ମା’ ବିରଜାଙ୍କ ପୀଠରେ ଶୁଭ ସୁନିଆଁ ରଥଯାତ୍ରା ପାଇଁ ନୂତନ ରଥ କାଠର ଶୁଭାରମ୍ଭ

ଯାଜପୁର-୩/୯(ଓଡିଆ ପୁଅ/ଏ.ରାଉତ) ପବିତ୍ର ଶୁଭ ସୁନିଆଁ ଅବସରରେ ମା’ ବିରଜାଙ୍କ ପୀଠରେ ଶୁଭ ସୁନିଆଁ ପାଳିତ ହେବାସହ ନବଦିନବ୍ୟାପୀ ପାର୍ବଣ ରଥଯାତ୍ରା ପାଇଁ ରଥ କାଠର ଶୁଭାରମ୍ଭ କରାଯାଇଛି । ଶୁଭ ସୁନିଆଁ ଅବସରରେ ଶନିବାର ଦିନ ପ୍ରାତଃରୁ ପାରମ୍ପରିକ ରୀତି ଅନୁଯାୟୀ ମା’ ବିରଜାଙ୍କ ସ୍ନାନ ସରିବା ପରେ ପହିଲି ଭୋଗଲାଗିହୋଇ ମଙ୍ଗଳ ଆଳତୀ ହେବାପରେ ଦିନ ୧୨ଟାରେ ଅନ୍ନ ଭୋଗ ଲଗାଯାଇ ୧ଟାରେ ପହୁଡ଼ ହୋଇଥିଲା । ଅପରାହ୍ନ ୩ଟାରେ ପହୁଡ଼ ଖୋଲା ହେବାପରେ ମା’ଙ୍କ ସମ୍ମୁଖରେ ଥିବା ବେଦୀ ମଣ୍ଡପରେ ଶୁଭ ସୁନିଆଁ ଓ ବନଯୋଗ ଯାତ୍ରା ପାଇଁ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଧର୍ମାଧିକାରୀ ହିମାଂଶୁ ଶେଖର ପତିମିଶ୍ର, ପ୍ରସନ୍ନ କୁମାର ପତି, ପ୍ରଫୁଲ୍ଲ କୁମାର ପତି, ଜ୍ଞାନରଞ୍ଜନ ପତି, ବାବନ ପତି, ସରୋଜ କୁମାର ପତି ଓ ପୂଜକ ନାଗେନ୍ଦ୍ର ଭୂଷଣ କର ପ୍ରମୁଖ ନବାଙ୍କ ଲିଖନ, ସ୍ୱର୍ଣ୍ଣ ଚ୍ଛେଦନ, ମଙ୍ଗଳାର୍ପଣ, ନାଭିକେଳ ଭଞ୍ଜନ ଇତ୍ୟାଦି ପୂଜାକାର୍ଯ୍ୟ ସାରିଲା ପରେ ବନଯୋଗ ବିଧି ଯାତ୍ରା ଅନ୍ୱେଷଣରେ ବାହାରିଥିଲେ । ଏହି ପୂଜା ସମୟରେ ମା’ଙ୍କର ସୁନିଆଁ ଉପଲକ୍ଷେ ନୂତନବର୍ଷ ଆରମ୍ଭ ହୋଇଥିଲା । ଜ୍ୟୋତିଷ ଗୋବିନ୍ଦ ମହାରଣା ନୂତନ ବର୍ଷର ପାଠ କରିଥିଲେ । ଶ୍ରୀ ଶ୍ରୀ ଦିବ୍ୟସିଂହଦେବଙ୍କ ୫୯ ଅଙ୍କ ୧୪୨୪ ସାଲ ନୂତନଭାବେ ଆରମ୍ଭ ହୋଇଛି ବୋଲି ମହାରଣା ସୂଚନା ଦେଇଥିଲେ । ଛତା, ତରାସ, ଆର୍ସା, ସମିଧଙ୍କ ସମେତ ତେଲିଙ୍ଗି ବାଦ୍ୟ, ଘଣ୍ଟ, ତୂରୀ ଇତ୍ୟାଦି ଗହଣରେ ଧର୍ମାଧିକାରୀ ପୁରୋହିତ ଓ ସେବାୟତମାନେ ମନ୍ଦିରର ପୂର୍ବ-ଉତ୍ତର ଭାଗରେ ଥିବା ନରହରିପୁର ଶାସନର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ବାଡ଼ିରେ ପହଞ୍ଚି ଧର୍ମାଧିକାରୀ ପୁରୋହିତ ବିଲ୍ୱ ଗଛ ବରଣ କରିବା ସହ ପୂଜାକାର୍ଯ୍ୟ ସମ୍ପାଦନ ପରେ କାଷ୍ଠ ଚ୍ଛେଦନ କରାଯାଇ ରଥଯାତ୍ରା ପାଇଁ ନୂତନ କାଠ ସଂଗ୍ରହ କରି ମା’ ବିରଜା ମନ୍ଦିରକୁ ଫେରିଥିଲେ । ଏହି ପୂଜା ଅବସରରେ ଆର୍ସା ରଞ୍ଜନ କୁମାର ପାଣି, ଛେରା ରାମଚନ୍ଦ୍ର ପାଣି, ଛତା ଭାଗବତ ରଣା, ତରାସ ରବି ରଣା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ମନ୍ଦିରରେ ଉପସ୍ଥିତ ରହି ଡେପୁଟି କଲେକ୍ଟର ଅନୁପ କୁମାର ବେହେରା ସମସ୍ତ ପୂଜାକାର୍ଯ୍ୟକୁ ତଦାରଖ କରିଥିଲେ । ମନ୍ଦିରର ଗୁମାସ୍ତା ପ୍ରଭାତ କୁମାର ପତି, ଗୁରୁଚରଣ ମହାରଣା, ମଳୟ ପଣ୍ଡା ପ୍ରମୁଖ ଏହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *