ୍ତି। ଏହା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ମୁଖା ଖୋଲିଯାଇଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

କେବଳ ବ୍ୟବସାୟ ପାଇଁ ନିଜ ଶିକ୍ଷାନୁଷ୍ଠାନକୁ ଏସିଆର ପ୍ରଥମ ବୋଲି କହି ଏହି ଅନୁଷ୍ଠାନ ସାଧାରଣ ଜନତାଙ୍କୁ ବିଭ୍ରାନ୍ତି କରାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ବାସ୍ତବରେ ଭାରତ ବର୍ଷର ପ୍ରଥମ ରାଜନୈତିକ ପ୍ରଶିକ୍ଷଣ ଶିକ୍ଷାନୁଷ୍ଠାନ ପାଇଁ ସ୍ୱର୍ଗତଃ ବିଜେପି ନେତା ପ୍ରମୋଦ ମହାଜନଙ୍କ ଉଦ୍ୟମରେ ହୋଇଥିଲା। ଶ୍ରୀ ମହାଜନ ଯୁବପିଢୀମାନଙ୍କୁ ରାଜନୈତିକ ପ୍ରଶିକ୍ଷଣ ଦେବା ପାଇଁ ରାମଭାଉ ମହ୍ଲାଗୀ ପ୍ରବୋଧିନୀ ଅନୁଷ୍ଠାନ ଖୋଲି ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। କିନ୍ତୁ ଗତ କାଲି ଡ. ରାହୁଲ ମୁଖ୍ୟମନ୍ତ୍ରୀଙ୍କୁ ପ୍ରମାଣ ପତ୍ର ଦେବା ପ୍ରତିବଦଳରେ ନିଜ ବ୍ୟବସାୟ ପାଇଁ ଅନୁଷ୍ଠାନ ଖୋଲିବାକୁ ଏବଂ ରାଜ୍ୟ ସରକାରଙ୍କ ଜମି ନିଜ ନାଁ ରେ କରିବା ପାଇଁ ପ୍ରୟାସ କରିଛନ୍ତି। ଏହା ଦ୍ୱାରା ଡ.ରାହୁଲ ଏବଂ ମୁଖ୍ୟମନ୍ତ୍ରୀଙ୍କ ଭିତରେ ହୋଇଥିବା ଡିଲ୍ ଧରା ପଡିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *