ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂହଙ୍କ ଆଲୋଚନା : ବିଜୁ ପଟ୍ଟନାୟକ ଷ୍ଟିଲ ପ୍ରତିଷ୍ଠାନକୁ ଆଇ.ଆଇ.ଟି ଭଳି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ବର, ୧୨/୬(ଓଡ଼ିଆ ପୁଅ) କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ବିରେନ୍ଦ୍ର ସିଂହ ଆଜି ଓଡିଶା ଗସ୍ତରେ ଆସି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟଙ୍କ ମଧ୍ୟରେ ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ଇନ୍‌ଷ୍ଟିଚ୍ୟୁଟକୁ ଏକ ସଂପୂର୍ଣ୍ଣ ଜାତୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ପ୍ରସ୍ତାବ ରଖିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୨ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ପ୍ରତିଷ୍ଠାନ ବର୍ତ୍ତମାନ ବିଭିନ୍ନ ସାର୍ଟିଫିକେଟ ଫର୍ମରେ ଶିକ୍ଷା ପ୍ରଦାନ କରୁଅଛି। ୨୦୦୪ ମସିହାରେ କେନ୍ଦ୍ର କ୍ୟାବିନେଟ ଏହାକୁ ଏକ ସ୍ଵୟଂସଂପୂର୍ଣ୍ଣ ଜାତୀୟ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠା କରି ଏଥିରେ ବି.ଟେକ, ଏମ୍.ଟେକ ଓ ପି.ଏଚ୍.ଡ଼ି ଆଦି ଶିକ୍ଷା ପ୍ରଦାନ କରିବା ପାଇଁ ନିଷ୍ପତ୍ତି କରିଥିଲେ। କେନ୍ଦ୍ର ସରକାର ଏହି ନିଷ୍ପତ୍ତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରି ଆଇ.ଆଇ.ଟି ଭଳି ଏକ ଜାତୀୟ ଶିକ୍ଷାନୁଷ୍ଠାନ ଭାବରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ ଜିଲ୍ଲାରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡକୁ ୨୩୦ ହେକ୍ଟର ବିଶିଷ୍ଟ ଏକ ଲାଇମଷ୍ଟୋନ ଓ ଡୋଲୋମାଇଟ ଖଣି ଲିଜ୍ ଆକାରରେ ପ୍ରଦାନ କରାଯାଇଛି। ୨୦୦୩ ମାର୍ଚ୍ଚ ମାସରୁ ସେ ଏଥିରୁ ଖଣି ଉତ୍ତୋଳନ ବନ୍ଦ କରିଦେଇଛି। ତେଣୁ ସେ ଏଥିରୁ ଖଣି ଉତ୍ତୋଳନ ଆରମ୍ଭ କରିବା ଏବଂ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ।

ସେହିପରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଟାଉନ୍ ଅଞ୍ଚଳରେ ଥିବା ୫ ହେକ୍ଟର ଖାଲି ଜାଗାକୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ରହିଛି। ଏଥିରେ ଏକ ସିୱେଜ୍ ପ୍ଲାଣ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଅଛି। ତେଣୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ରାଉରକେଲା ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ତୁରନ୍ତ ମଞ୍ଜୁର ଦେବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଗୁଡିକୁ କେନ୍ଦ୍ର ସରକାର ଗୁରୁତର ସହ ବିଚାର କରି ପଦକ୍ଷେପ ନେବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କଳିଙ୍ଗ ନଗରରେ ଏକ ଷ୍ଟିଲ ହକ୍ ପ୍ରତିଷ୍ଠା ସହିତ ଷ୍ଟିଲ କ୍ଷେତ୍ରରେ ଉନ୍ନତି ବିଷୟରେ ଉଭୟଙ୍କ ମଧ୍ୟରେ ବିସ୍ତୃତ। ଆଲୋଚନା ହୋଇଥିଲା।

ଏହି ବୈଠକରେ ଇସ୍ପାତ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦ୍ର ଇସ୍ପାତ ସଚିବ, ଉନ୍ନୟନ କମିଶନର, ଇସ୍ପାତ ଓ ଖଣି ପ୍ରମୁଖ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ, ଇକୋ ସି.ଏମ୍.ଡି ଓ ଓ.ଏମ୍.ସି.ର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *