ମାଲକାନଗିରି ଜିଲ୍ଲାରେ ବିଚିତ୍ର ରୋଗୀ ସେବା, ୧୦ଲକ୍ଷ ଲୋକଙ୍କ ରୋଗ ପରୀକ୍ଷା ପାଇଁ ଗୋଟିଏ ମାତ୍ର ଅଲଟ୍ରାସାଉଣ୍ଡ ମେସିନ

ମାଲକାନଗିରି, ୨୬ା୧୦(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ଅଚଂଳରେ ସ୍ୱାସ୍ଥ୍ୟସେବା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ବ୍ୟବସ୍ଥା କରାଯାଉଛି ବୋଲି କେନ୍ଦ୍ର ଓ ରାଜ୍ୟସରକାର ଡିଣ୍ଡିମ ପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟସେବା କେମିତି ଚାଲିଛି ତାହା ଜିଲ୍ଲାସଦର ମହକୁମା ହସପିଟଲକୁ ଦେଖିଲେ ହିଁ ଜଣାପଡୁଛି। ବିଜ୍ଞାନ ସବୁ କ୍ଷେତ୍ରରେ ଅନେକ ଆଗେଇଲାଣି, ଏହି ବିଜ୍ଞାନ ଯୁଗରେ ରୋଗୀ ଙ୍କ ଚିକିତ୍ସା ମଧ୍ୟ ସେମିତି ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ଆରମ୍ଭ ହେଲାଣି। ହେଲେ ମାଲକାନଗିରି ଜିଲ୍ଲାରେ ୧୦ଲକ୍ଷରୁ ଉର୍ଦ୍ଦ ରୋଗୀଙ୍କ ରୋଗପରୀକ୍ଷା ପାଇଁ ଗୋଟିଏ ମାତ୍ର ଅଲଟ୍ରାସାଣ୍ଡ ମେସିନ ଜିଲ୍ଲାସଦର ମହକୁମା ହସପିଟାଲରେ ରହିଛି। ଏହି ମେସିନ ଉପରେ ମାଲକାନଗିରି ଜିଲ୍ଲାର ୭ଲକ୍ଷ ଲୋକ ନିର୍ଭର କରିବା ସହିତ ସୀମାନ୍ତ ଛତିଶଗଡ ରାଜ୍ୟର ପଡୋଶୀ ସୁକୁମା ଜିଲ୍ଲାର ପ୍ରାୟ ୩ଲକ୍ଷ ଲୋକ ମାଲକାନଗିରି ଜିଲ୍ଲାସଦର ମହକୁମା ହସପିଟାଲକୁ ଚିକିତ୍ସା ନିମନ୍ତେ ଆସିଥାନ୍ତି। ଅଲଟ୍ରାସାଉଣ୍ଡ ମାସିନ କେବଳ ଜଣେ ଗର୍ଭବତୀର ଶିଶୁର ଅବସ୍ଥା ଓ ଲିଙ୍ଗ ନିରୁପଣ କରିନଥାଏ, ତାହା ଅନେକ କ୍ଷେତ୍ରରେ ରୋଗୀର ଶରୀର ରୋଗର ବିବରଣି ଜଣାଇଥାଏ। ସ୍ଟେଥୋସ୍କୋପ ଯେପରି ରୋଗିର ସ୍ୱାଶ ପ୍ରସ୍ୱାଶ, ସହ ବହ୍ୟ ପ୍ରକ୍ରିୟା ଡାକ୍ତରଙ୍କୁ ଜଣାଇଦେଇ ଥାଏ ଠିକ ସେହିପରି ଅଲଟ୍ରାସାଉଣ୍ଡ ମେସିନ ଦ୍ୱାରା ରୋଗିଶରୀର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ପେଟ ଓ ଅନ୍ତ୍ରପ୍ରକ୍ରିୟାର କାର୍ଯ୍ୟ ସଂପର୍କରେ ଡାକ୍ତର ଜାଣି ରୋଗୀଙ୍କୁ ଚିକିତ୍ସା କରିଥାନ୍ତି।

ରାଜ୍ୟର ଅନ୍ୟାନ ଜିଲ୍ଲା ଓ ଡାକ୍ତରଖାନା ମାନଙ୍କରେ ଏକାଧିକ ଅଲଟ୍ରାସାଉଣ୍ଡ ମେସିନ ଥିବାବେଳେ ମାଲକାନଗିରି ଓ ସୁକୁମା ଦୁଇଟି ଜିଲ୍ଲାପାଇଁ ମାତ୍ର ଗୋଟିଏ ଅଲଟ୍ରାସାଉଣ୍ଡ ମେସିନ ରହିଛି। ପ୍ରତିଦିନ ରୋଗୀ ମାନେ ଶହ ଶହ ସଂଖ୍ୟାରେ ମାଲକାନଗିରି ଜିଲ୍ଲା ସଦର ହସପିଟାଲକୁ ଆସି ନିଜର ରୋଗପରୀକ୍ଷା ପାଇଁ ଅଲଟ୍ରାସାଉଣ୍ଡ ମେସିନ କୋଠରୀ ନିକଟରେ ଖରା ଓ ବର୍ଷାରେ ଜଗିରହୁଛନ୍ତି।ଗୋଟିଏ ମାତ୍ର ମେସିନ ଥିବାରୁ ଦିନକୁ ୪୦ରୁ ୫୦ ରୋଗୀଙ୍କର ପରୀକ୍ଷା କରାଯାଇପାରୁନାହିଁ। ଗର୍ଭବତୀ ମହିଳା, ଦୁର୍ଘଟଣାଗସ୍ତ ଲୋକ, ପେଟରେ ଷ୍ଟୋନ ହୋଇ ଗରୁତର ପେଟ ଯନ୍ତ୍ରଣା ଭୋଗୁଥିବା ରୋଗି ମାନେ ଅଲଟ୍ରା ସାଉଣ୍ଡ କରିବା ପାଇଁ ଦୁଇ ରୁ ତିନିଦିନ ପର୍ଯ୍ୟନ୍ତ ହସପିଟାଲରେ ଜଗିବାକୁ ପଡୁଛି। ଏପରି କି ମାଲକାନଗିରି ଜିଲ୍ଲାରେ ପ୍ରାଇଭେଟ କ୍ଲିନିକ୍ ରେ ରୋଗୀଙ୍କ ପାଇଁ ଅଲଟ୍ରାସାଉଣ୍ଡ ମେସିନର ସୁବିଧା ନଥିବାରୁ ଶହ ଶହ ସଂଖ୍ୟାରେ ରୋଗୀଙ୍କ ପରୀକ୍ଷା ପାଇଁ ପ୍ରତିଦିନ ମାଲକାନଗିରି ଜିଲ୍ଲା ସଦରହସପିଟାଲରେ ଭିଡ ଜମୁଛି।ତୁରନ୍ତ ମାଲକାନଗିରି ଜିଲ୍ଲାହ ପିଟାଲକୁ ଅଧିକ ଅଲଟ୍ରାସାଉଣ୍ଡ ମେସିନ ଯୋଗାଇ ଦିଆଯାଉ। ପ୍ରାଇଭେଟ କ୍ଲିନିକରେ ଅଲଟ୍ରାସାଉଣ୍ଡ ମେସିନ ରଖା ଯାଇ ଉପଯୁକ୍ତ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିମନ୍ତେ ସରକାରଙ୍କ ତରଫରୁ ତୁରନ୍ତ ଅନୁମତି ପ୍ରଦାନ କରାଯାଉ ବୋଲି ଜିଲ୍ଲାବାସୀ ମାଲକାନଗିରି ବିଧାୟକ ମାନସ ମାଡକାମି ଙ୍କ ନିକଟରେ ଦାବିକରିଛନ୍ତି।

Leave a Reply

Your email address will not be published. Required fields are marked *