ମା ହିଙ୍ଗୁଳା ପାଠାଗାର ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା

ତାଳଚେର, ୧୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅନ୍ତର୍ଗତ ମଝୀକାସ୍ଥିତ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ଏକ ରଙ୍ଗୋଲି ପ୍ରତିଯୋଗିତା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆମ୍ବପାଳ ନତଡା ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୫ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବରେ ପାଠାଗାରର ସଭାପତି ହାଡିବନ୍ଧୁ ପ୍ରଧାନ, ଶିକ୍ଷାବିତ୍ ଉମେଶ ସାହୁ ଓ ଅଖିଳ କୁମାର ସାହୁ ପ୍ରମୁଖ ଯୋଗ ଦେଇ କଳାକୃତିଗୁଡିକର ମୂଲ୍ୟାଙ୍କନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେଶ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଏକ ପୁରସ୍କାର ବିତରଣୀ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବରେ ହିଙ୍ଗୁଳା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁ, ସମ୍ମାନୀତ ଅତିଥିଭାବରେ ସମାଜସେବୀ ବିଜୟ ମାଝୀ, ପାଠାଗାରର ଉପଦେଷ୍ଟା ପ୍ରଭାକର ପ୍ରଧାନ ଓ କଳମଛୁଇଁ ସମିତିସଭ୍ୟା କୁମୁଦିନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଉତ୍କଳୀୟ କଳା ଓ ସଂସ୍କୃତିର ବିକାଶ ପାଇଁ ତୃଣମୂଳସ୍ତରରୁ ଉଦ୍ୟମ କରିବା ଆବଶ୍ୟକ ଅଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପାଠାଗାରର ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ଲକ୍ଷ୍ମୀପ୍ରିୟା ସାହୁ ପ୍ରଥମ, ଲକି ସାହୁ ଦ୍ୱିତୀୟ ଓ ପ୍ରିୟତମା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତିତ୍ୱ ଲାଭ କରିଥିବା ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ପୁସ୍ତକ ପ୍ରଦାନ କରି ପୁରସ୍କୃତ କରିଥିବା ବେଳେ ମୋନାଲିସା ସାହୁଙ୍କୁ ସ୍ୱତନ୍ତ୍ର ଭାବରେ ପୁରସ୍କୃତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାଠାଗାରର କୋଷାଧ୍ୟକ୍ଷ ଦୟାନିଧି ସାହୁ, କବିରାଜ ସାହୁ, ସୁବ୍ରତ ପ୍ରଧାନଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ପଙ୍କଜ ସାହୁ, ପ୍ରଫୁଲ୍ଲ ପାଣି, ସନ୍ତୋଷ କୁମାର ଯାଦବ, ବନମାଳୀ ବେହେରା, ସୁଦର୍ଶନ ଦେହୁରୀ, ବନମାଳୀ ବିଶ୍ୱାଳ, ଟିହିଲୁ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *