ମିଶନ ୨,୬୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର

ଦେବଗଡ ୨୨-୯ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା)- ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ମିଶନ ମେନେଜ୍ମେଣ୍ଟ ୟୁନିଟ୍ ଆନୁକୂଲ୍ୟରେ ମିଶନ ୨,୬୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଠୀ କହିଲେ ଯେ, ଓଡିଶା ଜୀବିକା ମିଶନ ସହାୟତାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସାମାଜିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ଅଭିବୃଦ୍ଧିକରଣ କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କର ଜୀବିକାର ଅଭିବୃଦ୍ଧି ନିମନ୍ତେ ପ୍ରୟାସ ଜାରୀ ରହିଛି ଏବଂ ଆଗକୁ ଏହି କାର୍ଯ୍ୟକ୍ରମ ଅଧିକ ତ୍ୱରାନ୍ୱୀତ କରାଯିବ।

ଆଲୋଚନାଚକ୍ରରେ ଯୋଗଦେଇ ପ୍ରକଳ୍ପ ନିର୍ଦ୍ଦେଶକ,ଡିଆରଡିଏ ଭୀନସେଣ୍ଟ ପୁନମ କାନ୍ତ ଏକ୍କା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ନିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ରବିନାରାୟଣ ବେହେରା ଏବଂ କୃଷି ଉପ-ନିର୍ଦ୍ଦେଶକ କେ.ଏନ୍. ଜେନା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଆର୍ଥିକମାନଦଣ୍ଡ ବଢାଇବାପାଇଁ ଗ୍ରହଣ କରାଯାଉଥିବା ବିଭାଗୀୟ ଯୋଜନାଗୁଡିକ ଉପରେ ଆଲୋକପାତ କରିଥିଲେ।

ଆଲୋଚନାଚକ୍ରକୁ ପରିଚାଳନା କରି ଜିଲ୍ଲା ପ୍ରକଳ୍ପ ପରିଚାଳକ, ଜୀବିକା ମିଶନ, ନବୀନ କୁମାର ସେନାପତି ସୂଚନା ଦେଇଥିଲେ ଯେ, ଏହି ମିଶନରେ ଗତ ଆର୍ଥିକ ବର୍ଷରେ ଜିଲ୍ଲାର ୧୫,୮୨୫ ପରିବାରକୁ କୃଷି, ଉଦ୍ୟାନ କୃଷି ଓ ପ୍ରାଣୀ ସମ୍ପଦଭିତିକ ବିଭିନ୍ନ କାର୍ଯ୍ୟକ୍ରମରେ ସଫଳତାର ସହିତ ଅନ୍ତର୍ଭୁକ୍ତ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ୩୦,୩୫୦ ପରିବାରକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି।

ଆଲୋଚନାଚକ୍ରରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ପଟେଲଙ୍କ ସମେତ ଗ୍ରାମପଂଚାୟତସ୍ତରୀୟ ମହାସଂଘ, ଆଂଚଳିକସ୍ତରୀୟ ମଂଚର ସଭାପତି/ସମ୍ପଦକବୃନ୍ଦ, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର, ମାଷ୍ଟରବୁକ କିପର ଓ ଗୋଷ୍ଠୀ ସହାୟିକାମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *