ମାନବିକ ଅଧିକାର ଓ ସାମାଜିକ କର୍ମୀଙ୍କ ଗିରଫ ବିରୋଧରେ ଗଣ-ପ୍ରତିବାଦ

ଭୁବନେଶ୍ୱର, ୧/୯ (ଓଡ଼ିଆ ପୁଅ) : ଦେଶବ୍ୟାପୀ ବିଭିନ୍ନ ମାନବିକ ଅଧିକାର ଓ ସାମାଜିକ କର୍ମୀ, ଆଇନଜୀବୀ, ପ୍ରଗତିଶୀଳ କବି ତଥା ଭିନ୍ନ ମତ ପୋଷଣ କରୁଥିବା ବ୍ୟକ୍ତିଙ୍କୁ ଅଗଣତାନ୍ତ୍ରିକ ଗିରଫଦାରୀ ବିରୋଧରେ ପ୍ରତିବାଦ କରି ବିଭିନ୍ନ ରାଜନୈତିକ ଦଳ, ମାନବିକ ଅଧିକାର ସଂଗଠନ, ଦଳିତ ସଂଗଠନ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବୁଧବାର ଦିନ ଏକ ଗଣ ପ୍ରତିବାଦ ଆୟୋଜିତ ହୋଇଯାଇଛି। ଇନଷ୍ଟିଚୁସନ ଅଫ ଇଞ୍ଜିନିଅର୍ସ ସମ୍ମୁଖରେ ବିଭିନ୍ନ ବାମପନ୍ଥୀ , ଗଣତାନ୍ତ୍ରିକ ରାଜନୈତିକ ଦଳ ଓ ସଂଗଠନ ମିଳିତ ଭାବରେ ଏହି ପ୍ରତିବାଦ ଆୟୋଜିତ ହୋଇଯାଇଛି। ପ୍ରତିବାଦ କାରୀ ମାନେ ମାନବିକ ଅଧିକାର କର୍ମୀ ତଥା ଆଇନଜୀବୀ ସୁଧା ଭରଦ୍ୱାଜ, ବିପ୍ଳବୀ କବି ବରବରା ରାଓ, ସାମାଜିକ କର୍ମୀ ଗୌତମ ନଭଲଖା, ଅରୁଣ ଫେରେରା ଓ ବନ ଗଲ୍ଲେଭସଙ୍କୁ ଅଗଣତାନ୍ତ୍ରିକ ଗିରଫକୁ ଭିନ୍ନମତ ଓ ସାମ୍ବିଧାନିକ ଅଧିକାର ଉପରେ ନଗ୍ନ ଆକ୍ରମଣ ବୋଲି ବର୍ଣ୍ଣନା କରିଥିଲେ। ସାମ୍ପ୍ରଦାୟିକ ମୌଳବାଦୀ ଓ କର୍ପୋରେଟ ମାନେ ମିଳିତ ଭାବେ ଦେଶରେ ଗଣତାନ୍ତ୍ରିକ ସ୍ଵର ଓ ଭିନ୍ନମତ ବ୍ୟକ୍ତ କରିବାର ଅଧିକାରକୁ ଛଡେଇ ନେବାପାଇଁ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଭଳି ପରିବେଶ ସୃଷ୍ଟି କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ଅବିଳମ୍ବେ ସମସ୍ତ ଗିରଫ ମାନବିକ ଅଧିକାର କର୍ମୀଙ୍କୁ ଖଲାସ କରିବାକୁ ଦାବି କରିଥିଲେ। ଏହି ମିଳିତ ପ୍ରତିବାଦରେ ସିପିଏମ, ସିପିଆଇ(ଏମ.ଏଲ)- ଲିବରେସନ, ସିପିଆଇ(ଏମ.ଏଲ)-ରେଡଷ୍ଟାର, ସିପିଆଇ, ମୂଳନିବାସୀ ସମତା ପରିଷଦ, ସମାଜବାଦୀ ପାର୍ଟି, ଫରୱାର୍ଡ ବ୍ଲକ, ଆର.ପି.ଆଇ , ଜନବାଦୀ ଲେଖକ ସଂଘ, କଂଗ୍ରେସ, ଇନସାଫ, ନିୟମଗିରୀ ସୁରକ୍ଷା ପରିଷଦ, ହେତୁବାଦୀ ଆନ୍ଦୋଳନ, ମିଥ୍ୟା ମୋକଦ୍ଦମା ବିରୋଧୀ ଅଭିଯାନ, ଇସକଫ, ଅଖିଳ ଭାରତ ଯୁବ ସଂଘ, ଦଳିତ ମଞ୍ଚ, ମିଶନ ଜଷ୍ଟିସ, ଅଖିଳ ଭାରତ ଜନମଞ୍ଚ, ସିଟିଜେନ୍ସ ଫୋରମର ନେତୃବୃନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ସାମାଜିକ କର୍ମୀ ଓ ମାନବିକ ଅଧିକାର କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *