ମାଳ ମାଳ ହୋଇ ମାତିଛନ୍ତି, ତାତିଲେ କାମୁଡୁଛନ୍ତି – କୁକୁର

ରାୟଗଡା ୨୫/୦୭ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସହରରେ ଯେପରି ଜନସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ସେହି ଅନୁପାତରେ କୁକୁରଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏକ ପ୍ରକାର କହିବାକୁ ଗଲେ ବୁଲୁ କୁକୁରଙ୍କ ଦୌରାତ୍ମ ଯୋଗୁଁ ସହରବାସୀ ଅତିଷ୍ଟ ହୋଇପଡିଲେଣି। ରାୟଗଡା ସହରରେ ଦଳ ଦଳ ହୋଇ କୁକୁର ମାତିଛନ୍ତି ଏବଂ ଗୋଟିଏ ଦଳରେ ପ୍ରାୟ ୧୫ ରୁ ୨୦ କୁକୁର ଥିବା ଦେଖିବାକୁ ମିଳୁଛି, ସହରରେ ବର୍ତମାନ କୁକୁର ମାନଙ୍କ ରାଜ ଚାଲିଛି ବୋଲି କହିଲେ ଚଳିବ। କୁକୁର ଆକ୍ରମଣର ଶିକାର କେବଳ ଗାଈ, ଛେଳି, କୁକୁଡା ହେଉଛନ୍ତି ତାହା ନୁହେଁ ବର୍ତମାନ ମଣିଷ ମାନେ ମଧ୍ୟ କୁକୁର ଆକ୍ରମଣର ଶିକାର ହେଉଥିବା ଦେଖିବାକୁ ମିଳୁଛି। କୁକୁର ଆକ୍ରମଣର ଶିକାର ବେଶୀ ସଂଖ୍ୟକ ବାଇକ ଚାଳକ ଏବଂ ଶିଶୁ ମାନେ ହେଉଥିବା ଦେଖିବାକୁ ମିଳୁଛି। ବୁଲା କୁକୁର ଲୋକଙ୍କ ମନରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଥିବା କହିଲେ ଭୁଲ ହେବ ନାହିଁ। କୁକୁର ହତ୍ୟା ନିଷେଧ ହୋଇଥିବା ବେଳେ ସେହି କାରଣରୁ କୁକୁରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ବୁଦ୍ଧିଜୀବି ମାନେ ପ୍ରକାଶ କରିଛନ୍ତି। ବର୍ତମାନ ପରିସ୍ଥିତିରେ ରାୟଗଡା ସହରର ପ୍ରମୁଖ ସମସ୍ୟା ମଧ୍ୟରେ କୁକୁର ସମସ୍ୟା ଅନ୍ୟତମ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରିପୋର୍ଟ ଅନୁଯାୟୀ ଜିଲ୍ଲାରେ କୁକୁର ଆକ୍ରାନ୍ତଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି। କିନ୍ତୁ ବର୍ତମାନ ସୁଦ୍ଧା କୁକୁର କାମୁଡାରେ କେହି ମୃତ୍ୟୁବରଣ କରିନଥିବା ଜଣାପଡିଛି। ୨୦୧୫ ମସିହାରେ କୁକୁର ଆକ୍ରାନ୍ତଙ୍କ ସଂଖ୍ୟା ୨୧୨୫ ଥିବାବେଳେ ୨୦୧୬ ରେ ୨୨୩୩, ୨୦୧୭ ରେ ୨୬୨୦ ଏବଂ ମାର୍ଚ୍ଚ ୨୦୧୮ ସୁଦ୍ଧା ୬୯୭ ଜଣ କୁକୁର କାମୁଡାର ଶିକାର ହୋଇ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ଜଣାପଡିଛି। ଏପ୍ରିଲ ମାସ ୪ ତାରିଖ ଦିନ ଗୋଟାଏ ଦିନରେ ସହରର ବିଭିନ୍ନ୍ ଅଂଚଳରୁ ୬୧ ଜଣ ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହି ବୁଲା କୁକୁରଙ୍କ ଆକ୍ରମଣରେ ଅଧିକାଂଶ ଶିଶୁ ଥିବା ଦେଖିବାକୁ ମିଳିଥିଲା। ଗତ ଶନିବାର ଦିନ ବିଷମକଟକ ସଦରମହକୁମାରେ ପାଗଳ କୁକୁର କାମୁଡିବା ଯୋଗୁଁ ୬ ଜଣେ ଗୁରୁତର ଆହତ ହୋଇଥଇବା ସୂଚନା ରହିଛି। କୁକୁର ଆକ୍ରମଣର ଶିକାର ହୋଇଥିବା ପରିବାରବର୍ଗଙ୍କ ପ୍ରକାଶ କରିଥିଲେ ଯେ କୁକୁର ବିନ୍ଧ୍ୟାକରଣ ନ ହୋଉଥିବା ଯୋଗୁଁ କୁକୁରଙ୍କ ସଂଖ୍ୟା ସହରରେ ଦିନକୁ ଦିନ ବଢିବାରେ ଲାଗିଛି। ଯଦି ସମୟ ଥାଉଣୁ କୁକୁରଙ୍କ ବିନ୍ଧ୍ୟାକରଣ ନ କରାନଯାଏ ତା ହେଲେ ଆଗାମୀ ଦିନରେ ସହରର ଜନସାଧାରଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନର ସାମ୍ନା କରିବାକୁ ପଡିବ। କୁକୁର ମାନେ ସାଧାରଣତଃ ରାତି ସମୟ ଏବଂ ବାଇକ ଚାଳକଙ୍କ ଉପରେ ଗୋଡାଇ ଗୋଡାଇ ଆକ୍ରମଣ କରିଥାନ୍ତି। ବର୍ତମାନ ଦିନରେ ମଧ୍ୟ କୁକୁର ମାନେ ମଣିଷ ମାନଙ୍କୁ ଆକ୍ରମଣ କରିବାରେ ପଛଘୁଂଚା ଦେଉନଥିବାର ଦେଖିବାକୁ ମିଳୁଛି। ରାୟଗଡା ପୌରାଚଂଳରେ ବର୍ତମାନ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ବୁଲା କୁକୁର ଥିବା ଜଣାପଡିଛି।

୨୦୧୧ ମସିହାରେ ଦିଲ୍ଲୀର ଏକ ଘୋରଇ ସଂସ୍ଥା ଦ୍ୱାରା ରାୟଗଡା ଜିଲ୍ଲାରେ ୧୧ ଗୋଟି ବ୍ଲକରେ କୁକୁର ମାନଙ୍କ ସଂଖ୍ୟା ନେଇ ଗଣନା କରିଥିଲା। ସଂସ୍ଥା ଦ୍ୱାରା କୁକୁର ଗଣନା ପରେ ଯେଉଁ ସଂଖ୍ୟା ଦିଆଯାଇଛି ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ରାୟଗଡା ବ୍ଲକରେ ୨୦୧୧ ମସିହାରେ ବୁଲା କୁକୁରଙ୍କ ସଂଖୟା ୧୭୧୪ ଥିବା ବେଳେ କୋଲନରା ବ୍ଲକରେ ୫୪୫, କାଶୀପୁର ବ୍ଲକର ୫୮୧, କଲ୍ୟାଣସିଂହପୁର ବ୍ଲକରେ ୨୨୮୯, ଗୁଣପୁର ବ୍ଲକରେ ୫୮୫, ପଦ୍ମପୁର ବ୍ଲକରେ ୨୨୧, ରାମନାଗୁଡା ବ୍ଲକରେ ୧୬୮, ଗୁଡାରୀ ବ୍ଲକରେ ୧୯୮, ବିଷମକଟକ ବ୍ଲକରେ ୨୨୫, ମୁନିଗୁଡା ବ୍ଲକରେ ୧୪୪, ଚନ୍ଦ୍ରପୁର ବ୍ଲକରେ ୭୮୪ ଏବଂ ରାୟଗଡା ପୌରାଚଂଳରେ ୫୪୨ କୁକୁର ଥିବା ନେଇ ଜିଲ୍ଲା ପଶୁ ଚିକିତ୍ସାଧିକାରୀ ଅଫିସରୁ ଜଣାପଡିଥିଲା। ଜିଲ୍ଲା ପଶୁ ଚିକିତ୍ସାଧିକାରୀ କାର୍ଯ୍ୟାଳୟରେ କୁକୁର ମାନଙ୍କ ନିମନ୍ତେ ଅପରେସନ କକ୍ଷ ରହିଛି କିନ୍ତୁ ଆବଶ୍ୟକୀୟ ଯନ୍ତ୍ରପାତି ନଥିବାରୁ ଏଠାରେ କୁକୁର ବନ୍ଧ୍ୟାକରଣ ସମ୍ଭବ ପର ନୁହେଁ ବୋଲି ଅଧିକାରୀ ପ୍ରକାଶ କରିଥିଲେ। ଗୋଟିଏ କୁକୁରକୁ ବନ୍ଧ୍ୟାକରଣ କରିବା ପରେ ଅନ୍ୟୁନ ସପ୍ତାହକ ପାଇଁ କୁକୁର ଗୁଡିକ ଅବଜରବେସନ ପାଇଁ ରଖାଯିବ। ଏବଂ ଏହି ସମୟରେ ମଧ୍ୟରେ ଗୋଟାଏ କୁକୁର ପିଛା ଟଙ୍କା ୫୦୦ ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ। କୁକୁରଙ୍କ ଧରିବା ନିମନ୍ତେ ପ୍ରଶିକ୍ଷଣ କୁକୁର ଧରାଳି ଏବଂ ଏବଂ ଗୋଟାଏ କୁକୁର ଧରା ଗାଡି ଏବଂ ଅପରେସନ ପରେ କୁକୁର ମାନଙ୍କୁ ର ରଖିବା ନିମନ୍ତେ ଏକ ଗୃହ ର ମଧ୍ୟ ଆବଶ୍ୟକତା ରହିଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ବର୍ତମାନ ରାୟଗଡା ସହରରେ କୁକୁର ସମସ୍ୟା ଗୁରୁତର ଥିବା ଏବଂ ବନ୍ଧ୍ୟାକରଣ ଆବଶ୍ୟକତା ରହିଥିବାରୁ ରାୟଗଡା ଖୁବ୍ ଶୀଘ୍ର କୁକୁର ବନ୍ଧ୍ୟାକରଣ କାମ କରାଯିବା। ଏ ନେଇ ପୌର ପରିଷଦର ପତ୍ର ସଂଖ୍ୟା ୧୮୭୫ ତା ୨୧.୦୪.୧୮ ଅନୁଯାୟୀ ପୌର ପରିଷଦ କାର୍ଯ୍ୟାଳୟର ୪ ଜଣ କର୍ମଚାରୀଙ୍କୁ କୁକୁର ଧରିବା ନିମନ୍ତେ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡିଛି। ଏହି ଯୋଜନା ଗୁଡିକ କାଗଜ କଲମରେ ସୀମିତ ହୋଇ ରହିଯିବନି ତ, କାରଣ ୩ ମାସି ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୁକୁର ଦମନ ନିମନ୍ତେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ପୌରପାଳିକ ଏବଂ ପ୍ରାଣଧନ ବିଭାଗ ସହରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୁକୁର ନିୟନ୍ତ୍ରଣ ନିମନ୍ତେ କେବେ ସମୟ ନିର୍ଦ୍ଧାରଣ କରୁଛନ୍ତି ଏବଂ କୁକୁରଙ୍କ ଦୌରାତ୍ମରୁ କେବେ ସହରବାସୀ ତ୍ରାହି ପାଇବେ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *