ମିଳିଲା କୃତି୍ରମ ଗୋଡ; ଆଗକୁ ବଢିବେ ନାରାୟଣ

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ୫ ବର୍ଷ ତଳେ ଟ୍ରେନ ଦୁର୍ଘଟଣାରେ ନିଜର ଦୁଇ ଗୋଡ ହରାଇଥିବା ନାରାୟଣଙ୍କ ମନରେ ନୂତନ ଆଶାର ସଂଚାର ହୋଇଛି । ଏକପ୍ରକାର ପଙ୍ଗୁ ପାଲଟି ଯାଇଥିବା ନାରାୟଣ  ପୁଣି ଛିଡା ହୋଇଛନ୍ତି ।  ଜୀବନ ରାସ୍ତାରେ ବଢି ଚାଲିବାର ସାହସ ପାଇଛନ୍ତି । ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଭଦ୍ରକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସିଆରଏସଆର କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ନାରାୟଣଙ୍କୁ ମିଳିଛି ୬ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଦୁଇଟି କୃତ୍ରିମ ଗୋଡ ।  ଭଦ୍ରକ ଜିଲାପାଳ ଜ୍ଞାନ ଦାସ ନିଜ କାର୍ଯ୍ୟାଳୟରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ନାରାୟଣଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରିବା ସହ ଭବିଷ୍ୟତ ଜୀବନ ଲାଗି ଶୁଭକାମନା ଜଣାଇଛନ୍ତି । ନାରାୟଣଙ୍କ ଘର ସ୍ଥାନୀୟ ଆନନ୍ଦ ବଜାରରେ । ସୁଦୂର ବାଙ୍ଗାଲୋରର ଏକ ଘରୋଇ କଂପାନୀରେ କାର୍ଯ୍ୟ କରୁଥିଲେ । ୨୦୧୩ ମସିହା ନଭେମ୍ବର ୧୩ ତାରିଖରେ ଟ୍ରେନରେ ଘରକୁ ଫେରୁଥିବା ବେଳେ ଅସାବଧାନତା ବଶତଃ ଆକସ୍ମିକ ଦୁର୍ଘଟଣାର ସମ୍ୁଖୀନ ହୋଇଥିଲେ । ନାରାୟଣଙ୍କ ଜୀବନ ରହିଗଲା ସତ, ହେଲେ ଗୋଡ ଦୁଇଟି ହରାଇ ଥିଲେ । ଗୋଡ ଦୁଇଟି କଟାଯିବା ପରେ ନାରାୟଣ ଅକ୍ଷମ ହୋଇପଡିଥିଲେ । ଏତିକିବେଳେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ଓ ସିଆରଏସଆର ପକ୍ଷରୁ ନାରାୟଣଙ୍କୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ । ନାରାୟଣଙ୍କ ପାଇଁ ଦୁଇଟି କୃତ୍ରିମ ଅଙ୍ଗ ସିଆରଏସଆର ପକ୍ଷରୁ ତିଆରି ଆରମ୍ଭ ହୋଇଥିଲା । ଆମେରିକାରୁ କୃତ୍ରିମ ଅଙ୍ଗର କେତେକ ଅଂଶ ମଗାଯାଇଥିଲା । ଏହି କୃତି୍ରମ ଗୋଡ ଦୁଇଟି ତିଆରି ଆମ ପାଇଁ ଏକ ଆହ୍ୱାନ ଥିଲା ବୋଲି କହିଛନ୍ତି ସିଆରଏସଆର ମୁଖ୍ୟ ଡ. ଭଗବାନ ପରିଡା । ତେବେ ଆମ ଉଦ୍ୟମ ସଫଳ ହୋଇଛି । ଏଣିକି ନାରାୟଣ ଆଗକୁ ମାଡି ଚାଲିବେ ବୋଲି କହିଛନ୍ତି ଡ. ପରିଡା । ଅନ୍ୟପଟେ ନାରାୟଣ ମଧ୍ୟ  ନିଜର ଗୋଡ ଦୁଇଟି ପାଇ ଚାଲିବା ବେଳେ ବେଶ ଭାବବିହ୍ୱଳ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *