ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାରିଥିବା ମହିଳାଙ୍କ ନାଁ’ ରେ ଥାନାରେ ମାମଲା ରୁଜୁ: ମହିଳାଙ୍କ ସ୍ବାମୀଙ୍କ ଜାମିନ ନାମଞ୍ଜୁର

– ମହିଳାଙ୍କ ସ୍ବାମୀ ଜଳେଶ୍ୱର ଉପକାରଗାରକୁ ଗଲେ
– ଆଇପିସି ଧାରା ୩୦୭ ଏବଂ ୧୨(ବି) ଅନୁସାରେ ମାମଲା ରୁଜୁ
ବାଲେଶ୍ୱର ୨-୨ (ଓଡ଼ିଆ ପୁଅ) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ମହୋତ୍ସବର ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ କରିଥିବା ମହିଳା ରାଜେଶ୍ୱରୀ କମିଲାଙ୍କ ବିରୁଦ୍ଧରେ ହତ୍ୟାର ପ୍ରୟାସ ପାଇଁ ଆଇପିସି ଧାରା ୩୦୭ ଏବଂ ୧୨(ବି) ଅନୁସାରେ ମାମଲା ରୁଜୁ କରିଛି ତାଳସାରୀ ବେଳାଭୂମି ଥାନା।

ହସ୍ପିଟାଲରୁ ବାହାରିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ଜୋଗେନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି। ସୂଚନାନୁଯାୟୀ, ରାଜେଶ୍ୱରୀ ଯିଏକି ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡା ଫୋପାଡ଼ିଥିଲେ, ତାଙ୍କୁ କ୍ରୋଧିତ ଲୋକମାନଙ୍କର ଏକ ସମୂହ କଥିତ ରୂପରେ ପିଟି ଥିଲେ। ଏବେ ସେହି ମହିଳା ବାଲେଶ୍ୱର ଜିଲାର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ତାଙ୍କର ଛାତି ଏବଂ ଶରୀରରେ ଯନ୍ତ୍ରଣା ଅନୁଭବ କରୁଥିବାର ଅଭିଯୋଗ କରିଥିଲେ ଉକ୍ତ ମହିଳା ଜଣକ।
ସୂଚନା ଯୋଗ୍ୟଯେ, ବୁଧବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳସାରୀ ବେଳାଭୂମି ମହୋତ୍ସବର ଉଦଘାଟନୀ ଭାଷଣ ପ୍ରଦାନ କରିବାର ୨ ମିନିଟ୍ ପରେ ବ୍ୟାରିକେଡ଼ ବାହାରେ ଥିବା ଭିଡ଼ ଭିତରୁ ମହିଳା ଜଣକ ଅଣ୍ଡା ସଭାସ୍ଥଳ ଉପରକୁ ଫିଙ୍ଗି ଥିଲେ। ଅଣ୍ଡା ଗୁଡ଼ିକ ଯଦିଓ ନବୀନଙ୍କ ଦେହରେ ବାଜି ନ ଥିଲା, ତଥାପି ମଞ୍ଚ ଉପରେ ପଡ଼ିଥିଲା। ସେହି ସମୟରେ ମହିଳାଙ୍କୁ ସୁରକ୍ଷା କର୍ମୀମାନେ କାବୁ କରିନେଇଥିଲେ।

ମୁଖ୍ୟ ଚିକିତ୍ସାଧିକାରୀ ବିବେକାନନ୍ଦ ଦାସ କହିଛନ୍ତି ମହିଳାଙ୍କର ଚିକିତ୍ସା ଚାଲିଛି। ପ୍ରାଥମିକ ଚିକିତ୍ସାରୁ ଜଣା ପଡ଼ିଛିଯେ, ମହିଳା  ବିଶେଷ କିଛି ଗୁରୁତର ହୋଇନାହାଁନ୍ତି। କିନ୍ତୁ ଛାତି ଏବଂ ଶରୀରର ଏକ୍ସରେ ରିପୋର୍ଟ ଆସିବା ପରେ କ’ଣ ହୋଇଛି ତାହା ଜଣା ପଡ଼ିବ।

ଇତି ମଧ୍ୟରେ ପୂର୍ବତନ ବିଧାୟକ ପ୍ରତାପ ଷଢ଼ଙ୍ଗିଙ୍କର ଅଧ୍ୟକ୍ଷତାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କର ଏକ ଟିମ  ଚିକିତ୍ସାଳୟରେ ରାଜେଶ୍ୱରୀଙ୍କ ସହିତ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବା ବୁଝିଥିଲେ ଏବଂ ତା’ଙ୍କ ଉପରେ ହୋଇଥିବା ଆକ୍ରମଣର ନିନ୍ଦା କରିଥିଲେ।

“କୁନ୍ଦୁଲିର ଘଟଣାରେ ସେ ଭାବପ୍ରବଣ ହୋଇ ଏପରି କିଛି କରିନେଲେ – କିନ୍ତୁ ପୁଲିସର ଉପସ୍ଥିତିରେ ବିଜେଡିର ସମର୍ଥକ ତାଙ୍କୁ ନିର୍ଧୁମ୍ ମାଡ଼ ମାରିଥିଲେ, ଲୋକତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ” ବୋଲି ଶ୍ରୀ ଷଢ଼ଙ୍ଗି ପ୍ରକାଶ କରିଥିଲେ।

ଅନ୍ୟ ପକ୍ଷରେ ରାଜେଶ୍ୱରୀ କମିଲା କହିଛନ୍ତିଯେ, “ଏହା କୁନ୍ଦୁଲି ଲଜ୍ଜାଜନକ ଘଟଣାର ବିରୁଦ୍ଧରେ ମୋର ବିରୋଧ ଥିଲା”।

ଆରପଟେ, ସୂଚନାନୂଯାୟୀ, ମହିଳାଙ୍କ ଶ୍ୱଶୁର, ମହିଳାଙ୍କ ପ୍ରତି ହୋଇଥିବା ଆକ୍ରମଣ ତଥା ଅସଦାଚରଣ ବିରୁଦ୍ଧରେ, ମନ୍ତ୍ରୀ ଅନନ୍ତ ଦାସଙ୍କ କିଛି ସମର୍ଥକ ଏବଂ ହୁଗୁଳି ସରପଞ୍ଚଙ୍କ ପୁଅ ଅଭିଜିତ୍‌ ପଣ୍ଡାଙ୍କ ନାଁରେ ତାଳସାରୀ ମେରାଇନ୍‌ ଥାନାରେ ଏତଲା ଦେଇଥିବା ଖବର ମିଳିଛି।

ସୂଚନାନୁଯାୟୀ, ମହିଳାଙ୍କ ସ୍ବାମୀ ଗୋଚ୍ଛିଦା ତେଘରୀ ଗ୍ରାମର ଦୀଲିପ କାମିଳାଙ୍କୁ ପୋଲିସ ଗୁରୁବାରଦିନ ଗିରଫ କରିଥିଲା। ତାଙ୍କୁ ଜଳେଶ୍ୱରସ୍ଥିତ ଜେଏମଏଫସ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଜଳେଶ୍ୱର ଉପକାରଗାରକୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *