ମାନବିକତାର ମୃତ୍ୟୁ କର୍କଟ ଆକ୍ରାନ୍ତ ପୁଅର ଚିକିତ୍ସା ପାଇଁ ରଖିଥିବା ଟଙ୍କା ଆକାଉଣ୍ଟରୁ ଗାଏବ

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସାଂପ୍ରତିକ ସମାଜରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବହୁ ସଂଗଠନ କାର୍ଯ୍ୟ କରୁଛି। ବିଶେଷ କରି ଯୁବ ସମାଜ ଭିତରେ ଏହି ସାହାଯ୍ୟ ଓ ସହଯୋଗର ମାନସିକତା ବୃଦ୍ଧି ପାଇବାରେ ଲାଗିଛି। ଏହାପରେ ବି ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ସାମାନ୍ୟ ମାନବିକତାର ଚିହ୍ନ ମଧ୍ୟ ନାହିଁ। ନିଜ ସ୍ୱାର୍ଥ ପାଇଁ ସେମାନେ ଯେ କୌଣସି ସ୍ତରକୁ ମଧ୍ୟ ଯାଇପାରନ୍ତି। ଏହିପରି ଏକ ଦୁଃଖଦ ଘଟଣା ଘଟିଛି ୭ ବର୍ଷ ବୟସର କର୍କଟ ଆକ୍ରାନ୍ତ ଜଣେ ବାଳକର ବାପାଙ୍କ କ୍ଷେତ୍ରରେ। କର୍କଟ ଆକ୍ରାନ୍ତ ପୁଅକୁ ନେଇ ବାପା ଡାକ୍ତରଖାନାରେ ଅଛନ୍ତି। ବିଭିନ୍ନଆଡୁ ସାହାଯ୍ୟ ସହଯୋଗ ନେଇ ପୁଅର ଚିକିତ୍ସା କରିବାକୁ ଆସିଛନ୍ତି ଜାଣିବା ପରେ ବି ଏହି ନିର୍ଦୟ ମଣିଷମାନଙ୍କ ହୃଦୟରେ ଦୟାଭାବ ଜାଗ୍ରତ ହୋଇନାହିଁ। ବରଂ ତାଙ୍କ ବ୍ୟସ୍ତତା, ଆକୁଳତା ଓ ସରଳତାର ସୁଯୋଗ ନେଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କେହି ଟଙ୍କା ଲୁଟି ନେଇଛି। ଏହି ଜିଲାର ତିହିଡି ବ୍ଲକ ଅଧୀନ ତାଳପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ଦିବ୍ୟାଂଶୁଙ୍କୁ ମାତ୍ର ୭ ବର୍ଷ। ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଦିବ୍ୟାଂଶୁର ଦେହ ଅସୁସ୍ଥ ହେବାପରେ ରକ୍ତ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ପରେ ଏହା ଏକ ପ୍ରକାର ରକ୍ତ କର୍କଟ ରୋଗ ବୋଲି ଜଣାପଡିଛି। ସ୍ଥାନୀୟ ଜୀବନଜ୍ୟୋତି ସଂଗଠନ ଓ ଅନ୍ୟ କେତେକ ଉଦାର ହୃଦୟର ମଣିଷ ତାଙ୍କୁ ୧୭ ହଜାର ଟଙ୍କା ସାହାଯ୍ୟ କରିଥିଲେ ପୁଅର ପ୍ରାଥମିକ ଚିକିତ୍ସା ପାଇଁ। ପୂର୍ଣ୍ଣଚନ୍ଦ୍ର କଟକ ମେଡିକାଲରେ ପୁଅକୁ ନେଇ ଚିକିତ୍ସାରେ ବ୍ୟସ୍ତ ଥିବା ବେଳେ ବ୍ୟାଙ୍କ ମ୍ୟାନେଜରଙ୍କ ଫୋନ ଆସିଥିଲା। ଆଧାର ସଂଯୋଗ କାହିଁକି କରିନାହଁ ବୋଲି ପୂର୍ଣ୍ଣଚନ୍ଦ୍ରଙ୍କୁ ମ୍ୟାନେଜର ପଚାରିଥିଲେ। ତେବେ ପୂର୍ଣ୍ଣଚନ୍ଦ୍ର କଟକ ଡାକ୍ତରଖାନାରେ ତାଙ୍କ ପୁଅର ଚିକିତ୍ସା କରୁଛନ୍ତି ବୋଲି ସୂଚନା ଦେଇଥିଲେ। ମ୍ୟାନେଜର ପୂର୍ଣ୍ଣଚନ୍ଦ୍ରଙ୍କୁ ସମବେଦନା ଜଣାଇବା ସହ ଆଧାର ନମ୍ବର ଓ ଏଟିଏମ କାର୍ଡ ନମ୍ବର ତାଙ୍କଠାରୁ ମାଗି ନେଇଥିଲେ। ବାସ ତା’ପରେ ସମସ୍ତଙ୍କ କ୍ଷେତ୍ରରେ ଯାହା ହୁଏ ତାଙ୍କ କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟିଥିଲା। ଆଖିପିଛୁଳାକେ ଆକାଉଣ୍ଟରୁ ୧୭ ହଜାର ଟଙ୍କା ଉଭାନ ହୋଇଯାଇଥିଲା। ଏବେ ଅସହାୟ ହୋଇପଡିଛନ୍ତି ପୂର୍ଣ୍ଣଚନ୍ଦ୍ର। ପୁଅର କେମୋ ଥେରାପି କରାଯିବ। ଜୀବନଜ୍ୟୋତି ସଂଗଠନର ସଦସ୍ୟମାନେ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ପହଞ୍ଚି ଦିବ୍ୟାଂଶୁର ସ୍ୱାସ୍ଥ୍ୟ ବିଷୟରେ ବୁଝିଛନ୍ତି।

Leave a Reply

Your email address will not be published. Required fields are marked *