ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ୭ ଦିନ ପାଇଁ ରିଲିଫ ଘୋଷଣା

ଭୁବନେଶ୍ୱର ୧୦-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ଓ ଜିଲ୍ଲାର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ। ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୭ ଦିନ ପାଇଁ ରିଲିଫ ଘୋଷଣା କରିଛନ୍ତି। ଏ ବାବଦରେ ପୌଢ଼ମାନଙ୍କୁ ଦୈନିକ ୬୦ ଟଙ୍କା ଏବଂ ୧୨ ବର୍ଷରୁ କମ୍ ବୟସ ପିଲାମାନଙ୍କ ପାଇଁ ଦୈନିକ ୪୫ ଟଙ୍କା ହିସାବରେ ରିଲିଫ ପ୍ରଦାନ କରାଯିବ। ସେହିପରି ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପ୍ରାଣୀମାନଙ୍କୁ ମାଗଣାରେ ଚିକିତ୍ସା ସହିତ ଟୀକାକରଣ ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏକ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ବୈଠକରେ ପରାମର୍ଶ ଦିଆଯାଇଥିଲା।

ସମୀକ୍ଷାରୁ ଜଣାଯାଇଛି ଯେ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ୧୭ଟି ବ୍ଳକ, ୪ଟି ପୌରପରିଷଦ ଏବଂ ୯୦୩ଟି ଗାଁର ସାଢେ ସାତ ଲକ୍ଷ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ପଚାଶ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଚାଳିଶ ହଜାର ଲୋକଙ୍କୁ ‘ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ଗୃହପାଳିତ ପଶୁମାନଙ୍କୁ ମଧ୍ୟ ୯୦ ମେଟ୍ରିକ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ଏହାସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ରାଜସ୍ବ ମନ୍ତ୍ରୀ ଶ୍ରୀ ମହେଶ୍ବର ମହାନ୍ତି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଜଳସଂପଦ ବିଭାଗ ପ୍ରମୁଖ ସଚିବ, କୃଷି ବିଭାଗ ପ୍ରମୁଖ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ମତ୍ସ୍ୟ ଓ ପଶୁପଳନ ବିଭାଗ ସଚିବ ପ୍ରମୁଖ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top