ମିଲର୍ଙ୍କ ଉପରେ ସରକାରଙ୍କର ବାକି ପଡ଼ିଛି ୧୮୮ କୋଟି ୮୪ ଲକ୍ଷ ଟଙ୍କା : ଧାନ ନେଇ ଚାଉଳ ଫେରାଉନାହାନ୍ତି

ଭୁବନେଶ୍ୱର, ୧୨ା୯ (ଓଡ଼ିଆ ପୁଅ) : ଚାଷୀଙ୍କ ଠାରୁ ଧାନ ନେଇ ସରକାରଙ୍କୁ ଚାଉଳ ଯୋଗାଇବା ଘେନି ୯୫ ଜଣ ମିଲର ଧରାଛୁଆଁ ଦେଉନାହାନ୍ତି। ସେମାନଙ୍କ ଉପରେ ଅନାଦେୟ ଚାଉଳ ବାବଦରେ ୧୮୮ କୋଟି ୮୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବାକି ପଡ଼ିଛି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ୨୦୦୩-୦୪ରୁ ୨୦୧୬-୧୭ ଖରିଫ୍ ବର୍ଷ ପର୍ଯ୍ୟନ୍ତ ସମୁଦାୟ ୯୫ ଜଣ ମିଲର୍ଙ୍କ ଠାରୁ ରାଜ୍ୟ ସରକାରଙ୍କର ୯୨, ୦୨୨ ମେଟ୍ରିକ୍ ଟନ୍ ଚାଉଳ ପାଇବା ବାକି ଅଛି। ଅନାଦେୟ ଚାଉଳ ପାଇଁ ସେମାନେ ୧, ୩୫, ୬୭୫ ମେଟ୍ରିକ୍ ଟନ୍ ଧାନ ନେଇଥିଲେ ଯାହାର ମୂଲ୍ୟ ୧୮୮ କୋଟି ୮୪ ଲକ୍ଷ ୬୧ ହଜାର ଟଙ୍କାରୁ ଅଧିକ। ଖିଲାପି ମିଲର୍ମାନଙ୍କ ଠାରୁ ସେମାନଙ୍କ ଅମାନତ ଜମା, ବକେୟା ଦେୟ ଆଦି ବାବଦକୁ ମାତ୍ର ୪୪ କୋଟି ୮୮ ହଜାର ଟଙ୍କା ଆଦାୟ କରାଯାଇ ଯୋଗାଣ ନିଗମ ନିକଟରେ ରଖା ଯାଇଥିବା ମନ୍ତ୍ରୀ କହିଛନ୍ତି।

୯୫ ଜଣ ଖିଲାପି ମିଲର୍ଙ୍କ ମଧ୍ୟରୁ ୭୦ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ଦରଜ କରାଯାଇଛି। ଏଥିରୁ ୬୩ଟି ମାମଲା ଥାନାରେ ରୁଜୁ ହୋଇଥିବା ବେଳେ ୪ଟି ଭିଜିଲାନ୍ସରେ ଓ ୩ଟି ଅର୍ଥନୈତିକ ଅପରାଧ ଶାଖାରେ ଦାୟର କରାଯାଇଛି। ୫୬ ଜଣଙ୍କ ବିରୋଧରେ ସାର୍ଟିଫିକେଟ୍ କେସ୍ ରୁଜୁ କରାଯାଇଥିବା ମନ୍ତ୍ରୀ ସୂଚାଇଛନ୍ତି। ରାଜ୍ୟ ସରକାରଙ୍କ ଅନ୍ୟତମ ଧାନ ସଂଗ୍ରହକାରୀ ସଂସ୍ଥା ମାର୍କେଫେଡ୍କୁ ବି ୧୫ ଜଣ ମିଲର୍ ପ୍ରାୟ ୯ କୋଟି ଟଙ୍କାର ଚୂନ ଲଗାଇଥିବା ଏହି ତଥ୍ୟରୁ ଜଣାପଡ଼ିଛି।

ବାଲେଶ୍ୱର ଜିଲ୍ଲାର ୯ ଜଣ, ବରଗଡ଼ ଜିଲ୍ଲାର ୯ ଜଣ, ବଲାଙ୍ଗୀରର ଜଣେ, କଟକର ୫ଜଣ, ଦେବଗଡ଼ର ୨ ଜଣ, ଢେଙ୍କାନାଳର ୨ଜଣ, ଗଞ୍ଜାମର ୧୧ ଜଣ, ଜଗତ୍ସିଂହପୁରର ୩ ଜଣ, ଯାଜପୁରର ଜଣେ, ଝାରସୁଗୁଡ଼ାର ୪ଜଣ, କଳାହାଣ୍ଡିର ୧୯ ଜଣ, କେନ୍ଦ୍ରାପଡ଼ାର ୨ ଜଣ, ଖୋର୍ଦ୍ଧାର ୩ଜଣ, କୋରାପୁଟର ୨ଜଣ, ମୟୁରଭଞ୍ଜର ଜଣେ, ନବରଙ୍ଗପୁର ୪ଜଣ, ନୂଆପଡ଼ାର ୬ ଜଣ, ସମ୍ବଲପୁରର ୬ ଜଣ ଓ ସୁବର୍ଣ୍ଣପୁରର ୬ ଜଣ ଖିଲାପକାରୀ ମିଲର୍ଙ୍କ ତାଲିକା ମନ୍ତ୍ରୀ ତାଙ୍କ ଉତ୍ତରରେ ଦେଇଛନ୍ତି।

Leave a Reply

Your email address will not be published. Required fields are marked *