ମାଲକାନଗିରି ଜିଲ୍ଲାବାସୀଙ୍କ ମୌଳିକ ଅଧିକାର ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାରେ ପୁରାଇ ଦିଆଯିବ ନାହିଁ -ପୂର୍ବତନ ସାସଂଦ, ପ୍ରଦୀପ ମାଝୀ

ମାଲକାନଗିରି, ୨୨ା୬ (ଓଡିଆ ପୁଅ ) ଗୁରୁପ୍ରୀୟା ସେତୁ ଉଦଘାଟନ କରିବା ପାଇଁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ହେଉଥିବା ଖବର ଜାଣି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ଜିଲ୍ଲା କଂଗ୍ରେସ ଦଳ ସଭାପତି ଗୋବିନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ମାଲକାନଗିରି ଜିଲ୍ଲାବାସୀଙ୍କ ମୌଳିକ ଅଧିକାର ଓ ୫ଟି ଦାବି ତୁରନ୍ତ ପୂରଣ କରାନଗଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମାଲକାନଗିରି ଜିଲ୍ଲାକୁ ଆସିବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ପୂର୍ବତନ ସାସଂଦ ପ୍ରଦୀପ ମାଝୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଜାତି ବର୍ଣ୍ଣ ଧର୍ମ ବିଚିତ୍ର ନୀତି ନିୟମ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ୱ ଗରୀବ ଆଦିବାସୀ, ହରିଜନ ଛାତ୍ର ଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। ଏହି ପିଲାମାନଙ୍କୁ ତହସିଲ ପକ୍ଷରୁ ଆଦିବାସୀ, ହରିଜନ ଜାତିଗତ ପ୍ରମାଣ ପତ୍ର ଦିଆଯାଉ ନଥିବାରୁ ସେମାନଙ୍କୁ ବିଦ୍ୟାଳୟ ଓ ଛାତ୍ରବାସରୁ କାଢି ଦିଆଯାଇଛି। କେବଳ ହରିଜନ, ଆଦିବାସୀ ଛାତ୍ରଛାତ୍ରୀ ନୁହଁନ୍ତି, ସାଧରଣ ବର୍ଗର ଗରିବ ପିଲାମାନେ ମଧ୍ୟ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ପାଠ ପଢିପାରୁ ନାହଁନ୍ତି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଛାତ୍ରବାସରେ ସ୍ଥାନ ଦେଇ ମାଗଣାରେ ଶିକ୍ଷାଦନ ବ୍ୟବସ୍ଥା କରାଯାଉ, ଚାକିରି ଯୋଗାଇବା ନାମରେ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରୁ ଲକ୍ଷ୍ମୀମାଟାମ ନାମକ ଜଣେ ଆଦିବାସୀ ବାଳିକାକୁ ବାଙ୍ଗଲା ଦେଶରେ ବିକ୍ରୀ କରି ଦିଆଯାଇଛି। ତାକୁ ତୁରନ୍ତ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଉଦ୍ଧାର କରି ଆଣି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରନ୍ତୁ। ଠିକ ସେହିପରି ପାଠପଢ଼ିବା ନାମରେ ଜଣେ ବଣ୍ଡାବାଳକ ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ହେବା, ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଗରୀବ ଆଦିବାସୀଙ୍କୁ ଜଙ୍ଗଲ ଜମିପଟା ଦେବା, ସହର ଓ ବସ୍ତିଅଚଂଳରେ ବସବାସ କରୁଥିବା ଗରୀବ ଲୋକଙ୍କୁ ଘରଡିହ ପଟା ଦେବା ଇତ୍ୟାଦି ପାଞ୍ଚଟି ଦାବିନେଇ କଂଗ୍ରେସ ଦଳ ଗତ କିଛି ମାସତଳେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ ପରେ ମଧ୍ୟ ରାଜ୍ୟ ସରକାର କି ଜିଲ୍ଲା ପ୍ରଶାସନ ଦାବି ଗୁଡିକ ପ୍ରତି ଗୁରୁତ୍ୱ ଦେଇ ନଥିବାରୁ ବାଧ୍ୟହୋଇ କଂଗ୍ରେସ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ଦୃଢ ବିରୋଧ କରାଯାଇଛି। ବିଦ୍ୟାଳୟ ଖୋଲିବା ପରେ ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ଦୁଇ ହଜାର ଗରୀବ ପିଲାମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ନାମ ନ ଲେଖାଗଲେ ଆସନ୍ତା ୯ ତାରିଖରେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାରେ ଗଣ ଆନ୍ଦୋଳନ କରାଯିବା ସହ ପାଠପଢାରୁ ବଞ୍ଚିତ ହୋଇଥିବା ଦୁଇ ହଜାର ପିଲାଙ୍କୁ ନେଇ ଜିଲ୍ଲାପାଳ ଅଫିସ ଆଗରେ ଗଣ ବିକ୍ଷୋଭ କରିବା ସହିତ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯିବ। ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଜିଲ୍ଲାବାସୀଙ୍କ ୫ ଟି ମୌଳିକ ଦାବି ପୁରଣ କରାନଗଲେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମାଲକାନଗିରିରେ ପୁରାଇଦିଆ ଯିବ ନାହିଁ ବୋଲି କଂଗ୍ରେସଦଳର ପୂର୍ବତନ ସାସଂଦ ପ୍ରଦୀପ ମାଝୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ବୈଠକରେ ଜିଲ୍ଲା କଂଗ୍ରେସ ଦଳର କାର୍ଯ୍ୟକାରୀ ସଭାପତି ବରିଷ୍ଠ କଂଗ୍ରେସ ନେତା ରାମ ପ୍ରସାଦ ପଟ୍ଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଢି, ଯୁବକଂଗ୍ରେସ ନେତା ରବି ରାଜେଶ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

Leave a Reply

Your email address will not be published. Required fields are marked *