ମିଲ୍ ମାଲିକଙ୍କ ଗୁଣ୍ଡାଗିରିରେ ବେଘର ହୋଇଥିବା ଆଦିବାସୀ ପରିବାର ଏସ୍ପିଙ୍କୁ ଭେଟିଲେ ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକର ନିଷ୍ପତ୍ତିକୁ ମିଲ୍ ମାଲିକଙ୍କ ଅବମାନନା, ବୁଦ୍ଧିଜୀବୀ ମହଲରେ ନିନ୍ଦା

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରର ଚରମ୍ପାସ୍ଥିତ ପି.ପି. ରାଇସ୍ ମିଲ୍ ମାଲିକଙ୍କ ଆକ୍ରୋଶରେ ବେଘର ହୋଇଥିବା ନିର୍ଯ୍ୟାତିତ ଆଦିବାସୀ ପରିବାରଙ୍କ ପକ୍ଷରୁ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧର ଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ତେବେ ଏଠାରେ ସୂଚନା ଥାଉକି ଦୀର୍ଘ ୭୩ ବର୍ଷ ତଳେ ପି.ପି. ରାଇସ୍ ମିଲ୍ ମାଲିକ ବିଭିନ୍ନ ଜିଲାରୁ ଆସିଥିବା ୪୦ ଟି ଆଦିବାସୀ ପରିବାରଙ୍କୁ ନିଜ ମିଲ୍ରେ କାର୍ଯ୍ୟ କରାଇବା ନେଇ ଥଇଥାନ କରିଥିଲେ। ସେମାନେ ଇତିମଧ୍ୟରେ ଭୋଟ ଦେବାର ଅଧିକାର ପାଇଥିଲେ ବି ସରକାରଙ୍କ କୌଣସି ଜନହିତକାରୀ ଯୋଜନାର ସୁଫଳ ପାଇନାହାଁନ୍ତି। ବିଶେଷକରି ନିଜର ଜମି ନଥିବାରୁ ସେମାନେ ସମସ୍ତ ସରକାରୀ ଯୋଜନାରୁ ବଂଚିତ ହୋଇଆସୁଥିବାବେଳେ ସେମାନଙ୍କ ପିଲାମାନେ ମଧ୍ୟ ଚାକିରୀ ଓ ପାଠପଢା କ୍ଷେତ୍ରରେ ପଛୁଆ ଅଛନ୍ତି। ଭଦ୍ରକ ବ୍ଲକ୍ ଅଧୀନସ୍ଥ ତିଶଳପୁରସ୍ଥିତ ପି.ପି. ରାଇସ୍ ମିଲ୍ରେ କେତେବର୍ଷ ଧରି ମିଲ୍ ମାଲିକଙ୍କ ଦୟାରେ କାର୍ଯ୍ୟ କରିଆସୁଥିବା ଏହି ଆଦିବାସୀ ପରିବାରଙ୍କୁ ଏବେ ମିଲ୍ ମାଲିକ ନିଜର ମ୍ୟାନେଜର ପ୍ରଦୀପ ମହାପାତ୍ର ଓ ତାଙ୍କର ସହଯୋଗୀ ଗୁଣ୍ଡା ମାନଙ୍କ ଦ୍ୱାରା ରାତିଅଧିଆ ଚଢାଉ କରି ଅଶ୍ଳୀଳ ଭାଷା ପ୍ରୟୋଗ ପୂର୍ବକ ମାଡ ମାରି ସେଠାରୁ ବିତାଡିତ କରିଥିଲେ। ସେତେବେଳେ ମାଲିକଙ୍କର ଏହି ଅନୁଗତମାନେ ବୃଦ୍ଧବୃଦ୍ଧାଙ୍କ କଥା ଛାଡ ଗର୍ଭବତୀ ମହିଳାଙ୍କୁ ମଧ୍ୟ ମାଡ ମାରିବାକୁ ପଛାଇନଥିଲେ। ଏହି କର୍ମଚାରୀମାନେ ସେମାନଙ୍କର ଘରଗୁଡିକୁ ଭାଂଗିଦେବା ସହ ବ୍ୟବହାର କରୁଥିବା ନଳକୂପ ଟିକୁ ମଧ୍ୟ ଉଠାଇ ଦେଇଥିଲେ। ଏହି ଘଟଣାର ପ୍ରତିବାଦରେ ସଂପୃକ୍ତ ଆଦିବାସୀଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରତିପକ୍ଷ ମଧ୍ୟ ଆଉ ଏକ ପାଲଟା ଅଭିଯୋଗ ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନର କାଳବୈଶାଖୀ ଠାରୁ ଆରମ୍ଭ କରି ପ୍ରବଳ ବର୍ଷା ଓ ବିଷଧର ଜନ୍ତୁଜନ୍ତାଙ୍କ ଭୟରେ ଏହି ପରିବାର ଏବେ ବେଘର ହୋଇ ପିଲାଛୁଆଙ୍କ ସହ ଖୋଲା ଆକାଶ ତଳେ ଭୋକ ଓପାସରେ କାଳାତିପାତ କରୁଛନ୍ତି। ଏହି ଘଟଣାକୁ ଦେଖି ଏସ୍ଏସ୍ଏସ ସଂଗଠନର ଭବେନ୍ଦ୍ର କୁମାର ସାହୁଙ୍କ ଉଦ୍ୟମରେ ଏହି ପରିବାର ଲୋକେ ଗତ ୧ ତାରିଖ ଦିନ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ମିଲ୍ ମାଲିକ ସଂଘ, ଭଦ୍ରକ ବ୍ଲକ୍ ଚେୟାରମ୍ୟାନ୍ ଓ ବିଧାୟକଙ୍କ ପ୍ରତିନିଧିଙ୍କ ସହିତ ଏକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସେଦିନ ବୈଠକର ନିଷ୍ପତ୍ତି ମୂଳେ ଉପସ୍ଥିତ ଥିବା ପିପି ରାଇସ୍ ମିଲ୍ ମାଲିକ ସେମାନଙ୍କୁ ପ୍ରଶାସନ ପକ୍ଷରୁ କୁହାଯାଇଥିବା ସ୍ଥାନ ବାସପୋଯୋଗୀ ନହେବା ପର୍ଯ୍ୟନ୍ତ ପୁରୁଣା ସ୍ଥାନରେ ତତ୍କାଳ ବାସଗୃହ ନିର୍ମାଣ କରିବା ନିମନ୍ତେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ସେମାନଙ୍କ ଉପରେ କରାଯାଇଥିବା ମାମଲା ଥାନାରୁ ନଉଠାଇଲେ କୌଣସି ସହଯୋଗ କରିବେ ନାହିଁ ବୋଲି କହିବାରୁ ଏବେ ଏହି ଅସହାୟ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ଏଣୁ ସେମାନଙ୍କୁ ଥଇଥାନ କରାଯିବାର ବନ୍ଦୋବସ୍ତ ସହ ସେମାନଙ୍କ ପ୍ରତି ହୋଇଥିବା ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆଜି ସ୍ଥାନୀୟ ୱାର୍ଡମେମ୍ବର ସମେତ ପ୍ରମିଳା ସିଂ, ସସ୍ମିତା ସିଂ, ଶ୍ୟାମ ବିନ୍ଧାଣୀ, କୁନି ସିଂ, ରୀନା ସିଂ, କୁନି ହାଁଂସଦାଙ୍କ ଭଳି ବହୁ ଆଦିବାସୀ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଦାବି କରିଥିଲେ। ତେବେ ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧର ସେମାନଙ୍କୁ ବାସଜମି ଓ ଗୃହ ଯୋଗାଇବା ନେଇ ନିଜର ଅସହାୟତା ପ୍ରକାଶ ପୂର୍ବକ କେବଳ ଅଭିଯୁକ୍ତମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସେମାନଙ୍କର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *