– କେନ୍ଦୁଝର ଜିଲ୍ଲାରେ ହିଂସାକାଣ୍ଡର ନେତୃତ୍ୱ ନେଉଛନ୍ତି ଖୋଦ୍ ମନ୍ତ୍ରୀ ବଦ୍ରି ପାତ୍ର
ଭୁବନେଶ୍ୱର, ତା୨୭/୦୨ (ଓଡ଼ିଆ ପୁଅ) : ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ବିଜେଡି ଶାସନ କାଳରେ ରାଜ୍ୟରେ ହିଂସା, ହତ୍ୟା ଦିନକୁ ଦି ବୃଦ୍ଧି ପାଇବାରେ ଲାଗିଛି। ଟେଂଡର ଫିକ୍ସିଂ, ମାଫିଆ ରାଜ ବୃଦ୍ଧି କାରଣରୁ ଜନଜୀବନ ଅସୁରକ୍ଷିତ ହୋଇପଡିଛି। ଟେଂଡର ଫିକ୍ସିଂ ସଂକ୍ରାମକ ରୋଗ ଭଳି ସମଗ୍ର ରାଜ୍ୟରେ ବ୍ୟାପିସାରିଲାଣି। ଶାସକ ବିଜେଡି ନେତୃବୃନ୍ଦଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରାଜ୍ୟ ବିକାଶର ବାଧକ ସାଜିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୩-ଟି ସଂଜ୍ଞା ବଦଳି ଯାଇ ବର୍ତ୍ତମାନ ଟେଂଡର, ଟେରର୍ ଓ ଟର୍ଚରରେ ପରିଣତ ହୋଇଛି। ଆଉ ସମସ୍ତ କାର୍ଯ୍ୟର ନେତୃତ୍ୱ ନେଉଛନ୍ତି ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାଗଣ। ଆଉ କେନ୍ଦୁଝର ଜିଲ୍ଲାରେ ନେତୃତ୍ୱ ନେଉଛନ୍ତି ଶାସକ ବିଜେଡି ଦଳର ବରିଷ୍ଠ ନେତା ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ବଦ୍ରି ପାତ୍ର ଏବଂ ତାଙ୍କ ପୁଅ ଦେବାଶିଷ ପାତ୍ର ବୋଲି ବିଜେପି ଅଭିଯୋଗ କରିଛି।
କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡବାନ୍ଦଗୋଡା କଲ୍ୟାଣୀ ହାଇସ୍କୁଲ ଆଗରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଏବଂ ତାଙ୍କ ସହ ୫୦ ଜଣ ଗୁଣ୍ଡା ଗଡବାନ୍ଦଗୋଡା ଗ୍ରାମର ସୁନିଲ ଚକ୍ର ନାମକ ଏକ ଯୁବକକୁ ମରଣାନ୍ତକ ଆକ୍ରମଣ କରିଥିଲେ। ପିଟିପିଟି ହାତ ଗୋଡ ଭାଙ୍ଗିଦେଲେ। କେବଳ ସେତିକି ନୁହେଁ ଆକ୍ରମଣ ପରେ ସୁନୀଲର ବାପା ଏବଂ ମା’ଙ୍କୁ ଏକ ଗାଡିରେ ଉଠାଇ ନେଇ ଯାଜପୁର ରୋଡ୍ ନିକଟରେ ଛାଡିଥିଲେ। ଏମିତିକି ପାଟି ଖୋଲିଲେ ଜୀବନରୁ ମାରିଦେବାର ଧମକ ଦେଇ ୧୦ ହଜାର ଟଙ୍କା ମୁହଁକୁ ଫୋପାଡିଥିଲେ ମନ୍ତ୍ରୀଙ୍କ ପୁଅ ଦେବାଶିଷ। ପୂରା ସିନେମା ଷ୍ଟାଇଲରେ ଘଟଣା ଘଟିଥିଲେ ବି ପୋଲିସ ଚୁପ୍ ରହିଲା। କାରଣ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପୁଅର କରାନାମା ବିରୁଦ୍ଧରେ କିଏ ଆକ୍ସନ ନେବ ? ରାଜ୍ୟର ମୁଖିଆ ଏଠି କେବଳ ମିଥ୍ୟା ଭାଷଣ ଛଡା ଆଉ କିଛି ଜାଣନ୍ତି ନାହିଁ। କେବଳ ମୁଖ୍ୟମନ୍ତ୍ରୀ ଏଠି ଦୋଷୀମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଅପରାଧୀଙ୍କୁ ସୁରକ୍ଷା ଦେବା ଜାଣିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
କେନ୍ଦ୍ୁଝରରେ ୨୪ ଘଂଟା ଭିତରେ ଦୁଇ ଦୁଇ ଜଣ ସାଧାରଣ ଲୋକଙ୍କୁୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୋଟିଏ ପଟେ ସୁନିଲ ଚକ୍ରଙ୍କୁ ଘରୁ ଡାକି ଆକ୍ରମଣ କରିବା ଏବଂ ଅନ୍ୟପଟେ ଜଣେ ଠିକାଦାର ନୀଳମଣି ସେଠୀକୁ ଧମକ ଦେବା ସହ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଦୁଇଟି ଘଟଣାରେ ସଂପୂର୍ଣ୍ଣ ଭାବେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ସାମିଲ ଅଛନ୍ତି। ଏହି ଦୁଇଟି ଘଟଣାକୁ ନେଇ ଥାନାରେ ଏତଲା ଦେବା ପରେ ବି ପୋଲିସ ଶାସକ ବିଜେଡିର ହାତବାରେସି ସାଜି ଚୁପ୍ ବସିଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।
ଗତ କିଛିଦିନ ପୂର୍ବେ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ନେଇ ସୁନୀଲ ଚକ୍ର ମୁଖ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ଆତ୍ମହୃତି ଦେଇଥିଲା। ଗଡବାନ୍ଦଗୋଡା ଗ୍ରାମରେ କେବଳ ମନ୍ତ୍ରୀ ଏବଂ ତାଙ୍କର ଚାଟୁକର ସାଜିଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ବଂଟନ କରାଯାଉଛି। ଆବାସ ଯୋଜନାରେ ସୁନିଲ ଚକ୍ର ଘର ପାଇବାକୁ ଯୋଗ୍ୟଥିବା ସତ୍ୱେ ତାଙ୍କୁ ବିଜେଡି ଦଳର ମନ୍ତ୍ରୀ ବଦ୍ରି ପାତ୍ର ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ନାଁକୁ କାଟିଦେଇଥିଲେ। ଏହାର ପ୍ରତିବାଦରେ ସୁନିଲ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଆତ୍ମହୃତି ଦେଇଥିଲେ। ଏହି ଘଟଣାରେ କୁଆଡେ ମନ୍ତ୍ରୀଙ୍କ ସମ୍ମାନହାନୀ ହେବାରୁ ସେ ତାଙ୍କ ପୁଅ ଦ୍ୱାରା ଏଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହଛନ୍ତି।
ଆହତ ସୁନୀଲ କଟକ ଏସସିବିରେ ଚିକିତ୍ସିତ ହେଉଥିବା ସମୟରେ ରାଜ୍ୟ ବିଜେପିର ଏକ ପ୍ରତିନିଧୀଦଳ ଆଜି ସୁନୀଲଙ୍କୁ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପଟେ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୁଦ୍ଧରେ ସୁନୀଲଙ୍କ ବାପା କଟକ ମଙ୍ଗଳବାଗ ଥାନାରେ ଏତଲା ଦେବା ପରେ ବି ପୋଲିସ ଏତଲା ଗ୍ରହଣ କରିନଥିଲା। ବିଜେପି ପ୍ରତିନିଧୀଦଳ ମନ୍ତ୍ରୀଙ୍କ ପୁଅର ଏଭଳି ଅମାନୁଷିକ କାର୍ଯ୍ୟକୁ ନିନ୍ଦା କରିବା ସହ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।
ସେହିପରି ଘସିପୁରା ବ୍ଲକ, ବଡିପାଲ ପଂଚାୟତ ରାୟପୁର ଗ୍ରାମର ଠିକାଦାର ନୀଳମଣି ସେଠୀଙ୍କୁ ମଧ୍ୟ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଆକ୍ରମଣ କରିଛି। ନୀଳମଣି ସେଠୀ କେନାଲ ରିପାରିଂ ଟେଣ୍ଡର ନେଇଥିବାରୁ ତାଙ୍କୁ ୫ ଲକ୍ଷ ଟଂକା ମାଗିଥିଲେ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ। ଟଙ୍କା ନଦେଲେ କାମ ଆରମ୍ଭ କରିପାରିବୁ ନାହିଁ ବୋଲି ନୀଳମଣିକୁ ଧମକ ମିଳିଥିଲା। ଗତ ୨୫ ତାରିଖରେ ନୀଳମଣି କେନାଲ କାମ ଆରମ୍ଭ କରିବା ସମୟରେ ଦେବାଶିଷ ଏବଂ ଶାସକ ବିଜେଡିର ଗୁଣ୍ଡାମାନେ ନୀଳମଣିଙ୍କୁ ଆକ୍ରମଣ ସହ ଘଟଣା ସ୍ଥଳରେ ବୋମାମାଡ କରିଥିଲେ। ଏଥି ସହ ଗୋଟିଏ ଜେସିବିରେ ମଧ୍ୟ ଦୃବୁର୍ତମାନେ ନିଆଁ ଲଗାଇ ଦେଇଥିଲେ। ଘଟଣା ପରେ ନୀଳମଣିଙ୍କ ପରିବାର ତରଫରୁ ଘସିପୁରା ଥାନାରେ ଏତଲା ଦେବା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇ ହାଇଟେକ ମେଡିକାଲରେ ଚିକିତ୍ସିତ ହୋଉଥିବା ନୀଳମଣିଙ୍କୁ ଆଜି ବିଜେପି ପ୍ରତିନିଧୀଦଳ ଭେଟି ଆଶୁ ଆରୋଗ୍ୟ କାମନା କରିଛି। ଏହି ଦୁଇଟି ଘଟଣାରୁ ସ୍ପଷ୍ଟ ଜଣାପଡୁଛି କି, ଶାସକ ବିଜେଡି ପିସି ପାଇଁ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଦ୍ଧ କରୁଛି। ରାଜ୍ୟରେ ଟେଣ୍ଡର ମାଫିଆଙ୍କ ରାଜ ଚାଲିଛି। ନିଜର ହକ୍ ମାଗିଲେ ଶାସକ ଦଳର ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାଧାରଣ ନିରୀହ ଜନତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଛି। ତେବେ ଏହି ଦୁଇ ଘଟଣାରେ ସଂଶ୍ଲିଷ୍ଟ ଥିବା ଅପରାଧୀମାନଙ୍କୁ ଖୁବ୍ ଶୀଘ୍ର ଚିହ୍ନଟ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ଦାବି କରିଛି।
ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ପୂର୍ବତନ ସରକାରୀ ଉପ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ପଣ୍ଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀ ଉପ ସଭାପତି ଠାକୁର ରଣଜିତ୍ ଦାସ, ବରିଷ୍ଠ ନେତା ପୃଥ୍ୱୀରାଜ କୁଅଁର, କଟକ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ ଉପ ସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ।
