ମାନବାଧିକାର କମିସନଙ୍କ ନିର୍ଦ୍ଦେଶ – ପିଏଚସି, ସିଏଚସିକୁ ସଜାଡ : ୨୦ଟି ମାମଲାରେ ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କୁ ନୋଟିସ୍

ଭୁବନେଶ୍ୱର ୬-୧୨(ଓଡ଼ିଆ ପୁଅ)ରାଜ୍ୟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଏରିଆ ହସ୍ପିଟାଲ୍ଗୁଡିକର ଦୁରାବସ୍ଥାକୁ ସୁଧାରିବାଲାଗି ରାଜ୍ୟ ସରକାର କିଭଳି ପଦକ୍ଷେପ ନେଇଛନ୍ତି, ସେ ବିଷୟରେ ଆଠ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଓଡିଶା ମାନବାଧିକାର କମିଶନ ନୋଟିସ୍ ଜାରି କରିଛନ୍ତି। ଆଠ ସପ୍ତାହ ମଧ୍ୟରେ ହସ୍ପିଟାଲଗୁଡିକର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବା ପାଇଁ କୁହାଯାଇଛି।

ଭୁବନେଶ୍ୱର ସ୍ଥିତ ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହୁମାନ୍ ରାଇଟ୍ସ (ସିଏସ୍ଏଫ୍ଏଚ୍ଆର୍) ପକ୍ଷରୁ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଫୋରମ୍ର ୱାର୍କିଂ ଗ୍ରୁପ୍ ସଦସ୍ୟ ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏନଏଚଆରସିଙ୍କ ନିକଟରେ ୧୪୦୦ରୁ ଅଧିକ ପିଟିସନ୍ ଦାଖଲ କରିଥିଲେ। ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୧୪୭୫ଟି ହସ୍ପିଟାଲ୍ରେ କିପରି ଭାବେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି, ତାହା ଏହି ପିଟିସନ୍ ଗୁଡିକ ମାଧ୍ୟମରେ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏନଏଚଆରସି ୩୧୬ଟି ମାମଲା ରୁଜୁ କରି ଏହାର ବିଚାର ପାଇଁ ଓଡିଶା ମାନବାଧିକାର କମିଶନଙ୍କ ନିକଟକୁ ପଠାଇଥିଲେ। ପିଟିସନ୍ରେ ଆବେଦନକାରୀ ଦର୍ଶାଇଥିଲେ, ହସ୍ପିଟାଲ୍ରେ ଦୈନିକ ୬ ଘଂଟା ଓପିଡି ଖୋଲିବା କଥା। କିନ୍ତୁ ପ୍ରାୟ କୌଣସି ଡାକ୍ତରଖାନାରେ ତାହା ହେଉନାହିଁ। ପୁଣି ଆଦିବାସୀ ଓ ଦୁର୍ଗମ ଜିଲ୍ଲାଗୁଡିକରେ ତ ସପ୍ତାହରେ ଅଧିକ ଦିନ ଓପିଡି ବନ୍ଦ ରହୁଛି। ତେଣୁ ୨୪ ଘଂଟିଆ ସେବା ମିଳିପାରୁନାହିଁ। ପ୍ରସୂତି ମହିଳା ଓ ନବଜାତ ଶିଶୁଙ୍କ ଯତ୍ନ ପାଇଁ ଏଗୁଡିକରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଡାକ୍ତରଖାନାଗୁଡିକରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ। ପରିମଳ ଓ ପାରିପାର୍ଶିକ ଅବସ୍ଥା ବହୁତ ଖରାପ। ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ରୋଗୀମାନେ ଚିକିତ୍ସା ସେବା ପାଇବାରୁ ବଂଚିତ ହେଉଛନ୍ତି। ରୋଗୀଙ୍କୁ ମାଗଣା ଔଷଧ ମିଳିବାରେ ସମସ୍ୟା ହେଉଛି। ରୋଗୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମଧ୍ୟ ନାହିଁ। ଡାକ୍ତରଖାନାଗୁଡିକର କାର୍ଯ୍ୟଶୈଳୀକୁ ନିୟମିତ ତଦାରଖ କରିବା ଓ ସମସ୍ୟାଗୁଡିକ ସମାଧାନ କରିବା ସହିତ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ କମିଶନଙ୍କ ନିକଟରେ ନିବେଦନ କରିଥିଲେ। ଓଡିଶା ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍ ବି.କେ.ମିଶ୍ର ଏଗୁଡିକ ମଧ୍ୟରୁ ୨୦ଟି ମାମଲାରେ ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଆଠ ସପ୍ତାହରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ମାମଲାଗୁଡିକ ବିଚାରାଧିନ ରହିଛି।

Leave a Reply

Your email address will not be published. Required fields are marked *