ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଜଣାନ୍ତୁ : ବିଜେପି

– ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ:
⦁    ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେବଳ ଓଡିଶାର ପ୍ରସଂଗ ନୁହେଁ
⦁    ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭ୍ରାନ୍ତି କର ମନ୍ତବ୍ୟ ଦେଇ କେବଳ ରାଜନୀତି କରୁଛନ୍ତି

ଭୁବନେଶ୍ୱର, ତା ୦୫/୦୧ (ଓଡ଼ିଆ ପୁଅ) : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେବଳ ଓଡିଶାର ପ୍ରସଂଗ ନୁହେଁ। ଓଡିଶା ବ୍ୟତୀତ ଅନେକ ରାଜ୍ୟ ମଧ୍ୟ ଧାନ ଉତ୍ପାଦନ କରୁଛନ୍ତି। ଚାଷୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଅନ୍ୟ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟମାନଙ୍କ ସହ ଆଲୋଚନା କରି ଓଡିଶା ସରକାର କେନ୍ଦ୍ର ସରକାରକୁ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରସ୍ତାବ ଦେବା ଉଚିତ୍। ଏଭଳି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ବାରମ୍ବାର ଦେବା ସତ୍ୱେ ମୁଖ୍ୟମନ୍ତ୍ରୀ କାହିଁକି ନିରବତା ଅବଲମ୍ବନ କରି ଏହି ପ୍ରସଙ୍ଗରେ ପଛଘୁଂଚା ଦେଉଛନ୍ତି ବୋଲି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଶ୍ନ କରିଛନ୍ତି। ଏପରିକି ସଦ୍ୟ ସମାପ୍ତ ବିଧାନସଭା ଅଧିବେସନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ପୁଣି ଥରେ ଦେଇଥିବାର ଶ୍ରୀ ସିଂହଦେଓ କହିଛନ୍ତି।

ଶ୍ରୀ ସିଂହଦେଓ କହିଛନ୍ତି ଯେ, ଅତୀତରେ ଆଖୁ ଓ ଗହମ ଉତ୍ପାଦନକାରୀ ରାଜ୍ୟମାନେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ନିକଟରେ ନିଜ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବି କରି ସଫଳତା ଲାଭ କରିଛନ୍ତି। ତେଣୁ ସମସ୍ତ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟମାନେ ମିଳିତ ଭାବେ କାହିଁକି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଉ ନାହାନ୍ତି ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ କରିଛନ୍ତି।

ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପାଇଁ କୈାଣସି ପଦକ୍ଷେପ ନ ନେଇ ଓଡିଶାରେ ତୁମ୍ବିତୁଫାନ କରି ସବୁ କ୍ଷେତ୍ରରେ କେବଳ କେନ୍ଦ୍ରକୁ ଦାୟୀ କରୁଛନ୍ତି। ଅନ୍ୟପଟେ ଧାନଚାଷୀମାନଙ୍କର ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ବିଜେପି ତରଫରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ନିଦା ପସ୍ତାବ ଦିଆଯାଇଥିଲା। ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନନେଇ ଚୁପ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଜଣାଇବାକୁ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *