ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପାର୍ବତୀଗିରି ମେଗା ଲିଫ୍ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ: ୪୧ଟି ପଏଣ୍ଟ ଉଦ୍‌ଘାଟିତ, ୫୦ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା

ଭୁବନେଶ୍ୱର ୮-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପାର୍ବତୀଗିରି ମେଗା ଲିଫ୍ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପର ଆଜି ୪୧ଟି ପଏଣ୍ଟ ଉଦ୍‌ଘାଟିତ ହୋଇଛି ଏବଂ ଏହା ଦ୍ବାରା ୫୦ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା ମିଳିପାରିବ।

ଏହି ଅବସରରେ ବିଭିନ୍ନ ପ୍ରକଳ୍ପ ସ୍ଥାନରେ ସମବେତ ଜନତାଙ୍କ ନିକଟରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ କୃଷିକ ବିକାଶରେ ଜଳସେଚନର ଭୂମିକା ସବୁଠାରୁ ବଡ। ୨୦୧୯ ସୁଦ୍ଧା ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାପାଇଁ ସେ ପ୍ରତିଶ୍ରୁତି ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳଯୋଗାଣର ସୁବିଧା କରାଯାଇ ପାରିଛି। ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ଖୁବ ଶୀଘ୍ର ଆଉ ୩ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା କରାଯିବ ବୋଲି ସେ କହିଥିଲେ। ରାଜ୍ୟର ଉଚା ଜମି ଅଞ୍ଚଳରେ ପାର୍ବତୀଗିରି ମେଗା ଲିଫ୍ ଜଳସେଚନ ବହୁତ ଲୋକପ୍ରିୟ ହୋଇପାରିଛି। ତେଣୁ ଅଧିକ ଚାଷୀ ଯେପରି ଏହି ସୁବିଧା ପାଇପାରିବେ, ସେଥିପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ। ଏଥିପାଇଁ ଆଗାମୀ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର ତାଙ୍କ ଅଭିଭାଷଣରେ ଜଳସେଚନ ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ପାଳନ କରିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ବଲାଙ୍ଗୀର ଜିଲ୍ଲାରେ ଯେପରି ଅଧିକ ଜମିରେ ଜଳସେଚନ ସୁବିଧାର ବିକାଶ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ ପାର୍ବତୀଗିରି ମେଗା ଲିଫ୍ ଜଳସେଚନ ପ୍ରକଳ୍ପ ଜରିଆରେ ରାଜ୍ୟର ୨୩ଟି ଜିଲ୍ଲାରେ ୧୯୯ ଟି ଯୋଜନା ଅଧିନରେ ୨ ଲକ୍ଷ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜି ଉଦ୍‌ଘାଟନ ହୋଇଥିବା ୪୧ଟି ମେଗା ଲିଫ୍ ପ୍ରକଳ୍ପ ଦ୍ବାରା ୯ଟି ଜିଲ୍ଲାର ୫୦, ୦୨୨ ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିପାରିଛି। ଏହି ଜିଲ୍ଲାଗୁଡିକ ହେଲା ଗଜପତି, କଳାହାଣ୍ଡି, ନବରଙ୍ଗପୁର, ବରଗଡ, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ବୌଦ ଓ ସୁବର୍ଣ୍ଣପୁର। ୨୦୧୯ ମାର୍ଚ୍ଚ ସୁଦ୍ଧା ଏହି ମେଗା ଲିଙ୍କ କାର୍ଯ୍ୟକ୍ରମ ଅଧୀନରେ ଆହୁରି ୮୦ଟି ପ୍ରକଳ୍ପ ଜରିଆରେ ୧ ଲକ୍ଷ ୮eଙ୍କର ହେକ୍ଟର ଜମିରେ ଜଳସେଚନର ସୁବିଧା ଦିଆଯିବ।

ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଯୋଜନାର ବିଭିନ୍ନ ସ୍ଥାନରେ ଉପସ୍ଥିତ ଚାଷୀମାନଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ପାର୍ବତୀଗିରି ମେଗା ଲିଫ୍ ଜଳସେଚନ ପ୍ରକଳ୍ପ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ସମ୍ବଳିତ ଏକ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଚିଫ ଇଞ୍ଜିନିୟର, ମେଗାଲି କାର୍ଯ୍ୟାଳୟର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଢ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା, କୃଷିମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଜଳସଂପଦ ବିଭାଗ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ, କୃଷି ଉତ୍ପାଦନ କମିଶନର, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ, ଜଳସେଚନ ବିଭାଗ ପ୍ରମୁଖ ସଚିବ ଓ ଅନ୍ୟାନ୍ୟ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *