ମୁଖ୍ୟମନ୍ତ୍ରୀଙ୍କ ଆଗରେ ନାରୀ ଅସଦାଚରଣ ଲଜ୍ଜାଜନକ : ବିଶ୍ୱଭୂଷଣ ହରିଚନ୍ଦନ

– ମହିଳାମାନଙ୍କ ସମ୍ମାନ, ମର୍ଯ୍ୟାଦା ଆଜି ଓଡିଶାରେ ଭୁଲୁଣ୍ଠିତ ହୋଇଛି
– ତଳସାରି ଘଟଣାରେ ମୁଖ୍ୟମନ୍ତ୍ରୀ ନିସର୍ତଃ କ୍ଷମାପ୍ରାର୍ଥନା କରନ୍ତୁ
– ଆଇନ ନିଜ ବାଟରେ ଯାଉଛି ନା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ବାଟରେ ଯାଉଛି ?
– ନିଜ ବିରୁଦ୍ଧରେ ମକଦ୍ଦମା କରିବାକୁ ନିର୍ଦ୍ଦେଶ ଦେଇ ଆଦର୍ଶ ମୁଖ୍ୟମନ୍ତ୍ରୀର ପରିଚୟ ଦିଅନ୍ତୁ

ଭୁବନେଶ୍ୱର, ତା.୦୭/୦୨(ଓଡ଼ିଆ ପୁଅ): ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପରୋକ୍ଷ ସମର୍ଥନରେ ବାଲେଶ୍ୱର ଜିଲ୍ଲା ତଳସାରି ସଭାରେ ଜଣେ ମହିଳାଙ୍କୁ ଜଘନ୍ୟ ଓ ବର୍ବରୋଚିତ ଭାବେ ଆକ୍ରମଣ କରି ଅସଦାଚରଣ କରିବା ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ। ମହିଳାମାନଙ୍କ ସମ୍ମାନ, ମର୍ଯ୍ୟାଦା ଆଜି ଓଡିଶାରେ ଭୁଲୁଣ୍ଠିତ ହୋଇଛି। ଭୁଷୁଡି ପଡିଛି ଆଇନର ଶାସନ। ତଳସାରି ଘଟଣାରେ ଆଦର୍ଶ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ପାଖରେ ନିସର୍ତଃ କ୍ଷମାପ୍ରାର୍ଥନା କରିବା ସହିତ ତାଙ୍କ ନିଜ ବିରୁଦ୍ଧରେ ମକଦ୍ଦମା କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇ ତାଙ୍କ ଉଚ୍ଚ ଆଦର୍ଶ ଦେଖାଇବାକୁ ବରିଷ୍ଠ ବିଜେପି ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆହ୍ୱାନ କରିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ; ମୁଖ୍ୟମନ୍ତ୍ରୀଙ୍କ ସଭା ମଂଚର ଅନତି ଦୂରରେ, ତାଙ୍କ ଆଖି ଆଗରେ ଜଣେ ମହିଳାଙ୍କୁ ନିସ୍ତୁକ ଭାବରେ ପିଟି ତାଙ୍କ ପ୍ରତି ଅସଦାଚରଣ କରିବା ଓ ପୁରୁଷ ପୋଲିସଙ୍କ ଦ୍ୱାରା ଘୋଷାରି ଘୋଷାରି ନେବା ସଭ୍ୟ ସମାଜ ପ୍ରତି ଅପମାନ। ଆଇନ ଆଖିରେ ଏ ସବୁ ଗୁରୁତର ଅପରାଧ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ କାଠଗଡାରେ ଠିଆ ହୋଇଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ବାଲେଶ୍ୱର ଜିଲ୍ଲାର ତାଳସାରି ମହୋତ୍ସବକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ରାଜେଶ୍ୱରୀ କାମିଲା ନାମ୍ନି ଜଣେ ମହିଳା ବହୁଚର୍ଚ୍ଚିତ କୁନ୍ଦୁଲି ପୀଡିତାଙ୍କ ପାଇଁ ପ୍ରତିବାଦ କରି ୩ଟି ଅଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଫୋପାଡିଥିଲେ। ଯାହା ତାଙ୍କ ଦେହରେ ବାଜି ନାହିଁ। ଜିଲ୍ଲାର ସର୍ବୋଚ୍ଚ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ଉକ୍ତ ମହିଳା ଉପରକୁ ଝାଂପି ପଡି ଟାଣି ଟାଣି ଘୋଷାରି ନେବାକୁ ଲାଗିଲେ। ସରକାରୀ ଦଳର କାର୍ଯ୍ୟକର୍ତାମାନେ ଉକ୍ତ ମହିଳାଙ୍କୁ ଆଖି ବୁଜା ବାଡେଇଲେ। ଏପରିକି ଉକ୍ତ ମହିଳାଙ୍କ ବ୍ଲାଉଜ ଚିରିବା, ପିନ୍ଧା ଶାଢୀ ଖୋଲିଦେବା ସହିତ ଅସଦାଚରଣ ବ୍ୟବହାର ପ୍ରଦର୍ଶନ କଲେ। ଏ ସମସ୍ତ ଘଟଣା ଗଣମାଧ୍ୟମ କ୍ୟାମେରାରେ ଧରାପଡିଛି। ଏହି ବିଭତ୍ସ ଓ ଜଘନ୍ୟ କାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଖୁବ୍ ନିକଟରେ ଓ ତାଙ୍କ ଆଖି ଆଗରେ ହେଉଥିଲେ ସୁଦ୍ଧା ସେ ଏଥିରେ ହସ୍ତକ୍ଷେପ କଲେ ନାହିଁ କିମ୍ବା ତାଙ୍କ ପୋଲିସ ଓ କର୍ମୀମାନଙ୍କୁ ବାରଣ ମଧ୍ୟ କଲେ ନାହିଁ। ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନର ସର୍ବୋଚ୍ଚ କର୍ତା ଓ ଗୃହ ବିଭାଗର ମନ୍ତ୍ରୀ ହୋଇଥିବାରୁ ଶ୍ରୀମତି କାମିଲାଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବା ତାଙ୍କର ଶାସନଗତ କର୍ତବ୍ୟ ଥିଲା। ତାଙ୍କର ପଦେ କଥାରେ ଏଭଳି ବିଭତ୍ସକାଣ୍ଡ ମୁହୂର୍ତକରେ ବନ୍ଦ ହୋଇଯାଇଥାନ୍ତା। ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କର ଏହି କର୍ତବ୍ୟ କରିନଥିବାରୁ ଏଥିରେ ତାଙ୍କର ପରୋକ୍ଷ ସମର୍ଥନ ଥିଲାବୋଲି ଧରାଯିବ ଓ ଆଇନ ଅନୁସାରେ ଅନ୍ୟମାନଙ୍କ ଭଳି ଏ ଅପରାଧରେ ସେ ନିଜେ ମଧ୍ୟ ଦୋଷୀ ହେବେ। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଲ କୋର୍ଡର ୩୦୭, ୩୫୪, ୫୦୬, ୩୨୪, ୩୨୫ ସହିତ ଧାରା ୩୪ ଓ ୧୪୯ ଲାଗିବାବେଳେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମଧ୍ୟ ସେହି ଧାରା ଲାଗିବ। ତେଣୁ ପୋଲିସ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଭଯୁକ୍ତମାନଙ୍କ ବିରୁଦ୍ଧରେ ଏଭଳି ଗୁରୁତର ଅପରାଧ ପାଇଁ ଉପରୋକ୍ତ ଦଫାଗୁଡିକ ଲଗାଇ ମୋକଦ୍ଦମା ନକରି ଅଣ୍ଡାଫିଙ୍ଗାଜନିତ ସାଧାରଣ ଅପରାଧ ପାଇଁ ପିଙ୍ଗଳ କୋର୍ଡ ୩୫୨, ୩୩୨, ୨୪୯, ୫୦୬ ଓ ୩୦୭ ଦଫାରେ ମୋକଦ୍ଦମା କରିଛି। ଯାହାକି ପୋଲିସର ନିରପେକ୍ଷତା ଓ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ଶ୍ରୀମତି କାମିଲା ଘରେ ତାଙ୍କର ୭ ମାସର ଛୁଆକୁ ଛାଡିଆସିଛନ୍ତି ଓ ସେ ଭୋକ ବିକଳରେ ଛଟପଟ ହେଉଥିବା କହି ତାଙ୍କୁ ଛାଡିଦେବାକୁ ଯେତେ ବିକଳ ନିବେଦନ କଲେ ବି ପୋଲିସ କି ମୁଖ୍ୟମନ୍ତ୍ରୀଙ୍କ ଭିତରେ କର୍ତବ୍ୟବୋଧ କିମ୍ବା ମାନବିକତାର ଉଦ୍ରେକ ହେଲା ନାହିଁ। ପୋଲିସ ହାଜତ ଓ ଜେଲରେ ୩ ଦିନ ରହିବା ପରେ ଶ୍ରୀମତି କାମିଲାଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ହସପିଟାଲ ଏବଂ ପରେ କଟକ ବଡ ମେଡିକାଲରେ ତାଙ୍କୁ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। କାଳେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଯିବାର ଆଶଙ୍କା କରି ପୋଲିସ ଛାନିଆ ହୋଇ ଶ୍ରୀମତୀ କାମିଲାଙ୍କ ଉପରେ ନିଜେ ଲାଗୁ କରିଥିବା ୩୦୭ ଦଫାକୁ ଉଠାଇଦେଇଥିବାର କହିଛନ୍ତି। ଏ ଅଣ୍ଡା ଫୋପାଡିବାକୁ ଆମେ ସମର୍ଥନ କରୁନାହୁଁ। କିନ୍ତୁ ତାହା ଏକ ସାମାନ୍ୟ ଅପରାଧ ହୋଇଥିଲା ବେଳେ ମୁଖ୍ୟମନ୍ତ୍ରୀ ଓ ଅସଦାଚରଣ କରିଥିବା ବ୍ୟକ୍ତିମାନଙ୍କ ଅପରାଧ ତ ଆହୁରି ଅତ୍ୟନ୍ତ ଜଘନ୍ୟ ଓ ଗୁରୁତର। ଆଇନ ଏବେ ତା ନିଜ ବାଟରେ ଯିବ ନା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ବାଟରେ ଯିବ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ ଉଠାଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *