ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ଚିଠି ‘ନା ଖୁସି ନା ଗମ୍’! ୨୦ ପର୍ଯ୍ୟନ୍ତ ଆଇନ ଓ ରାଜସ୍ୱ ଅଦାଲତ ବନ୍ଦ

ସମ୍ବଲପୁର, ୬/୯ (ଓଡ଼ିଆ ପୁଅ) – ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଜିଲ୍ଲା ଓକିଲ ସଂଘର ଆହ୍ୱାନ କ୍ରମେ ଗତକାଲି ଠାରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓକିଲ ସଂଘର ଦାବି ଅନୁସାରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ ସୂଚାଇଛନ୍ତି ଯେ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ସକାଶେ ପଦକ୍ଷେପ ନେବାପାଇଁ ଅନୁରୋଧ ଜଣାଇ ସେ ୨୦୧୩ ସେପ୍ଟେମ୍ବର ୨୮ ତାରିଖ ଏବଂ ୨୦୧୪ ଫେବୃଆରୀ ୧୩ ତାରିଖରେ ପତ୍ର ଲେଖି ସାରିଛନ୍ତି। ୨୦୧୫ ଅକ୍ଟୋବର ୭ ତାରିଖରେ ଭାରତ ସରକାରଙ୍କ ଆଇନ ବିଭାଗ ମନ୍ତ୍ରୀଙ୍କ ପତ୍ର ଉପରେ ଓଡ଼ିଶା ହାଇକୋର୍ଟ ବର୍ତ୍ତମାନ ସୁଦ୍ଧା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ କୌଣସି ମତାମତ ଦେଇନାହାନ୍ତି। ଯଶୋବନ୍ତ ସିଂ କମିଟୀ ଠାରୁ ଆରମ୍ଭ କରି ହାଇକୋର୍ଟର ବେଞ୍ଚ ସ୍ଥାପନ ସଂକ୍ରାନ୍ତ ସମସ୍ତ ବିଷୟ ଉପରେ ରାଜ୍ୟ ସରକାର ଅବଗତ ଅଛନ୍ତି। ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାର ଯୁକ୍ତିଯୁକ୍ତତା ଅଛି। କେନ୍ଦ୍ର ପାଖରେ ଏହି ଅଧିକାର ରହିଛି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଆଇନ ମନ୍ତ୍ରୀ ହରିଶଙ୍କର ପ୍ରସାଦଙ୍କୁ ପତ୍ର ଲେଖି ଅନୁରୋଧ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପତ୍ର ଉପରେ ତର୍ଜମା ଏବଂ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ ବାବଦରେ ଆଜି ସମ୍ବଲପୁର ବାର୍ରେ ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟୀର ଅନୁରୋଧକୁ ରକ୍ଷାକରି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିବାରୁ ତାଙ୍କୁ ଧନ୍ୟବାଦ ଦିଆଯିବା ସହିତ ପତ୍ର ଲିଖନକୁ ସ୍ୱାଗତ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ସହିତ କମିଟୀର ଆଲୋଚନା ବେଳେ କେନ୍ଦ୍ର ନିକଟକୁ ଏକ ପ୍ରତିନିଧି ଦଳ ପଠାଇବା ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ଏ ପର୍ଯ୍ୟନ୍ତ ପାଳନ କରାଯାଇ ନଥିବାରୁ ଆଜିକାର ବୈଠକରେ କ୍ଷୋଭ ପ୍ରକାଶ କରାଯାଇଛି। ତେଣୁ ଖୁସି ମନାଇବାର କୌଣସି ଅବକାଶ ଆସିନଥିବା ଓକିଲମାନେ ଅନୁଭବ କରିଛନ୍ତି। ଏ ଆନ୍ଦୋଳନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ବିରୁଦ୍ଧରେ ହୋଇଥିବାରୁ ପୂର୍ବ ଘୋଷଣା ଅନୁସାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ଅଦାଲତ ଏବଂ ରାଜସ୍ୱ ଅଦାଲତଗୁଡ଼ିକୁ ଅଚଳ କରାଯିବ ବୋଲି ଆଜିକାର ବୈଠକରେ ନିଷ୍ପତ୍ତି ହୋଇଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ରାଜସ୍ୱ ବିଭାଗରେ କୋର୍ଟ କରିବାକୁ ଦିଆଯିବ ନାହିଁ।

ଗତକାଲି ଭଳି ଆଜି ମଧ୍ୟ ଆଇନଜୀବୀମାନେ ଦୈନନ୍ଦିତ ଅଦାଲତି କାର୍ଯ୍ୟରୁ ନିବୃତ୍ତ ରହି ଜିଲ୍ଲା ଅଦାଲତ ସମୂହ କ୍ୟାମ୍ପସକୁ ସଂଯୋଗ କରୁଥିବା ରାସ୍ତାର ନେଲସନ ମଣ୍ଡେଲା ଛକଠାରେ ଧାରଣା ଦେବା ସହିତ ପିକେଟିଂ କରିଥିଲେ। ଫଳରେ ବିଚାର ବିଭାଗୀୟ ଦପ୍ତରଗୁଡ଼ିକ ଖୋଲି ପାରିନଥିଲା। ଆଜି ବିଚାର ବିଭାଗୀୟ କାର୍ଯ୍ୟାଳୟଗୁଡ଼ିକ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜସ୍ୱ ସମ୍ପର୍କୀତ ଏଠାରେ ଥିବା ସମସ୍ତ ଅଦାଲତ ଆଗରେ ପିକେଟିଂ କରାଯାଇଛି। ଯଦ୍ୱାରା ରାଜସ୍ୱ କମିଶନର, ଜିଲ୍ଲାପାଳ, ସଦର ଉପଜିଲ୍ଲାପାଳ, ବନ୍ଦୋବସ୍ତ ଯୁଗ୍ମ କମିଶନର, ତହସିଲଦାରଙ୍କ କାର୍ଯ୍ୟାଳୟ, ଟ୍ରେଜେରୀ, ଡିଆରଡିଏ, ଖଣି, ବାଣିଜ୍ୟକର ପ୍ରଭୃତି ବିଭିନ୍ନ କାର୍ଯ୍ୟାଳୟକୁ ଅଧିକାରୀ ଏବଂ କର୍ମଚାରୀମାନେ ପ୍ରବେଶ କରିପାରି ନଥିଲେ। ଆଇନଜୀବୀମାନଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ, ଟ୍ରେଡ଼ୟୁନିୟନ, ସାମାଜିକ ଓ ସାଂସ୍କୃତିକ ସଂଗଠନ, ଗଣସଂଗଠନ ମାନଙ୍କ ପକ୍ଷରୁ ସମର୍ଥନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସ୍ଥିର କରାଯାଇଛି। ଏହି ପର୍ଯ୍ୟାୟରେ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ଓକିଲ ସଂଘର ସାଧାରଣ ବୈଠକରେ ଘୋଷଣା କରାଯାଇଥିଲା ଏବଂ ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଆକାରରେ ପ୍ରେରଣ କରାଯାଇଛି। ଆସନ୍ତା ୯ ତାରିଖରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟୀର ବୈଠକ ଝାରସୁଗୁଡ଼ାରେ ଅନୁଷ୍ଠିତ ହେବାର ଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top