ଅପରାଧ

ମାଲକାନଗିରି ଓ ଚିତ୍ରକୋଣ୍ଡା ପୁଲିସର ଚଢାଉ, ୮୫୦ କେଜି ଗଞ୍ଜେଇ ଜବତ, ୭ଜଣ ଗିରଫ

ମାଲକାନଗିରି, ୧୨ା୬ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା, ମାଲକାନଗିରି ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ଭାବେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିବା ସହିତ ୮୫୦ କେଜି ଉନ୍ନତ ମାନର ଗଞ୍ଜେଇ ସହ ଗାଡି ଜବତ କରିଛନ୍ତି। ଯାହାର ବଜାର ମୂଲ୍ୟପ୍ରାୟ ୪୫ ଲକ୍ଷ ଟଙ୍କା ହେବା ବୋଲି ଜଣାପଡିଛି। ସୋମବାର ରାତ୍ରରେ ଚିତ୍ରକୋଣ୍ଡା ଥାନାପୁଲିସ ରାତ୍ର ପୋଟ୍ରୋଲିଂ କରୁଥିବା ସମୟରେ ଫୁଲପଦର କଳାପଦର ଅଞ୍ଚଳରେ ବାହରକୁ ଚୋରା ଚାଲାଣ ହେବାପାଇଁ ବହୁପରିମାଣର ଗଞ୍ଜେଇ ଗୋଟିଏ ସ୍ଥାନରେ ଗଛିତ ହୋଇ ରହିଛି ବେଲି ଖବର ପାଇଥିଲେ। ଫୁଲପଦର ଗ୍ରାମକୁ ଯାଇ ଚଢାଉ କରିବାରୁ ସେଠାରେ ୧୨ଟି ପ୍ଲାଷ୍ଟିକ ବ୍ୟାଗରେ ଗଞ୍ଜାଇ ଭରି ହୋଇରହିଥିଲା। ପୁଲିସ ତଦନ୍ତ କରି ଜାଣିବାକୁ ପାଇଲେ ଏହି ଗଞ୍ଜେଇ ବସ୍ତାଗୁଡିକୁ ସେହି ଗ୍ରାମର ଜଗବନ୍ଧୁ ଖରା(୩୦) ନାମକ ଯୁବକ ବାହରକୁ ଚାଲାଣ କରିବାପାଇଁ ରଖିଛନ୍ତି। ପୁଲିସ ଜଗବନ୍ଧୁ ଖରାଙ୍କୁ ଗିରଫ କରି ସେହି ଗଞ୍ଜେଇ ବସ୍ତାକୁ ଜବତ କରିଥିଲେ। ଆଜି ସକାଳେ ଜବତ ଗଞ୍ଜେଇ ଗୁଡିକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବାରୁ ୭୯୨ କେଜି ୪୬୦ ଗ୍ରାମ ହୋଇଥିଲା। ଠିକ ସେହିପରି ସୋମବାର ଦିନ ମାଲକାନଗିରି ସୁକୁମା ରାସ୍ତାରେ ଏକ ହୁଣ୍ଡାଇ ଗାଡିରେ ଗଞ୍ଜେଇ ବୋଝେଇ ହୋଇ ବାହରକୁ ଚାଲାଣ ହେଉଥିବାର ଖବର ପାଇ ମାଲକାନଗିରି ଥାନା ପୁଲିସ ଉକ୍ତ ଗାଡିଟିକୁ ଗୋଡାଇ ଧରିଥିଲେ। ଗାଡି ମଧ୍ୟରୁ ୫୫କେଜି ୨୦୦ଗ୍ରାମ ମୂଲ୍ୟବାନ ଶିଳାବତୀ ଗଞ୍ଜେଇ ଜବତ କରି ସେଥିରେ ବସିଥିବା ୬ଜଣଙ୍କୁ ପୁଲିସ ଗିରଫ କରିଥିଲେ। ଗିରଫ ହୋଇଥିବା ଯୁବକ ମାନେ ମାଲକାନଗିରି ଜିଲ୍ଲା ଓରକେଲ ଥାନା ଚିତାପାରି ଅଞ୍ଚଳର ଅଶୋକ ଖେମୁଡୁ, ନରସିହଂ ଖରା, ପ୍ରହ୍ଲାଦ ଖରା, ନରେନଦ୍ର ପାଙ୍ଗି, ଆନ୍ଦ୍ର ପ୍ରଦେଶ ସିଲେରୁ ଥାନା କୋରାପାଲି ଗ୍ରାମର ନାରାୟଣ ଗାମ୍ପରାଇ, ମଧ୍ୟପ୍ରଦେଶ ଭୋପାଳର ଶିବନାରାୟଣ ସୋଲାଙ୍କି ଏମାନେ ଚିତ୍ରକୋଣ୍ଡା ଅଞ୍ଚଳୁ ଗଞ୍ଜେଇ ନେଇ ଛତିଶଗଡ ରାଜ୍ୟକୁ ଯାଉଥିଲେ ବୋଲି ଜଣାପଡିଛି। ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ୭ଜଣ ଯୁବକଙ୍କୁ ପୁଲିସ ପକ୍ଷରୁ କୋର୍ଟଚାଲାଣ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରା ଗଞ୍ଜେଇ ବେପାରୀଙ୍କ ଭୁସ୍ୱର୍ଗ ପାଲଟିଛି। ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓପ୍ରବଣ ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଚୋରା ଗଞ୍ଜେଇ ଚାଷ ହୋଇଥାଏ, ଏହି ସବୁଅଞ୍ଚଳ ମାଓ ପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ, ଏହାରି ସୁଯୋଗରେ ଚୋରାଗଞ୍ଜେଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ କରି ବେଶ ଲାଭବାନ ହୋଇଥାନ୍ତି। ବିଶେଷ କରି ଆଜି କାଲି ଶିକ୍ଷିତ ବେକାରି ମାନଙ୍କ ସଂଖ୍ୟାବଡି ଚାଲିଥିବାରୁ ସେମାନେ କିଛି ରୋଜଗାରର ବାଟ ନପାଇ ରାତା ରାତି ବଡ ଲୋକ ହେବାର ସ୍ୱପ୍ନ ଦେଖି ଏହି ଗଞ୍ଜେଇ ଚୋରା ଚାଲାଣ କାରବାରରେ ସାମିଲ ହେଉଥିବାର ଜଣାପଡିଛି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top