ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା: ଗତ ୪ ବର୍ଷରେ ୬୨, ୫୦୦ଟି ପଦବୀ ପୂରଣ ହୋଇଛି

ଭୁବନେଶ୍ବର, ୭.୫ (ଓଡ଼ିଆ ପୁଅ) – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଥିବା ଖାଲି ପଦବୀର ପୂରଣ ପାଇଁ ହେଉଥିବା ନିଯୁକ୍ତି ପ୍ରକ୍ରିୟା ସଂପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷାରୁ ଜଣାଯାଇଛି ଯେ ଗତ ୪ ବର୍ଷ ମଧ୍ୟରେ ବିଭିନ୍ନ ବିଭାଗର ୬୨, ୫୦୦ଟି ପଦବୀ ପୂରଣ ହୋଇଛି ଏବଂ ୨୦୧୫ ମସିହା ଠାରୁ ଓଡ଼ିଶା ଲୋକସେବା ପରୀକ୍ଷା ନିୟମିତ ଭାବରେ ହେଉଛି।

ପଦବୀ ପୂରଣ ପ୍ରକ୍ରିୟାର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ବିଭିନ୍ନ ବିଭାଗରେ ବାକି ଥିବା ୭୫୦୦ଟି ଖାଲି ପଦବୀ ପୂରଣ ପାଇଁ ଜୁନ୍ ମାସ ସୁଦ୍ଧା ପ୍ରସ୍ତାବ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଭିନ୍ନ ସଂସ୍ଥା ଦ୍ୱାରା ୧୯, ୦୦୦ ବିଭାଗୀୟ ପଦବୀ ପୂରଣ ପାଇଁ ଚାଲିଥିବ ନିଯୁକ୍ତି ପ୍ରକ୍ରିୟାକୁ ତୁରନ୍ତ ଶେଷ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଖାଲି ପଦବୀ ଗୁଡିକୁ ପିଛିଲା ଭାବେ ପୂରଣ କରିବାକୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିବା ପାଇଁ ସମସ୍ତ ବିଭାଗ ଗୁଡିକ ନିଯୁକ୍ତି ଏଜେନ୍ସି ଗୁଡିକୁ ଜୁନ୍ ମାସ ଶେଷ ସୁଦ୍ଧା ପ୍ରସ୍ତାବ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ସ୍ବତନ୍ତ୍ର ରିକ୍ରୁଟମେଣ୍ଟ ଡ୍ରାଇଭ ୬ ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ସହିତ ଏହି କାର୍ଯ୍ୟକ୍ରମର ନିୟମିତ ସମୀକ୍ଷା ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

୨୦୧୭ ବର୍ଷ ପାଇଁ ଓଡ଼ିଶା ଲୋକସେବା ପରୀକ୍ଷା ପ୍ରକ୍ରିୟାକୁ ଶୀଘ୍ର ସଂପୂର୍ଣ୍ଣ କରି ଫଳାଫଳ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହା ସହିତ ଓଡ଼ିଶା ଲୋକସେବା-୨୦୧୮ ପାଇଁ ଚଳିତ ବର୍ଷ ମଇ ୩୧ ତାରିଖ ସୁଦ୍ଧା ବିଜ୍ଞାପନ ପ୍ରକାଶ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ଓଡ଼ିଶା ଲୋକସେବା ଆୟୋଗକୁ ପ୍ରସ୍ତାବ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସହକାରୀ। ଉପବିଭାଗ ଅଧିକାରୀ ପଦବୀ ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାକୁ ୬ ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଆଡଭୋକେଟ ଜେନେରାଲ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ଏବଂ ବିଭିନ୍ନ ନିଯୁକ୍ତି କମିଶନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *