ମାତୃ ଦିବସରେ ମହିଳା ଅଧିକାର ଅଭିଯାନ

ସୋନପୁର, ୯/୫ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – – ଆଜି ବିଶ୍ୱ ମାତୃ ଦିବସ। ମାତୃଶକ୍ତିର ସୁରକ୍ଷା ସକାଶେ ବିଶ୍ୱବ୍ୟାପୀ ଆୟୋଜନ ହେଲାବେଳକୁ ଏଣେ ମାତୃଶକ୍ତି ପ୍ରତି ଘୋର ଅବିଚାରର ଏକ ନମୁନା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ। ଉକ୍ତ ଗ୍ରାମର କୌଶଲ୍ୟା ସେଠୀ ପିତା ବିଶ୍ୱାମିତ୍ର ମଲ୍ଲିକ ଦଶ ବର୍ଷ ତଳେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନା ନୂଆଗଡ଼ ଗ୍ରାମର ସୁରୁବାବୁ ସେଠୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କ ଔରସରୁ ଜାତ ଝିଅଟିଏ ଅଛି ଯାହାର ବୟସ ଏବେ ସାତ ବର୍ଷ। ବିବାହପରେ ନିୟମିତ ଯୌତୁକ ନିର୍ଯ୍ୟାତନା ଦେଉଥିବା କାରଣରୁ ୨୦୧୧ ମସିହାରେ କୌଶଲ୍ୟା ନିଜ ସ୍ୱାମୀ ସୁରୁବାବୁ ନାମରେ ବୀରମହାରାଜପୁର ଅଦାଲତରେ ଫୌଜଦାରୀ ମୋକଦ୍ଧମା ଦାଏର କରିଥିଲେ। ଯାହା ଏପର୍ଯ୍ୟନ୍ତ ବିଚାରାଧୀନ ଅଛି। ମୋକଦ୍ଧମା ବିଚାରାଧୀନ ଥିବା ଅବସ୍ଥାରେ ସୁରୁବାବୁ ଆଜି ବିନିକା ଥାନାଅନ୍ତର୍ଗତ ଘୋଡ଼ାଧାର ଗ୍ରାମର ସନ୍ତୋଷିନୀ ନାଏକ ପିତା ଗୋପାଳ ନାଏକଙ୍କୁ ବିବାହ ସକାଶେ ନିମନ୍ତ୍ରଣ ପତ୍ର ବାଣ୍ଟିଥିଲେ। ମାତ୍ର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଦୁଇଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାର ଚାରିଶମ୍ଭୁ ମନ୍ଦିରରେ ସେମାନଙ୍କ ବିବାହ ସଂପନ୍ନ ହୋଇଯାଇଛି। ଏହି ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲା ମହିଳା ଅଧିକାର ଅଭିଯାନ କମିଟୀର ଆବାହିକା ପ୍ରାଧ୍ୟାପିକା ମୀନା ମହାରଣାଙ୍କ ନେତୃତ୍ୱରେ କମିଟୀର ସଭ୍ୟାମାନେ ଘୋଡ଼ାଧାର ଗ୍ରାମକୁ ଯାଇ ବର ଓ କନ୍ୟା ଦଳ ତଥା ଉପସ୍ଥିତ ଗ୍ରାମବାସୀଙ୍କୁ ସାକ୍ଷାତ କରି ଆଇନଗତ ସମସ୍ୟା ପ୍ରତି ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପୂର୍ବରୁ ସେମାନେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ କୁମାର ପାତ୍ରଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ଉପରୋକ୍ତ ‘ମା’ ଦଳରେ ମଞ୍ଜୁଳା ମିଶ୍ର, ଇନ୍ଦୁମତୀ ପୁରୋହିତ, ଆରତୀ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ‘ମା’ ଦଳ ଘୋଡ଼ାଧାର ଗ୍ରାମରେ ପହଞ୍ଚିଲା ବେଳକୁ ସେଠାରେ ବିବାହଜନିତ ଭୋଜିଭାତ ଜୋରସୋରରେ ଚାଲିଥିଲା।

Leave a Reply

Your email address will not be published. Required fields are marked *