ମିଳିତ ବି.ଏଡ୍ ଶିକ୍ଷକଙ୍କ ଧାରଣା ପଞ୍ଚମ ଦିନରେ ରାଜରାସ୍ତାରେ ପାଳିଲେ ଗଣେଶପୂଜା ଓ ନୂଆଁଖାଇ

ଭୁବନେଶ୍ୱର, ୧୪ା୯ (ଓଡ଼ିଆ ପୁଅ) : ଟି.ଜି.ଟି. ମାନ୍ୟତା, ବିଷୟଭିତ୍ତିକ ଶିକ୍ଷକ ଓ ବେତନ ଭଳି ୭ ଦଫା ଦାବି ନେଇ ମହାତ୍ମା ଗାନ୍ଧୀମାର୍ଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ବି.ଏଡ୍ ଶିକ୍ଷକଙ୍କ ଧାରଣା ଆଜି ଚତୁର୍ଥ ଦିବସ ପୂରଣ କରିଛି। ସରକାରଙ୍କ ତରଫରୁ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସହିତ ମହାସଂଘର ଆଲୋଚନା ବିଫଳ ହେବାପରେ ଗତକାଲି ହଜାର ହଜାର ଶିକ୍ଷକ ଗଣେଶପୂଜା ରାଜରାସ୍ତାରେ ପାଳନ କରିଥିବାବେଳେ ଆଜି ମଧ୍ୟ ଅନୁରୂପ ଭାବରେ ଗଣପୂର୍ବ ନୂଆଁଖାଇକୁ ରାଜରାସ୍ତାରେ ପାଳନ କରି ଶିକ୍ଷକମାନେ ନବାନ୍ନ ଭକ୍ଷଣ କରିଛନ୍ତି। ଆଜି ଏହି ପ୍ରତିବାଦ ସଭାରେ ଶିକ୍ଷକମାନଙ୍କର ଆନ୍ଦୋଳନକୁ ସମର୍ଥନ ଜଣାଇ ସମାଜସେବୀ ତଥା ମହାନଦୀ ସୁରକ୍ଷା ଆନ୍ଦୋଳନର ମୁଖ୍ୟ ଆବାହକ ସୁଦର୍ଶନ ଦାସ ପହଞ୍ଚି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ବି.ଏଡ୍ ଶିକ୍ଷକମାନଙ୍କର ଦାବି ଯଥାର୍ଥ ଏବଂ ସରକାର ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ବକ୍ତବ୍ୟ ରଖି ଶିକ୍ଷକ ମହାସଂଘକୁ ନୈତିକ ସମର୍ଥନ ପ୍ରଦାନ କରିଥିଲେ। ମହାସଂଘର ପ୍ରମୁଖ ଦାବିଗୁଡ଼ିକ ହେଲା

(୧) ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବି.ଏଡ୍ ଭିତ୍ତିରେ ନିଯୁକ୍ତ ଶିକ୍ଷକମାନଙ୍କ ପଦବୀକୁ ମାଟି୍ରକ୍ ସିଟିରୁ ଅପ୍ଗ୍ରେଡ୍ କରାଯାଇ ନିଯୁକ୍ତି ଦିଆଯାଇଥିବା ଟି.ଜି. ଶିକ୍ଷକ ପଦବୀ ଲେବଲ୍-୩ରେ ନିଯୁକ୍ତ କରିବା ସହ ବିଷୟଭିତ୍ତିକ ଶିକ୍ଷକ ଭାବରେ ଘୋଷଣା କରିବା ଏବଂ ସେହି ଅନୁସାରେ ଅବିକଳ କେନ୍ଦ୍ରୀୟ ହାରରେ ୭ମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଦରମା ପ୍ରଦାନ। (୨) ତା ୧.୦୭.୨୦୧୪ ମସିହାର ସଂଶୋଧିତ କ୍ୟାଡର ରୁଲ୍କୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ସହ ଟି.ଜି. ପଦବୀରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିଯୁକ୍ତି ଦିନଠାରୁ ଲେବୁଲ୍-୩ ପଦବୀରେ ଅବସ୍ଥାପିତ କରି ସେହି ଅନୁସାରେ ଦରମା ପ୍ରଦାନ। (୩) ଉଚ୍ଚ ଯୋଗ୍ୟତାଧାରୀ ଶିକ୍ଷକମାନଙ୍କୁ ଉଚ୍ଚବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ପଦୋନ୍ନତି ଭିତ୍ତିରେ ନିଯୁକ୍ତି ପ୍ରଦାନର ବ୍ୟବସ୍ଥା କରିବା। (୪) ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଏବଂ କନିଷ୍ଠ ଶିକ୍ଷକମାନଙ୍କୁ ୬ ବର୍ଷର କାର୍ଯ୍ୟ ସମୟ ଅବଧିକୁ ଉଚ୍ଛେଦ କରି ମୂଳ ଚାକିରୀକାଳରେ ଗଣନା କରିବା ସହ ବାର୍ଷିକ ଗୋଟିଏ ଇନକ୍ରିମେଣ୍ଟ ପ୍ରଦାନ କରି ନିୟମିତ କରିବା ଏବଂ କେନ୍ଦ୍ର ସରକାରଙ୍କ ସୁପାରିଶକୃତ ୨୦୧୮ ମସିହା ଏ.ଡବ୍ଲ୍ୟୁ ଆଣ୍ଡ ପି.ଏ.ବି. ଆଧାରରେ ସର୍ବନିମ୍ନ ୧୬, ୭୦୦ ଟଙ୍କା ହିସାବରେ ଦରମା ପ୍ରଦାନ କରାଯାଉ। (୫) ୨୦୦୫ ମସିହା ପରଠାରୁ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ନୂତନ ପେନ୍ସନ୍ ପରିବର୍ତ୍ତେ ପୁରାତନ ପେନ୍ସନ୍ ବ୍ୟବସ୍ଥା ଲାଗୁ କରାଯାଉ। (୬) ପ୍ରାଥମିକ କ୍ୟାଡର ରୁଲ୍ ଶତକଡ଼ା ୧୦୦ ପ୍ରତିଶତ ବି.ଇ.ଓ. ପଦ, ୫୦ ପ୍ରତିଶତ ଏ.ଡି.ଇ.ଓ. ଏବଂ ଡି.ଇ.ଓ. ୫୦ ପ୍ରତିଶତ ଡେପୁଟି ଡାଇରେକ୍ଟର ପଦକୁ ସଂରକ୍ଷଣ କରାଯାଇ ସେହି ଅନୁସାରେ ପଦୋନ୍ନତି ପ୍ରଦାନ କରାଯିବା (୭) ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ / କନିଷ୍ଠ ଶିକ୍ଷକ ମାନଙ୍କୁ ଅସମୟରେ ମୃତ୍ୟୁ ଘଟିଲେ ମୃତ୍ୟୁକାଳୀନ ସହାୟତା ରାଶି ୨ ଲକ୍ଷଟଙ୍କାରୁ ବୃଦ୍ଧି କରି ୧୦ ଲକ୍ଷ ଟଙ୍କା କରାଯାଉ ଏବଂ ଆନ୍ତଃ ଜିଲ୍ଲା ସ୍ତରରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ବଦଳି ନୀତିକୁ ସରଳୀକରଣ କରାଯାଉ।

ଆଜିର ଧାରଣା ସ୍ଥଳରେ ଶିକ୍ଷକ ନେତା ଦେବେନ୍ଦ୍ର କୁମାର ନାୟକ, ସରୋଜ କୁମାର ପଣ୍ଡା, ଅଜିତ୍ ମହାପାତ୍ର, ମକରକେତନ ସାହୁ, ଅଲେଖ ଚନ୍ଦ୍ର ଦାସ, ଅଳକା ମିଶ୍ର, ଅଜୟ କୁମାର ଧଳ, ପୂର୍ଣ୍ଣଚନ୍ଦ୍ର ଖଟୁଆ, ସୁଧିର କୁମାର ପ୍ରଧାନ, ରଞ୍ଜନ କୁମାର ମହାନ୍ତି, ଦୁର୍ଯେ୍ୟାଧନ ଦାସ, ସନ୍ତୋଷ ଦାସ, ଅକ୍ଷୟ କୁମାର ପୃଷ୍ଟି, ଅର୍ଚ୍ଚନା ଜେନା, ସଚିକାନ୍ତ ମିଶ୍ର, ସନ୍ତୋଷ କୁମାର ପ୍ରଧାନ, ଲକ୍ଷ୍ମଣ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଶିକ୍ଷକମାରଣ ନୀତି ତଥା କାଳକ୍ଷେପଣ ନୀତିକୁ ଦୃଢ ସମାଲୋଚନା କରିବା ସହ ତୁରନ୍ତ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *