ଓଡ଼ିଶା

ମାଳ ମାଳ ସରକାରୀ ଯୋଜନା ତଥାପି ଅବ୍ୟବସ୍ଥାରେ କଳାହାଣ୍ଡିର ଅପହଂଚ ଇଲାକା

କଳାହାଣ୍ଡି – ୨୨ ମଇ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସରକାର ଆଦିବାସୀ ଓ ଦୁର୍ଗମ ଅଂଚଳରେ ବସବାସ କରୁଥିବା ନୀରିହ ଜନସାଧାରଣ ଙ୍କ ସାମୁହିକ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରୁଥିଲେହେଁ ତାହା ତୃନମୂଳ ସ୍ତରକୁ ପହଂଚି ପାରୁନଥିବାର ଅଭିଯୋଗ ହେଉଛି। ମାଳ ମାଳ ସରକାରୀ ଯୋଜନା ହେଉଛି। ସେଥିପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ ହୋଇ ପାଣିପରି ଖର୍ଚ୍ଚ ମଧ୍ୟ ହେଉଛି ତଥାପି ଅନେକ ଅଂଚଳକୁ ସର୍ବନିମ୍ନ ସୁବିଧା ଟିକକ ମଧ୍ୟ ପହଂଚି ପାରୁନାହିଁ। ଦୁର୍ଗମ ଓ ଅପହଂଚ ଇଲାକାରେ ବସବାସ କରୁଥିବା ଲୋକଙ୍କ ସାମାଜିକ, ଅର୍ଥନୈତିକ ପରିବର୍ତ୍ତନ କେବଳ ସରକାରଙ୍କ ସ୍ଲୋଗାନରେ ସୀମିତ ହୋଇରହିଯାଇଛି। କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅଧିନସ୍ଥ ଦୁନ୍ଦେଲମାଲ ଗ୍ରାମପଂଚାୟତର କାଙ୍କରୀମାଲ, ତଳ ଡୁଣ୍ଡା, ଉପର ଡୁଣ୍ଡା, କଟିଂପଦର, ମୁକୁନ୍ଦପୁର, ଦେଦର ଗ୍ରାମପଂଚାୟତର ସୁର୍ଲି, ସୁପେଲ, କୁସୁମବରା ଏବଂ ବୁଢୀଦର ଗ୍ରାମପଂଚାୟତର ଲଖନାପଡା, ବେହେରାଗୁଡା, ବିଜ୍ରାଦର, ପିପିଲି, ଡାଏନିଗୁଡା, ଭଲି ଅନେକ ଆଦିବାସୀ ବହୁଳ ଓ ଅପହଂଚ ଗ୍ରାମ ଗୁଡିକ ସ୍ୱାଧିନତାର ଦୀର୍ଘ ୭୧ ବର୍ଷ ବିତି ଯାଇଥିଲେହେଁ ସେସବୁ ଅଂଚଳରେ ବିକାଶର ଛିଟା ମଧ୍ୟ ଲାଗିପାରିନାହିଁ। ଜୁନାଗଡ ବ୍ଲକ କାର୍ଯ୍ୟାଳୟ ଠାରୁ ଏସବୁ ଗ୍ରାମ ଗୁଡିକ ପ୍ରାୟ ୨୦ କି. ମି. ଦୂରତା ମଧ୍ୟରେ ଅବସ୍ଥିତ। ହେଲେ ପ୍ରଶାସନିକ ଅବହେଲା ଯୋଗୁଁ ଅଦ୍ୟାବଧି ପାହାଡ ଉପରେ ଥିବା ତଳଡୁଣ୍ଡା ଓ ପାହାଡ ଝୋଲା ମଧ୍ୟରେ ଥିବା ଉପର ଡୁଣ୍ଡା ଗ୍ରାମ ଏବଂ ପାହାଡ ଉପରେ ଥିବା ଲଖନାପଡା, ବେହେରାଗୁଡା, ବିଜ୍ରାଦରଭଲି ଗ୍ରାମ ଗୁଡିକ ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ଏହିସବୁ ଗ୍ରାମ ଗୁଡିକ ଯିବା ପାଇଁ ପାହାଡିଆ ପାଦଚଲା ରାସ୍ତାହିଁ ଭରସା। ସେହିପରି ଦେଦର ଗ୍ରାମପଂଚାୟତର ସୁର୍ଲି, ସୁପେଲ ଓ କୁସୁମବରା ଗ୍ରାମ ଗୁଡିକ ବଣଜଙ୍ଗଲ ମଧ୍ୟରେ ଥିବା ବେଳେ ସେସବୁ ଗ୍ରାମକୁ ଯିବା ପାଇଁ ରାସ୍ତାଟିଏ ମଧ୍ୟ ନାହିଁ। ଶଗଡା ନଦୀ ସେପଟେ ସୁରଲି ଗ୍ରାମ ଓ କୁଟେନ ନାଲା ତଥା କର୍ଲା ନାଲା ସେପଟେ କୁସୁମବରା ଗ୍ରାମଦ୍ୱୟ ଥିବା ହେତୁ ବର୍ଷା ଦିନେ ଏହି ଗ୍ରାମ ଗୁଡିକର ଲୋକେ ପିଡିଏସ ସାମଗ୍ରୀ ତଥା ବତା ନେବାକୁ ଗ୍ରାମପଂଚାୟତ ଅଫିସ ଦେଦରକୁ ମଧ୍ୟ ଆସି ପାରନ୍ତି ନାହିଁ। ପାଠ ପଢିବାକୁ ଏହିସବୁ ଗ୍ରାମର ପିଲାମାନଙ୍କୁ ଜୁନାଗଡ ନିକଟସ୍ଥ ଗୋଲାମୁଣ୍ଡା ଆଶ୍ରମ ସ୍କୁଲ ଉପରେ ହିଁ ନିର୍ଭର କରିବାକୁ ପଡିଥାଏ। ଆଦିବାସୀ ଶ୍ରେଣୀର ଲୋକେ ଏହିସବୁ ଗ୍ରାମଗୁଡିକରେ ବାସ କରୁଥିବା ବେଳେ ସରକାର ଆଦିବାସୀ ମାନଙ୍କ ପାଇଁ ମାଳ ମାଳ ଯୋଜନା ପ୍ରଣୟନ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଏସବୁ ଗ୍ରାମ ଗୁଡିକ ପାଇଁ ସେସବୁ ସାତ ସପନ ହୋଇପଡିଛି। ଏସବୁ ଗ୍ରାମର ଲୋକେ ଗରିବ ଏବଂ ବଣ ଜଙ୍ଗଲ ଉପରେ ନିର୍ଭର କରି ଚଳି ଥାନ୍ତି। ଖାଦ୍ୟ ନିରାପତା ଭଲି ଯୋଜନା ଏମାନଙ୍କ ପାଇଁ ଅପହଂଚ। ପାନୀୟ ଜଳ ପାଇଁ ଲøାକେ କେବଳ ନଦୀ, ନାଳ ଓ ଝରଣା ଉପରେ ନିର୍ଭର କରିଥାନ୍ତି। କେବଳ ଖମ୍ବ ଓ ତାରରେ ବିଜୁଳି ସୀମିତ ହୋଇଯାଇଥିବା ବେଳେ ବିପିଏଲ ପରିବାର ପାଇଁ ମାଗଣା ବିଜୁଳି ଆଲୁଅ କେବଳ ଘୋଷଣାରେ ସୀମିତ। ଗତ ବର୍ଷ ଗ୍ରାମପଂଚାୟତ ନିର୍ବାଚନ ପରେ କେବଳ ଦୁନ୍ଦଲମାଲ ଗ୍ରାମପଂଚାୟତ ଅନ୍ତର୍ଗତ ଡୁଣ୍ଡା ଅଂଚଳର ଉନ୍ନତି ପାଇଁ ଗ୍ରାମପଂଚାୟତ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଜଣାପଡିଛି। ଏହି ସବୁ ଅଂଚଳ ପାଇଁ ରାସ୍ତା ଘାଟର ଉନ୍ନତି ତଥା ଶିକ୍ଷାର ବିକାଶ ପାଇଁ ବ୍ୟବସ୍ଥା, ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସାଙ୍ଗକୁ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଇତ୍ୟାଦି ତ୍ୱରାନ୍ୱିତ କରାଯିବାକୁ ବୁଦ୍ଧିଜୀବି ମହଲରେ ଦୃଢ ଦାବି ହେଉଛି। ଉଚ୍ଚ କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top