ଜିଲ୍ଲା ପରିକ୍ରମା

ମିଲ୍ ମାଲିକଙ୍କ ଆକ୍ରୋଶରେ ବେଘର ନିର୍ଯ୍ୟାତିତ ଆଦିବାସୀ ପରିବାରର ଗଣଧାରଣା ଏସ୍ପିଙ୍କ ନିର୍ଦ୍ଦେଶରେ ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ବୈଠକ, ଅସ୍ଥାୟୀ ବାସଗୃହ ବ୍ୟବସ୍ଥାର ପ୍ରତିଶୁତି ପରେ ଧାରଣା ପ୍ରତ୍ୟାହୃତ

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଆଦିବାସୀମାନଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରିଚାଲିଥିବାବେଳେ ତାହା ବାସ୍ତବରେ କିଭଳି ଫଳପ୍ରସୁ ହୋଇପାରୁନାହି, ତାହାର ଏକ ଜ୍ୱଳନ୍ତ ପ୍ରତିଛବି ଦେଖିବାକୁ ମିଳିଛି ଦୀର୍ଘ ୭୩ ବର୍ଷ ହେବ ଚରମ୍ପାସ୍ଥିତ ପି.ପି. ରାଇସ୍ ମିଲ୍ର ଦୟାରେ ମୁଣ୍ଡ ଗୁଂଜି ବହୁ ପ୍ରତିବନ୍ଧକ ସତ୍ୱେ ରହିଆସିଥିବା ୪୦ଟି ଆଦିବାସୀ ପରିବାର କ୍ଷେତ୍ରରେ। ଯେଉଁମାନେ ଭାରତର ନାଗରିକ ଭାବେ ଭୋଟ୍ଦାନ ଅଧିକାର ପାଇଛନ୍ତି ସତ, କିନ୍ତୁ ସରକାରଙ୍କ ସମସ୍ତ ଜନହିତକାରୀ ଯୋଜନା ଏମାନଙ୍କ ପାଇଁ ମିଛ ହୋଇଛି। ନିଜସ୍ୱ ଜମି ନଥିବାରୁ ସେମାନେ ସରକାରୀ ସୁବିଧା ପାଇବା କ୍ଷେତ୍ରରେ ଆବଶ୍ୟକ ହେଉଥିବା ଜାତିଗତ, ଆବାସିକ ଓ ଆୟ ପ୍ରମାଣପତ୍ରରୁ ବଂଚିତ ହୋଇଚାଲିଛନ୍ତି। ଯେଉଁଥିପାଇଁ କୌଣସି ସରକାରୀ ଚାକିରୀ ପାଇବା ନେଇ ସେମାନଙ୍କ ପିଲାମାନେ ଆବେଦନ କରିନପାରିବା ଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇଯାଇଛି। ବାସ୍ତବରେ ସରକାର ଭୂମିହୀନମାନଙ୍କୁ ବିଭିନ୍ନ ଯୋଜନାରେ ଘରଡିହ ଯୋଗାଇବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଏହି ୪୦ଟି ପରିବାର କ୍ଷେତ୍ରରେ ତାହା ନିଷ୍ପଳ ପ୍ରମାଣିତ ହୋଇଛି। ଯେଉଁଥିପାଇଁ ଭଦ୍ରକ ବ୍ଲକ୍ ଅଧୀନସ୍ଥ ତିଶଳପୁରସ୍ଥିତ ପି.ପି. ରାଇସ୍ ମିଲ୍ରେ ଦୀର୍ଘ ୭୩ ବର୍ଷ ହେବ କାର୍ଯ୍ୟ କରିଆସୁଥିବା ଏହି ୪୦ ଟି ପରିବାର ସେମାନଙ୍କ ଦୟାରେ କଂପାନୀର ବ୍ୟକ୍ତିଗତ ଜମିରେ ମୁଣ୍ଡ ଗୁଂଜିଥିଲେ ବି ଏବେ ଉକ୍ତ ଜମି ଖାଲି ନକରିବାର ପରିଣାମ ସ୍ୱରୂପ ସଂପୃକ୍ତ ମିଲ୍ ମାଲିକଙ୍କ ଦ୍ୱାରା ପଠାଯାଇଥିବା କର୍ମଚାରୀଙ୍କ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି। ଏପରିକି ସେମାନଙ୍କ ଆକ୍ରମଣରୁ ଗର୍ଭବତୀ ମହିଳା ବି ବାଦ୍ ପଡିନଥିଲେ। ଏହି ଘଟଣା ଜିଲା ତମାମ୍ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଗତ ୨ ଦିନର କାଳବୈଶାଖୀ ଓ ଝଡିବର୍ଷାର ପ୍ରକୋପରେ ଏହି ପରିବାରର ସଦସ୍ୟମାନେ ଭୋକ ଓପାସରେ ଏଠି ସେଠି ମୁଣ୍ଡ ଗୁଂଜିବା ଘଟଣା ବୁଦ୍ଧିଜୀବୀଙ୍କ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଛି। ତେବେ ଏହି ଘଟଣାକୁ ନେଇ ସଂପୃକ୍ତ ପରିବାର ଲୋକ ଓ ମିଲ୍ ମାଲିକ ମୁହାଁମୁହିଁ ହୋଇଥିବାବେଳେ ଉଭୟଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଥାନାରେ ଦୁଇଟି ଅଭିଯୋଗ ପତ୍ର ଦିଆଯାଇଛି। ଆଜି ସଂପୃକ୍ତ ଆଦିବାସୀ କଲୋନୀର ବେଘର ହୋଇଥିବା ପରିବାର ଗୁଡିକ ବିଭିନ୍ନ ସ୍ଲୋଗାନ୍ ଦେଇ ସେମାନଙ୍କୁ ନ୍ୟାୟ ସହ ବେଘର କରି ନିର୍ଯ୍ୟାତନା ଦେଇଥିବା ମିଲ୍ ମାଲିକ ଓ ତାଙ୍କ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସେମାନଙ୍କୁ ଥଇଥାନ କରିବା ଦାବିରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ ପୂର୍ବକ ଗଣଧାରଣାରେ ବସିଥିଲେ। ସେମାନଙ୍କୁ ସମର୍ଥନ କରି ଏସ୍.ଏସ୍.ଏସ୍. ସଂଗଠନର ଭବେନ୍ଦ୍ର କୁମାର ସାହୁ ଓ ଭଗତ ସେନା ସଂଗଠନର ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଉକ୍ତ ଗଣଧାରଣାରେ ସାମିଲ୍ ହୋଇଥିଲେ। ପରବର୍ତ୍ତୀ ସମୟରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଡିପିଓ ଜଳନ୍ଧର ଜାଲିଙ୍କ କାର୍ଯ୍ୟାଳୟରେ ଭଦ୍ରକ୍ ମିଲର୍ସ ଆସୋସିଏସନ୍ର ସାଧାରଣ ସଂପାଦକ ଶେଖର ମହାପାତ୍ର, ରାଜକିଶୋର ଅଗ୍ରୱାଲ, ସଂପୃକ୍ତ ମିଲ୍ ମାଲିକ, ଦୁଇ ସଂଗଠନର ନେତୃବୃନ୍ଦ, ଗ୍ରାମାଞ୍ଚଳ ଥାନାଧିକାରୀ ସୁଦର୍ଶନ ଗାଙ୍ଗୋଇଙ୍କ ସମେତ ଭଦ୍ରକ ପଞ୍ଚାୟତ ସମିତିର ଅଧ୍ୟକ୍ଷ ରଘୁନାଥ ଧଳ, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ରାଧାକାନ୍ତ ସାମଲ ଓ ବହୁ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ବୈଠକ ଆହୂତ ହୋଇଥିଲା। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଏବେ ବେଘର ହୋଇଥିବା ୧୩ଟି ପରିବାରଙ୍କୁ ସଂପୃକ୍ତ ମିଲ୍ ମାଲିକ ସେହି ସ୍ଥାନରେ ଅସ୍ଥାୟୀ ଭାବେ ରହିବାର ବ୍ୟବସ୍ଥା ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏବଂ ଜିଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଖ ଖାଲୁଆ ସ୍ଥାନରେ ମାଟି ପକାଯାଇ ରହିବା ଯୋଗ୍ୟ ହେବା ପରେ ସେମାନେ ସେଠାରେ ସ୍ଥାୟୀ ଭାବେ ରହିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top