ଓଡ଼ିଶା

ମାଲକାନଗିରିରେ ଭାରତ ବନ୍ଦ ସଫଳ, ଦୋକାନ ବଜାର ବନ୍ଦ, ଯାନବାହନ ଚଳାଚଳ ବନ୍ଦ, ଜନଜୀବନ ଠପ

ମାଲକାନଗିରି, ୧୦ା୯ (ଓଡିଆ ପୁଅ ) ତୈଳଦର ଓ ରନ୍ଧନଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ରର ଭାଜପା ସରକାରଙ୍କ ବିରୋଧରେ ଦିଆଯାଇଥିବା ଭାରତବନ୍ଦ ଡାକରା ମାଲକାନଗିରି ଜିଲ୍ଲାରେ ସଫଳ ହୋଇଛି। ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲା କଂଗ୍ରେସ ଓ ସିପିଆଇଏମ ଦଳ ପକ୍ଷରୁ ଆଜି ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ସଦର ମହକୁମାସ୍ଥ ବାଲିମେଳା ଛକ, ଡିଏନକେ ଛକ, ବସଷ୍ଟାଣ୍ଡ, କଲେଜ ଛକ, ସୁବାଷ ବୋଷ ଛକ ଠାରେ ଶତାଧିକ କଂଗ୍ରେସ ଓ ସିପିଆଇଏମ ନେତା କର୍ମୀମାନେ ପିକେଟିଂ କରି ରାସ୍ତାରେ ଗାଡି ରଖି ରାସ୍ତୋରୋକ ଆନ୍ଦୋଳନ କରିଥିଲେ। ଏହି ବନ୍ଦ ଯୋଗୁଁ ଜିଲ୍ଲା ସଦର ମହକୁମାଠାରେ ଥିବା ସମସ୍ତ ଦୋକାନ ବଜାର ସମ୍ପୁର୍ଣ୍ଣଭାବେ ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ବନ୍ଦ ରହିବା ସହିତ, ସ୍କୁଲ କଲେଜ, ବ୍ୟାଙ୍କ, ପୋଷ୍ଟ ଅଫିସ, କିଛି ସରକାରି କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା ମାଲକାନଗିରି ଜିଲ୍ଲାକୁ ଚଳାଚଳ କରୁଥିବା ୧୧ଟି ସରକାରି ବସ ଓ ୩୫ଟି ଘରୋଇ ବସ ସହିତ ଚାରିଚକିଆ, ତିନିଚକିଆ ଯାନବାହନ ଚଳାବନ୍ଦ ରହିଥିବାରୁ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ଆଜିସକାଳ ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପିଲାଛୁଆ ଧରି ଅନେକ ଯାତ୍ରୀ ବସଷ୍ଟାଣ୍ଡ ନିକଟରେ ଅଟକି ରହିଥିବାର ଦେଖିବାକୁ ମିଳିଥିଲା। ଦୋକାନ ବଜାର ବନ୍ଦ ରହିଥିବାରୁ ସେମାନେ ଭୋକ ଉପାସରେ ରହିଥିଲେ।

ଏହି ବନ୍ଦ ଡାକରା ଓ ଆନ୍ଦୋଳନରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା କାର୍ଯ୍ୟକାରି ସଭାପତି ବରିଷ୍ଟ କଂଗ୍ରେସ ନେତା ରାମପ୍ରସାଦ ପଟ୍ଟନାୟକ, ଡି.ଚିନା ରାଓ, ନଗର କଂଗ୍ରେସ ସଭାପତି ପି.କେସୁ ରାଓ, ଜି.ଶ୍ରୀନିବାସ ରାଓ, ଚିଟି ବାବୁ, ଯୁବ କଂଗ୍ରେସ ନେତା ପ୍ରଭାକର ପାଳ, ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳ, ଛବି ଦାସ, ଘାସି ନାୟକ, ବଳରାମ ସ୍ୱାଇଁ, ପେଣ୍ଡ୍ରା ପଣ୍ଡା, ପଦ୍ମ ପାଙ୍ଗ ମହିଳା କଂଗ୍ରେସ ନେତ୍ରୀ କମଳା ବରାଳଙ୍କ ସହିତ ଶତାଧିକ କଂଗ୍ରେସ ନେତା ଓ କର୍ମୀମାନେ ଯୋଗଦେଇ ବିଭିନ୍ନ ସ୍ଥାନରେ ପିକେଟିଂ କରି ଭାଜପା ସରକାରଙ୍କୁ ସମାଲୋଚନା କରି କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇଥିଲେ। ଠିକ ସେହିପରି ବାଲିମେଳା ଛକ ନିକଟରେ ଜିଲ୍ଲା ସିପିଆଇଏମ ସଂପାଦକ ବ୍ରଜ ମାଝୀଙ୍କ ନେତୃତ୍ୱରେ ଦେବା ମାଢି, ଭୁପେଷ କର୍ମକାର, ଇନ୍ଦ୍ର ମାଡକାମି, ଲକ୍ଷ୍ମିନାରାୟଣ ମାଡକାମି, ମାଧବ ବେନିୟା, ମାଳତୀ ଗୋଲରୀ ପ୍ରମୁଖ ଶତାଧିକ ସିପିଆଇଏମ ନେତା ଓ କର୍ମୀ ମାନେ ଏହି ବନ୍ଦ ଡାକରାରେ ସାମିଲ ହୋଇଥିଲେ। ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନ ଓ ସରକାରି କାର୍ଯ୍ୟାଳୟ ନିକଟରେ କଡା ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ଆନ୍ଦୋଳନ ସମୟରେ କିଛି କଂଗ୍ରେସ କର୍ମୀ ଉତ୍ୟକ୍ତ ହୋଇ ବସଷ୍ଟାଣ୍ଡ ନିକଟରେ ଲଗାଯାଇଥିବା କେନ୍ଦ୍ରସରକାରଙ୍କ ଲୋକାଅଭିମୁଖି କାର୍ଯ୍ୟର ହୋଡିଙ୍ଗକୁ ଚିରିଦେଇ ଥିବାର ଭାଜପା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଭାଜପା ନଗର ମଣ୍ଡଳ କମିଟିର ସଭାପତି ବାଲାଜୀ ପୋଡାଲଙ୍କ ସହିତ ଅନ୍ୟାନ୍ୟ ଭାଜପା ନେତା ଓ କର୍ମୀମାନେ ଏହି ହୋଡିଂ ଚିରା ଘଟଣା ସଂପର୍କରେ ମାଲକାନଗିରି ଥାନାରେ ଏତଲା ଦେଇଥିବାର ଜଣାପଡିଛି। ଜିଲ୍ଲାର କାଲିମେଳା, ପଡିଆ, ମାଲକାନଗିରି, ମାଥିଲି, ଖଇରପୁଟ, ଚିତ୍ରକୋଣ୍ଡା, କୋରକୁଣ୍ଡା ସାତଟି ଯାକ ବ୍ଲକରେ କଂଗ୍ରେସ ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top