ମାନ୍ୟବର ଅଦାଲତଙ୍କ ନିଷେଧାଜ୍ଞା ଜାରି ସତ୍ୱେ ସ୍ଥିତାବସ୍ଥା ଜମିରେ ପିଏମ୍ଏୱାଇ ଯୋଜନାର କାର୍ଯ୍ୟାଦେଶ ବିଡିଓଙ୍କ କାର୍ଯ୍ୟ ସନ୍ଦେହ ଘେରରେ, ପ୍ରତିପକ୍ଷର ଆକ୍ରମଣରେ କଟକ ସ୍ଥାନାନ୍ତର ଯୁବକର ପରିବାର ଏସ୍ପିଙ୍କୁ ଭେଟିଲେ

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସରକାର ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ଗୃହଋଣ ଯୋଗାଇ ଦେଉଥିଲେ ବି ଜମିବାଡି ବିବାଦ ଜନିତ ମାନ୍ୟବର ଅଦାଲତଙ୍କ ନିଷେଧାଜ୍ଞା ଜାରି ସତ୍ୱେ ଉକ୍ତ ଯୋଜନାର ଅର୍ଥ ସଂପୃକ୍ତ ସ୍ଥାନରେ ବ୍ୟୟ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏବଂ ଏଭଳି ଏକ ଅଭାବନୀୟ ଘଟଣା ସଂପର୍କରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯିବା ପରେ ସେ ତାହାର କାର୍ଯ୍ୟାଦେଶ ବାତିଲ କରି ପରବର୍ତ୍ତୀ ସମୟରେ ରାଜନୈତିକ ଚାପରେ ପୁନଃ କାର୍ଯ୍ୟକାରୀ କରିବା ଘଟଣା ଏବେ ଲୋକ ଲୋଚନକୁ ଆସିଛି। ଏ ସଂପର୍କରେ ପ୍ରତିପକ୍ଷର ମରଣାନ୍ତକ ଆକ୍ରମଣରେ ଗୋଟିଏ ପକ୍ଷ ଏବେ କଟକ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ପୁଲିସ୍ ଯେଉଁ ପରିସ୍ଥିତିରେ ଅଭିଯୁକ୍ତମାନଙ୍କୁ ଗିରଫ ନକରି ଘଣ୍ଟ ଘୋଡାଉଛି, ସେଥିନେଇ ଆଜି ଆକ୍ରମଣର ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କ ଦୁଇଭାଇ ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧରଙ୍କ ଶରଣାପନ୍ନ ହୋଇଛନ୍ତି। ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ରହଣିଆ ଗ୍ରାମର ପୀତବାସ ଯେନା ଜିଲା ଆରକ୍ଷୀ ଅଧକ୍ଷକ ବି. ଗଂଗାଧରଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ସେମାନଙ୍କର ଘରଡିହକୁ ନେଇ ଏକ ସଂପର୍କୀୟ ଦାଦା ନିରଂଜନ ଯେନାଙ୍କ ମଧ୍ୟରେ ଭାଗବଣ୍ଟୁରା ହୋଇ ଉଭୟ ପକ୍ଷ ଚାଳଘର କରି ରହିଥିଲେ। ମାତ୍ର ନିରଂଜନ ନିଜ ଭାଗ ସହ ପୀତବାସଙ୍କ ଘରଡିହ ସୀମାକୁ ବଡାଇ ନୂତନ ଗୃହ ନିର୍ମାଣ ଆରମ୍ଭ କରିଥିଲେ। ଯାହାକୁ ବିରୋଧ କରି ଆକ୍ରମଣର ସମ୍ମୁଖୀନ ହେବାରୁ ବାଧ୍ୟହୋଇ ପୀତବାସଙ୍କ ପିତା ଭରତଙ୍କ ପକ୍ଷରୁ ମାନ୍ୟବର ସିଭିଲ୍ ଜଜ୍ (ଜୁନିୟର ଡିଭିଜନ) ଙ୍କ ନିକଟରେ ମକଦ୍ଦମା ରୁଜୁ ହୋଇଥିଲା। ମାନ୍ୟବର ଜଜ୍ ତାଙ୍କ ଅଦାଲତରେ ସୀମା ଚିହ୍ନଟ ମକଦ୍ଦମା ନଂ ୧୭୭/୨୦୦୯ ରେ ଏକ ନିଷେଧାଜ୍ଞା ମକଦ୍ଦମା ଆଇ.ଏ. ନଂ ୧୭୯/୨୦୦୦ ରୁଜୁ କରି ସେହି ଜମି ଉପରେ ସ୍ଥିତାବସ୍ଥା ଜାରି କରିଥିଲେ। ଯାହା ଅଦ୍ୟାବଧି କାଏମ ରହିଛି। ମାତ୍ର ନିରଂଜନ ଭଣ୍ଡାରିପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ନେଇ ଉକ୍ତ ନିଷେଧାଜ୍ଞା ଜମି ଉପରେ ପକ୍କାଘର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ପୀତବାସଙ୍କ ପକ୍ଷରୁ ସ୍ଥିତାବସ୍ଥା ସହ ସମସ୍ତ କାଗଜପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଦେଖାଇବା ପରେ ସେ ସଂପୃକ୍ତ କାର୍ଯ୍ୟାଦେଶ ବାତିଲ କରିଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ କାର୍ଯ୍ୟାଦେଶକୁ ସେ ପୁନର୍ବାର ନିରଂଜନଙ୍କୁ ଯେଉଁ ପରିସ୍ଥିତିରେ ପ୍ରଦାନ କରିଛନ୍ତି, ତାହା ମୂଳରେ ରାଜନୈତିକ ଚାପ ରହିଥିବା ବିଷୟ ପ୍ରତିପକ୍ଷ ଅଭିଯୋଗ କରିଛନ୍ତି। ତେବେ ସ୍ଥିତାବସ୍ଥା ଜମିରେ ଉକ୍ତ କାର୍ଯ୍ୟ ଆରମ୍ଭ କରିବା ନେଇ ପୀତବାସଙ୍କ ପରିବାର ପକ୍ଷରୁ ପ୍ରତିବାଦ କରାଯିବାରେ ନିରଂଜନ ଉକ୍ତ ଗ୍ରାମର ନିଜ ସମର୍ଥିତ କେତେକ ବ୍ୟକ୍ତିଙ୍କୁ ନେଇ ପୀତବାସର ବଡଭାଇ ସୁବାଷ ଓ ମା’ ଅଗଣିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁବାଷ ଏବେ କଟକ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ମା’ ଅଗଣି ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ବି ଅସୁସ୍ଥ ଭାବେ ପଡିରହିଛନ୍ତି। ଏହି ଘଟଣା ସଂପର୍କରେ ପୀତବାସର ଭାଇ ସୁବାଷଙ୍କ ପକ୍ଷରୁ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସେମାନେ କାହାରିକୁ ଗିରଫ କରିନାହାଁନ୍ତି। ଅପରପକ୍ଷେ ଅଭିଯୁକ୍ତମାନେ ସ୍ପଷ୍ଟ ଦିବାଲୋକରେ ଘୂରିବୁଲି ସେମାନଙ୍କୁ ହତ୍ୟା କରିବାର ଚେତାବନୀ ଦେଉଥିବାରୁ ଆଜି ପୀତବାସ ନିଜ ସାନଭାଇ ସହ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଏଥିପୂର୍ବରୁ ପୀତବାସଙ୍କ ପରିବାର ଜିଲାପାଳଙ୍କୁ ଭେଟି କେଉଁ ପରିସ୍ଥିତିରେ ଅଦାଲତ ସ୍ଥିତାବସ୍ଥା ଜାରି ଥିବା ଜମିରେ ବିଡିଓ କାର୍ଯ୍ୟାଦେଶ ଦେଇଛନ୍ତି, ସେଥିନେଇ ଲିଖିତ ପତ୍ର ପ୍ରଦାନ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ।

Leave a Reply

Your email address will not be published. Required fields are marked *