ମାନ୍ୟତା ନଥାଇ ଏସ୍ସିଏସ କଲେଜ ସ୍ୱୟଂ ଶାସିତ

ପୁରୀ:୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ବିବାଦ ପିଛା ଛାଡୁନାହିଁ। ଜାଲ୍ ସାର୍ଟିଫିକେଟ ବିବାଦ ତଦନ୍ତ ଚାଲିଥିବା ବେଳେ ଏବେ ସ୍ୱୟଂ ଶାସିତ ମାନ୍ୟତାକୁ ନେଇ ପ୍ରଶ୍ନ ଉଠୁଛି। ପାଞ୍ଚବର୍ଷ ଧରି ପୁରୀ ଜିଲ୍ଲାର ଏହି ସୁନାମ ଧନ୍ୟ ପୁରାତନ ମହାବିଦ୍ୟାଳୟ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ସ୍ୱୟଂ ଶାସିତ ମାନ୍ୟତା କଟିଯାଇଛି। ୨୦୧୨-୧୩ ଶିକ୍ଷା ବର୍ଷ ଠାରୁ ସ୍ୱୟଂ ଶାସିତ ମାନ୍ୟତା ନବୀକରଣ କରାଯାଇନାହିଁ। କଲେଜ କ୍ୟାମ୍ପସ, ୱେବସାଇଟ୍, ଖାତାଖତିୟାନା ସବୁଥିରେ କିନ୍ତୁ ଲେଖା ହୋଇ ଆସୁଛି ଏହି ମହାବିଦ୍ୟାଳୟ ସ୍ୱୟଂ ଶାସିତ। ମନଇଚ୍ଛା ପରୀକ୍ଷା ନିୟନ୍ତ୍ରକ ନିଯୁକ୍ତି କରି ପରୀକ୍ଷା ପରିଚାଳନା କରାଯାଉଛି ଦୀର୍ଘ ବର୍ଷ ଧରି। ହେଲେ ଏ ବିଷୟରେ ନା ପରିଚାଳନା କମିଟି ପଦକ୍ଷେପ ନେଉଛି ନା ଉତ୍କଳ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ। ପ୍ରତିବର୍ଷ ଏହି ମହାବିଦ୍ୟାଳୟ ନିଜକୁ ସ୍ୱୟଂଶାସିତ ବୋଲି ପ୍ରାୟ ୭ହଜାର ଛାତ୍ରଛାତ୍ରୀଙ୍କୁ ଦେଉଛି ମାର୍କସିଟ୍ ଓ ପ୍ରୋଭିଜନାଲ। ଏଭଳି ଘଟଣା ପର୍ଦ୍ଦଫାସ ହେବା ପରେ ପାଞ୍ଚବର୍ଷ ଭିତରେ ଏଠାରୁ ଉତ୍ତୀର୍ଣ୍ଣ ହୋଇ ଯାଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଲାଗିତ ରହିଛି। ସେମାନେ ଯଦି କୌଣସି ଇଣ୍ଟରଭୁ୍ୟ ଓ ନିଯୁକ୍ତି ବେଳେ ଏ ବାବଦରେ ଧରାପଡନ୍ତି ତେବେ ଅସୁବିଧା ଭୋଗିବେ। ସଂଶୋଧିତ ମାର୍କସିଟ୍ ଓ ପ୍ରୋଭିଜନାଲ ପାଇବା ନିମନ୍ତେ କାଲଜ ଓ ୟୁୂନିଭର୍ସିଟି ଦୌଡି ଦୌଡି ନୟାନ୍ତ ହେବେ। ବହୁ ମୂଲ୍ୟ ସମୟ ଦେବା ସହ ଅଧିକ ଫି ଗଣିବେ। ଏହି କାରଣରୁ ନିଯୁକ୍ତି ସମ୍ଭାବନା ହାତରୁ ଚାଲିଯିବାର ମଧ୍ୟ ଆଶଙ୍କା ରହିଛି। କଲେଜ କର୍ତ୍ତୃପକ୍ଷ କିନ୍ତୁ ନିଜର ମନମାନିକୁ ଲୁଚିବା ନିମନ୍ତେ ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ନେଡୁଗୁଡଢ କହୁଣିକୁ ଚାଲିଯିବା ପରେ ଏବେ ୟୁଜିସିକୁ ଜଣାଇଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ। ଚଳିତମାସ ଶେଷରେ ୟୁଜିସି ଟିମ୍ ମହାବିଦ୍ୟାଳୟ ଗସ୍ତରେ ଆସୁଥିବା କୁହାଯାଉଛି। ସୂଚନା ମୁତାବକ ୧୯୪୪ରେ ପ୍ରତିଷ୍ଠା ହୋଇଥିବା ଏହି ସବ; ପୁରାତନ ମହାବିଦ୍ୟାଳୟ ୧୯୯୯ରେ ସ୍ୱୟଂ ଶାସିତ କଲେଜ ମାନ୍ୟତା ପାଇଥିଲା। ୟୁଜିସି ଗାଇଡ୍ ଲାଇନ୍ ଅନୁଯାୟୀ ଏହି ମାନ୍ୟତାକୁ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ନବୀକରଣ କରିବା କଥା। ମାତ୍ର ୨୦୧୨-୧୩ଶିକ୍ଷା ବର୍ଷ ଠାରୁ ସ୍ୱୟଂଶାସିତ ମାନ୍ୟତା ନବୀକରଣ କରାଯାଇନାହିଁ।

Leave a Reply

Your email address will not be published. Required fields are marked *