ମାଲକାନଗିରି ଜିଲ୍ଲାବାସୀଙ୍କ ସ୍ୱପ୍ନ ସତହେଲା, ରାତି ପାହିଲେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ଗୁରୁପ୍ରୀୟା ସେତୁ ଓ ସାତ ମହଲା ବିଶିଷ୍ଟ ଜିଲ୍ଲା ହସ୍ପିଟାଲ

ମାଲକାନଗିରି, ୨୫ା୭(ଓଡିଆ ପୁଅ ) ଅନେକ ବର୍ଷପରେ ମାଲକାନଗିରି ଜିଲ୍ଲାବାସୀଙ୍କ ସ୍ୱପ୍ନସତ ହେବାକୁ ଯାଉଛି। ରାତି ପାହିଲେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ବିଛିନ୍ନାଞ୍ଚଳ ବାସୀଙ୍କ ଲାଇଫଲାଇନ ଗୁରୁପ୍ରୀୟା ସେତୁ ଓ ଜିଲ୍ଲା ସଦର ମହକୁମା ଠାରେ ୩୦୦ ଶଯ୍ୟା ବିଶିଷ୍ଟ ସାତମହଲା ନୂତନ ହସପିଟାଲ ଗୃହକୁ ଉଦଘାଟନ କରିବେ। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀ ରେମେଶ ଚନ୍ଦ୍ର ମାଝୀ ଓ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମାଲକାନଗିରି ଠାରେ ପହଁଚି ମାଲକାନଗିରି ବିଧାୟକ ମାନସ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁସିସା ଏବଂ ବିଜେଡି ନେତା ମାନଙ୍କ ସହିତ ସଭାସ୍ଥଳ ପରିଦର୍ଶନ ସହ ପରିସ୍ଥିତି ଅନୁଧ୍ୟାନ କରି କାର୍ଯ୍ୟ ତଦାରଖ କରିଛନ୍ତି। ଏହା ବ୍ୟତୀତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ପିଡି ଡିଆରଡିଏ ପରାଗ ହର୍ଷଦ ଗୋଭାଲି, ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ, ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ରାତି ଦିନ ଲାଗି ପଡିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରାମକୁ ସଫଳ କରିବା ପାଇଁ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିଜୁପଟନାୟକ ବିମାନବନ୍ଦର ଠାରୁ ଗୁରୁବାର ଦିନ ୧୦ ଟାରେ ବାହାରି ଜୟପୁର ଏୟାରଷ୍ଟ୍ରିପ ରେ ୧୦.୫୦ ମନିଟରେ ପହଁଚି ସେଠାରୁ ସ୍ୱତନ୍ତ୍ର ହେଲିକେପ୍ଟରେ ଯୋଗେ ୧୧.୩୦ ରେ ଚିତ୍ରକୋଣ୍ଡା ଜାନବାଇ ବିଏସଏଫ କ୍ୟାମ୍ପଠାରେ ଅବତରଣ କରିବେ। ୧୧.୩୫ ରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ଜାନବାଇ ଠାରେ ଅନୁଷ୍ଟିତ ସଭାରେ ଜନସାଧରଣଙ୍କୁ ଉଦବୋଧନ ଦେବେ, ତାପରେ ହେଲିକେପ୍ଟର ଯୋଗେ ଏମଭି 3 ଠାରେ ଥିବା ବିଏସଏଫ କ୍ୟାମ୍ପରେ ଅବତରଣ କରିବା ପରେ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ନବ ନିର୍ମିତ ସାତ ମହଲା ହସପିଟାଲକୁ ଉଦଘଟନ ସାରି ଜିଲ୍ଲା କ୍ରୀଡା ହଷ୍ଟେଲ ପରିସର ଷ୍ଟେଡିୟମ ଠାରେ ସାଧାରଣ ସଭାରେ ଉଦବୋଧନ ଦେଇ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଏସପି ଜଗମୋହନ ମୀନା ଙ୍କ ନେତୃତ୍ବରେ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ଓ ଜିଲ୍ଲାସଦର ମହକୁମା ଠାରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ସଭାସ୍ଥଳରେ ବ୍ୟାରିକେଟ ନିର୍ମାଣ ସରିଛି। ଜିଲ୍ଲାରେ ହାଇଆଲର୍ଟ ଜାରି ସହିତ ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ ପୁଲିସ ପେଟ୍ରୋଲିଂ କଂମ୍ବି ଅପରେସନକୁ ଜୋରଦାର କରାଯାଇଛି।

ଦୀର୍ଘ ୫୦ ବର୍ଷର ସଂଘର୍ଷମୟ ଜୀବନ ବିତାଇବା ପରେ ଜଳ ବନ୍ଧୀରୁ ଉଦ୍ଧାର ହୋଇଛନ୍ତି ବିଛିନ୍ନାଞ୍ଚଳବାସୀ, ଅନେକ ବାଧବିଘ୍ନ ପରେ ବିପଦପୂର୍ଣ୍ଣ ଜଳ ଯାତ୍ରାରୁ ରକ୍ଷାପାଇ ସଡକ ପଥରେ ଗମନାଗମନର ସୁବିଧା ମିଳିଛି, ବିଛିନ୍ନାଞ୍ଚଳକୁ ଯାନବହାନ ଚଳାଚଳସହିତ ବେପାର ବାଣିଜ ବୃଦ୍ଧିପାଇଛି। ଗୁରୁପ୍ରୀୟା ସେତୁ ଉପରେ ବିଛିନ୍ନାଞ୍ଚଳ ବାସୀ ସଡକ ପଥରେ ଯାତାୟତ କରିବାର ସୁଯୋଗ ପାଇବାର ସ୍ୱପ୍ନ ସେମାନଙ୍କର ସତ ହୋଇଛି, ରାତିପାହିଲେ ମୁଖ୍ୟମନ୍ତ୍ରୀ ବିଛିନ୍ନାଞ୍ଚଳବାସୀ ଙ୍କ ଲାଇଫଲାଇନ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱପ୍ନକୁ ସାକାର କରିବେ ଓ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାସଦର ମହକୁମା ଠାରେ ନବନିର୍ମିତ ସାତମହଲା ୩୦୦ଶଯ୍ୟା ବିଶିଷ୍ଟ ଜିଲ୍ଲାହସପିଟାଲକୁ ଲୋକାର୍ପଣ କରିବେ। ପ୍ରଥମେ ୧୯୭୫ ମସିହା, ତାପରେ ୧୯୯୦ ମସିହା, ୨୦୧୩ ମସିହା ଠାରୁ ଗୁରୁପ୍ରୀୟା ସେତୁ ର ଭିତିପ୍ରସ୍ଥର ସ୍ଥାପନ ଆରମ୍ଭ ହୋଇ ୨୦୧୪ ରେ ବିଧିବଦ୍ଧ ଭାବେ ଏହି ସେତୁର ନିର୍ମାଣ କାମ ଚାଲିଲା, ଏହା ୫୨ କୋଟି ଟଙ୍କାରୁ ସେତୁ ପ୍ରକଳ୍ପର ବ୍ୟୟ ଅଟକଳ ଆରମ୍ଭ ହୋଇ ୧୭୨ କୋଟି ଟଙ୍କାରେ ପହଁଚି ସେତୁ ନିର୍ମାଣ କାମ ସଂପୂର୍ଣ୍ଣ ହୋଇଛି। ଅନେକ ବାଧା ବିଘ୍ନ ସତ୍ତ୍ୱେ ଗୁରୁପ୍ରୀୟା ସେତୁ ନିର୍ମାଣ କାମ ଇତି ମଧ୍ୟରେ ସରି ଯାଇଛି।

ସେତୁ ପ୍ରତି ମାଓଭୟ ଥିବାରୁ ସେତୁ ଚର୍ତୁପାଶ୍ୱରେ ହାଲୋଜେନ ଉଜ୍ୱଳ ଆଲୋକ ସହ ୬ଟି ସିସି ଟିଭି କ୍ୟାମେରା ଲଗା ଯିବାସହ ୨୪ଘଟିଂଆ ବିଏସଏଫ ଜବାନ ମାନଙ୍କ ପଇଁତରା ସହିତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୀର୍ଘ ୫୦ ବର୍ଷଧରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳବାସୀ ଜଳବନ୍ଦୀ ଜୀବନ ବିତାଉଥିବା ୭ଟି ଗ୍ରାମ ପଚାଂୟତର ୧୫୧ଖଣ୍ଡ ଗ୍ରାମବାସୀଙ୍କ ନିମନ୍ତେ ସ୍ଥଳପଥରେ ଗମନାଗନର ସୁବିଧା କରିବାପାଇଁ ରାଜ୍ୟସରକାର ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟରେ ଥିବା ଗୁରୁପ୍ରୀୟା ନଦୀ ଜାନବାଇଘାଟ ଠାରେ ସେତୁ ନିର୍ମାଣ କାମ ଗତ ୨୦୧୪ ମସିହାରୁ ଆରମ୍ଭ ହୋଇଥିଲା, ଏହି ସେତୁ ନିର୍ମାଣ ପାଇଁ ବ୍ୟୟଅଟକଳ ପ୍ରଥମେ ୫୨କୋଟି ରୁ ବୃଦ୍ଧି କରା ଯାଇ ଏବେ ୧୭୨ କୋଟିରୁ ଉର୍ଦ୍ଧ୍ୱଟଙ୍କା ଖର୍ଚ ହୋଇ ଯାଇଛି, ସେତୁ ନିର୍ମାଣ ପାଇଁ ନୂତନ ଭାବେ ଗତ ୨୦୧୪ ମସିହାରେ ଟେଣ୍ଡେର ନେଇଥିବା କଲିକତାର ରୟାଲ ଇନଫୋ କମ୍ପାନି କାମ କରିଛନ୍ତି। ଏହି ସେତୁ ନିର୍ମାଣ ୩୬ ମାସ ଯଥା ୨୦୧୭ ମସିହା ସେପ୍ଟେମ୍ବର ମାସ ମଧ୍ୟରେ ଶେଷକରା ଯିବ ବୋଲି ସଂପୃକ୍ତ କମ୍ପାନି ସରକାରଙ୍କ ସହିତ ଚୁକ୍ତି କରିଥିଲେ। ହେଲେ ୨୦୧୮ ମସିହା ଏପ୍ରିଲ ମାସରେ ସେତୁକାମ ସରିଲା। ଅତ୍ୟାଧୁନିକ ଶୈଳୀରେ ସେତୁ ନିର୍ମାଣ କାମ କରାଯାଇଛି। ଏହି ସେତୁର ଲମ୍ବ ୯୧୦ ମିଟର ଓସାର ୭.୫ ମିଟର, ଏହି ସେତୁ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହୋଇଛି। ୪୯୧୦ ବର୍ଗ କି.ମି.ବିଶିଷ୍ଟ ଚିତ୍ରକୋଣ୍ଡା ପରି ଏକ ବୃହତ ଜଳଭଣ୍ଡାର ଭିତରେ ଏବେବି ୭ଟି ଗ୍ରାମ ପଚାଂୟତ ୧୫୧ ଖଣ୍ଡ ଗ୍ରାମର ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ଲୋକ ବିଛିନ୍ନ ହୋଇ ରହିଛନ୍ତି। ବିଛିନ୍ନାଞ୍ଚଳ ବାସୀଙ୍କ ଲାଇଫ ଲାଇନ ଗୁରୁପ୍ରୀୟା ସେତୁ ନିର୍ମାଣ ସରିଥିବାରୁ ଚିତ୍ରକୋଣ୍ଡା ଓ ବିଛିନ୍ନାଞ୍ଚଳ ବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଛି। ସେମାନଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ସତ ହେବାକୁ ଯାଉଛି ବିଛିନ୍ନାଞ୍ଚଳ ବାସୀ ସିଧା ସଳଖ ଭାବେ ସ୍ଥଳ ପଥରେ ଯାନବାହନ ମାଧ୍ୟମରେ ନିଜ ଗାଁକୁ ଯାତାୟତ କରିପାରିବେ। ଏହି ସେତୁ ଦ୍ୱାରା ଓଡିଶା ଆନ୍ଧ୍ର ପ୍ରଦେଶକୁ ସ୍ଥଳ ପଥରେ କମ ଦୂରତାରେ ସଂଯୋଗ ହୋଇପାରିବ।

Leave a Reply

Your email address will not be published. Required fields are marked *