ମୁକ୍ତିକାର୍ଡକୁ ନେଇ ବଢୁଛି ରାଜନୈତିକ ଉଷ୍ମତା

ରାଉରକେଲା ୮-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲା ଖରିଆବାହାଲ ବସ୍ତିର ଓଡ଼ିଆ ଯୁବକ ମୁକ୍ତିକାନ୍ତଙ୍କ ଚର୍ଚ୍ଚା ଏବେ ସାରା ଭାରତବର୍ଷରେ। ମୁକ୍ତିକାନ୍ତଙ୍କ ଦିଲ୍ଲୀ ପଦଯାତ୍ରା ସରି ଯାଇଛି। ସେ ଫେରି ଆସୁଛନ୍ତି ତାଙ୍କ ଜନ୍ମମାଟି ରାଉରକେଲା। ମାତ୍ର ଯେଉଁ ଉଦେ୍ଦ୍ୟଶ ନେଇ ସେ ଦିଲୀ ଯାତ୍ରା କରିଥିଲେ ତାହା ପୁରଣ ହୋଇପାରିଲା ନାହିଁ। ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ପ୍ରତିଶୃତି ୨ୟ ବ୍ରାହ୍ମଣୀ ବ୍ରୀଜ ନିର୍ମାଣ ଓ ରାଉରକେଲାରେ ମେଡ଼ିକାଲ କଲେଜ ତିଆରି ହେବା ପ୍ରସଙ୍ଗକୁ ମନେପକାଇବା ପାଇଁ ସେ ଦିଲୀ ଯାତ୍ରା କରିଥିଲେ। ଦୀର୍ଘ ୭୧ ଦିନର ଯାତ୍ରା ପରେ ସେ ପହଂଚିଥିଲେ ଦିଲୀ। ଚାଲି ଚାଲି ଯାଇଥିଲେ ୧୫୫୦ କିଲୋମିଟର। ମାତ୍ର ଏହି ଘଟଣାକୁ ନେଇ ବଢିବାରେ ଲାଗିଲା ରାଜନିତୀ। ରାଜନିତୀର ପଶାପାଲିରେ ପେଶି ହୋଇଗଲେ ମୁକ୍ତିକାନ୍ତ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ମୁକ୍ତିକାନ୍ତ ସାକ୍ଷାତ କରିବା ସମୟରେ, ଏହା କଂଗ୍ରେସର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଜୁଏଲ କହିବା ସହ ମୁକ୍ତିକାନ୍ତଙ୍କୁ ଅପମାନ କରିଥିଲେ ଓ କୌଣସି ସହଯୋଗ କରିନଥିଲେ ବୋଲି ମୁକ୍ତିକାନ୍ତ ଅଭିଯୋଗ କରିଥିଲେ। ଏହାପରେ ଏହାକୁ ନେଇ ବଢିଲା ବିବାଦ। ସବୁଆଡେ ଜୁଏଲଙ୍କ ପୁତୁଲା ପୋଡ଼ିହେଲା। ଏହି ଘଟଣାରେ ତାତି ଉଠିଲେ ଜୁଏଲ ସପକ୍ଷବାଦୀ। ଏସବୁ କାର୍ଯ୍ୟକ୍ରମ ରାଉରକେଲା ବିଧାୟକ ଦିଲୀପଙ୍କ ନିର୍ଦ୍ଦେଶରେ ହେଉଛି ବୋଲି ଅଭିଯୋଗ ଆଣିଲେ। ଗତକାଲି ଦିଲୀପଙ୍କ କୁଶ ପୁତଳିକା ଦାହ ପ୍ରସଙ୍ଗରେ ଏକ ଅଡ଼ିଓ ଟେପ ଭାଇରାଲ ହେବା ପରେ ରାଉରକେଲାରେ ରାଜନିତୀ ପାଣିପାଗ ପ୍ରଭାବିତ ହୋଇଛି। ପ୍ରକାଶ ଥାଉକି, ଓଡ଼ିଆ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ପ୍ରାୟ ସପ୍ତାହ ହେଲା ଦିଲୀରେ ପହଂଚି ସାରିଥିଲେ ସୁଦ୍ଧା, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଯାଏ ସାକ୍ଷାତ କରି ପାରିନାହାନ୍ତି। ଏହାକୁ ନେଇ ରାଜନୀତିକ ଉଷ୍ମତା ଦିନକୁ ଦିନ ବଢିବାରେ ଲାଗିଛି। ଦିଲ୍ଲୀ ଠାରୁ ଶିଳ୍ପ ରାଜଧାନୀ ରାଉରକେଲା ପର୍ଯ୍ୟନ୍ତ କୁହୁଳୁଛି ମୁକ୍ତିକାନ୍ତ ନିଆଁ। ଏପଟେ ଦିଲ୍ଲୀରେ ମୁକ୍ତିକାନ୍ତ ଓ ରାଉରକେଲାରେ ଗୋପାଳ ଜେନା ଅନଶନ ଜାରି ରଖିଥିବା ବେଳେ, ପିଏମଓ ଅଫିସ ଚାପରେ ଉଭୟଙ୍କୁ ଗତକାଲି ପୁଲିସ ଅନଶନ ସ୍ଥଳରୁ ଉଠାଇ ନେଇ ଡାକ୍ତରଖାନାରେ ଭର୍ତି କରିଛି। ଏଭଳି ଘଟଣାକୁ ଗଣତନ୍ତ୍ରର ହତ୍ୟା ତଥା ପୁଲିସ ଜୁଲୁମ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ପ୍ରକାଶ ଥାଉକି, ଦିନକୁ ଦିନ ମୁକ୍ତିକାନ୍ତ ବିଶ୍ୱାଳକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ୭ରୁ ନେଇ ୭୦ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଓଡ଼ିଆ ଯୁବକ ମୁକ୍ତିକାନ୍ତଙ୍କ ଚର୍ଚ୍ଚା। ଇସ୍ପାତ ସହର ରାଉରକେଲାରେ ସବୁଆଡ଼େ ବ୍ୟାପିଛି ମୁକ୍ତିକାନ୍ତ ନିଆଁ। ଗତକାଲି ସ୍ଥାନୀୟ ବିଶ୍ରା ଛକରେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତରେ ବିଜେପି ବିରୋଧରେ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା। ଏହି ଧାରଣାରେ ରାଉରକେଲା ଜିଲ୍ଲା କଂଗ୍ରେସର କର୍ମୀ ମାନେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ନିନ୍ଦା କରିବା ସହ ଭତ୍ସର୍ନା କରିଥିଲେ। ମୁକ୍ତିକାନ୍ତଙ୍କୁ ଅପମାନ କରିବା ସହ କୌଣସି ସାହାଯ୍ୟ ଓ ସହଯୋଗ ନକରିବା ଅମାନବୀୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସେହିପରି ସାରନଗରୀରେ ମଧ୍ୟ କଂଗ୍ରେସ ପକ୍ଷରୁ ଜୁଏଲ ଓରାମଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଚାରିଆଡେ ମୁକ୍ତିକାନ୍ତଙ୍କୁ ନେଇ ଚାଲିଛି ଅନଶନ, ହରତାଳ ଓ ବିକ୍ଷୋଭ, ସିଆଟିୟୁ, ଡିୱାଇଏଫଆଇ ପକ୍ଷରୁ ମଧ୍ୟ ମୁକ୍ତିକାନ୍ତଙ୍କୁ ସମର୍ଥନ ଦିଆଯାଇଛି। ପ୍ରାକ୍ତନ ଆରଏସପି ଅଧିକାରୀ ନାରାୟଣ ପତି ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ପ୍ରକାଶ ଥାଉକି, ଦୀର୍ଘ ୧୫୫୦ କିମି ଅତିକ୍ରମ କରି ରାଉରକେଲା ଖରିଆବାହାଲ ବସ୍ତିର ମୁକ୍ତିକାନ୍ତ ବିଶ୍ୱାଳ ଦିଲ୍ଲୀରେ ପହଂଚିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦେଖା ମିଳି ପାରନାହିଁ।

Leave a Reply

Your email address will not be published. Required fields are marked *